କର୍ଣ୍ଣାଟକ-ତାମିଲନାଡ଼ୁରେ ଫସିଛନ୍ତି ରାୟଗଡ଼ା ଅଞ୍ଚଳର ୪୫ ଶ୍ରମିକ, ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନକୁ ନିବେଦନ

ଫସି ରହିଥିବା ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ୧୦ରୁ ଅଧିକ ମହିଳା

ରାୟଗଡ଼ା: ଖାଇବା, ପିଇବାକୁ ମିଳୁନି। ବାହାରକୁ ଗଲେ ପୁଲିସ୍ ପିଟୁଛି। ଭାରତ ଲକଡାଉନ୍ ଘୋଷଣା ପରଠୁ ଦୁର୍ଦିନରେ ଦିନ କାଟୁଛୁ। ଆମକୁ ତୁରନ୍ତ ସହାୟତା ପ୍ରଦାନ କରିବା ସହ ଉଦ୍ଧାର କରନ୍ତୁ। କର୍ଣ୍ଣାଟକ ଓ ତାମିଲନାଡ଼ୁର ଏକ ଘରୋଇ କଂପାନିରେ କାମ କରୁଥିବା ରାୟଗଡ଼ା ଅଞ୍ଚଳର ୪୫ ଓଡ଼ିଆ ଶ୍ରମିକମାନେ ଭିଡ଼ିଓ ଜାରି କରି ଏପରି ନିବେଦନ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ରାୟଗଡ଼ା ଜିଲ୍ଲା ପ୍ରଶାସନକୁ।

ଗତ କିଛି ମାସ ତଳେ ରାୟଗଡ଼ା, କୋରାପୁଟ, ନବରଂଗପୁର ଅଞ୍ଚଳର ୧୫ରୁ ଅଧିକ ଯୁବକ କର୍ଣ୍ଣାଟକର ଏକ ଘରୋଇ କଂପାନିରେ କାମ କରିବାକୁ ଯାଇଥିଲେ। ଗରିବ ସୀମାରେଖା ତଳେ ବାସ କରୁଥିବା ଏହି ଶ୍ରମିକମାନେ ଭଲ କାମ କରିବା ସହ ରୋଜଗାର କରି ଦି ପଇସା ଘରକୁ ପଠାଉଥିଲେ। କିନ୍ତୁ କରୋନା ମହାମାରୀ କର୍ଣ୍ଣାଟକରେ ବ୍ୟାପିବା ପରେ କଂପାନି ବନ୍ଦ ହୋଇ ଯାଇଥିଲା। କଂପାନି ବନ୍ଦର ଦିନେ, ଦୁଇ ଦିନ ମଧ୍ୟରେ ବସ୍, ଟ୍ରେନ୍ ଚଳାଚଳକୁ ସରକାର ବାତିଲ୍ କରିବା ଯୋଗୁ ଶ୍ରମିକମାନେ କର୍ଣ୍ଣାଟକରୁ ନିଜ ଘର ଅଭିମୁଖେ ଆସିପାରୁନଥିବା କହିଛନ୍ତି।

ଗୋଟିଏ ଘରେ ସମସ୍ତ ଶ୍ରମିକ ଭୋକ ଉପାସରେ ପଡ଼ି ରହିଥିବା କହିଛନ୍ତି। ବାହାରକୁ ଖାଦ୍ୟ ଅନ୍ବେଷଣରେ ଗଲେ ପୁଲିସ୍ ନିର୍ଘାତ ମାଡ଼ ମାରୁଥିବାରୁ ତୁରନ୍ତ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଉଦ୍ଧାର କରିବାକୁ ରାୟଗଡ଼ା ଅଶୋକ ନଗର ଦ୍ବିତୀୟ ଲାଇନର ମୁକୁନ୍ଦ ବରାଡ଼ ନିବେଦନ କରିଛନ୍ତି। ସେହିପରି ଟିକିରି ଥାନା ମଇଲିଗୁଡା, ଦିଶାରୀଗୁଡା, କ‌ାଳିଆପଡ଼ା ଗ୍ରାମର ୩୦ ଦାଦନ ଶ୍ରମିକ ତାମିଲନାଡ଼ୁରେ ଫଶି ରହିଛନ୍ତି। ୩/୪ ଦିନ ହେଲା ଏହି ଶ୍ରମିକମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଥିବା ଭିଡ଼ିଓ ମାଧ୍ୟମରେ ଜଣାଇଛନ୍ତି। ଫସି ରହିଥିବା ଶ୍ରମିକଙ୍କ ମଧ୍ୟରେ ୧୦ ଜଣ ମହିଳା ଥିବା ଜଣା ପଡ଼ିଛି। କାଳିଆପଡ଼ା ଗ୍ରାମର ବିଶେଖ, ଜଗଦୀଶ, ଅକ୍ଷୟ, ଏଙ୍କେଟି, ଅଭିରାମ, ଉମେଶ, ବାସନ୍ତୀ, ଧନୁର୍ଜୟ, ଅଞ୍ଜଳି, ମମତା, ସୁକାନ୍ତି, ନିକିତା, ଋୁକୁଣୀ, ନୈନା, ଚୁମା, ସ୍ବର୍ଣ୍ଣଲତା, ସୀତା, ରଜନୀଙ୍କ ସମେତ ଅନ୍ୟ ଶ୍ରମିକମାନେ ତୁରନ୍ତ ଉଦ୍ଧାର ପାଇଁ ନିବେଦନ କରିଛନ୍ତି। ଏହି ସମସ୍ତ ଶ୍ରମିକ ତାମିଲନାଡ଼ୁ ଇରଡ଼ ଥାନାର ତେରୁନ୍ଦ୍ରା ଓ ସିପକୋଟ ଅଞ୍ଚଳରେ କାମ କରୁଥିବା ଜଣାଇଛନ୍ତି।

ସମ୍ବନ୍ଧିତ ଖବର