ବନ କର୍ମଚାରୀଙ୍କୁ କାଠ ମାଫିଆଙ୍କ ଆକ୍ରମଣ : ୩ ଆହତ, ୫ ଗିରଫ, ବିପୁଳ କାଠ ଓ ଯନ୍ତ୍ରାଂଶ ଜବତ, ମୁଖ୍ୟ କାର୍ପଟଦାର ଫେରାର୍‌

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅଧୀନ ସାଆନ୍ତରାପୁର ଗ୍ରାମର ଏକ ବେଆଇନ କରତକଳ ଉପରେ ବନ ବିଭାଗ ଚଢ଼ଉ କଲାବେଳେ ବନ କର୍ମଚାରୀ କାଠ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଟେକାପଥର ମାଡ଼ରେ ୩ କର୍ମଚାରୀ ଆହତ ହୋଇଛନ୍ତି। ବନ ବିଭାଗ ଏକ ଟ୍ରିପରୁ ଊର୍ଦ୍ଧ୍ବ ମୂଲ୍ୟବାନ କାଠ, କରତକଳରେ ବ୍ୟବହୃତ ଯନ୍ତ୍ରାଂଶ ଜବତ କରିବା‌ ସହ ୫ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଗୁଡ଼ଛଙ୍ଗାର ରଞ୍ଜନ ପରିଡ଼ା, ପାଲଲହଡ଼ାର ଦୁଷ୍ମନ୍ତ ନାଏକ, ରଞ୍ଜନ ନାଏକ, ସୋ‌ସୋ ଥାନା ମଟରଗାଡ଼ିଆ ଗ୍ରାମର ଅମୂଲ୍ୟ ନାଏକ ଓ ହରିଚନ୍ଦନପୁର ଥାନା ପେଣ୍ଠଡିହା ଗ୍ରାମର ସୁରଥ ମହାନ୍ତ। ମୁଖ୍ୟ କାର୍ପଟଦାର କୁହାଯାଉଥିବା ଜଣେ ଅଣଓଡ଼ିଆ ଫେରାର୍‌ ହୋଇଯାଇଛି।

ସାଆନ୍ତରାପୁର ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଥିବା ଏକ ଅଣଓଡ଼ିଆ ବସ୍ତିରେ ଦୀର୍ଘଦିନ ହେଲା ବେଆଇନ କରତକଳ ଚାଲୁଥିଲା। ମେସିନ ଲଗାଇ କାଠ କଟାଯିବା ସହ ତାହାକୁ ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଉଥିଲା। ଏଠାରୁ ମାତ୍ର ୪ କିମି ଦୂରରେ ଢେଙ୍କିକୋଟ ଫାଣ୍ଡି ଓ ଫରେଷ୍ଟ ସେକ୍ସନ କାର୍ଯ୍ୟାଳୟ ଥିଲେ ମଧ୍ୟ ଏଥିପ୍ରତି କାହାରି ନଜର ପଡ଼ୁନଥିଲା। ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଡିଏଫ୍‌ଓ ସନ୍ତୋଷ ଯୋଶୀଙ୍କ ନେତୃତ୍ବରେ ବନ ବିଭାଗ ଓ ପୁଲିସର ଏକ ମିଳିତ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ଚଢ଼ଉକୁ ସମ୍ପୂର୍ଣ୍ଣ ଗୋପନ ରଖାଯିବା ସହ ଏ ସମ୍ପର୍କରେ ସ୍ଥାନୀୟ ବନ ବିଭାଗ କାର୍ଯ୍ୟାଳୟ ଓ ପୁଲିସକୁ ସୂଚନା ଦିଆଯାଇ ନଥିଲା। ଏପରିକି ଚଢ଼ଉରେ ସାମିଲ ହୋଇଥିବା କର୍ମଚାରୀଙ୍କୁ ମୋବାଇଲ୍‌ ସ୍ବିଚ୍‌ ଅଫ୍‌ ରଖିବାକୁ ନିର୍ଦେଶ ଥିଲା। ମାତ୍ର ଘଣ୍ଟାଏ ମଧ୍ୟରେ ବନ ବିଭାଗ ସେଠାରୁ ବ୍ୟାପକ ମୂଲ୍ୟବାନ କାଠ ଜବତ କରିବା ସହ କରତକଳରେ ବ୍ୟବହୃତ ଯନ୍ତ୍ରାଂଶ ଜବତ କରିଥିଲା। ଏହି ବେଆଇନ କାରବାରରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ତେବେ ଅଭିଯୁକ୍ତଙ୍କୁ ଗିରଫ କରିବା ବେଳେ ସେଠାରେ ଲୁଚିଥିବା କିଛି କାଠ ମାଫିଆ ବନ କର୍ମଚାରୀଙ୍କୁ ଆଖିବୁଜା ଟେକାପଥର ମାଡ଼ କରିଥି‌ଲେ। ଏଥିରେ ବନ କର୍ମଚାରୀ ମୋହିନୀ ମହାନ୍ତ, ଅନିତା ରାଉତ ଓ କାଳନ୍ଦୀ ସାମଲ ଆହତ ହୋଇଛନ୍ତି।

କେବଳ ଗୋଟିଏ ନୁହେଁ; ଏଠାରେ ଆହୁରି ୫ରୁ ୬ଟି କରତକଳ ଚାଲୁଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ପୁଲିସ, ବନ କର୍ମଚାରୀ, ରାଜନେତା ଓ କାଠ ମାଫିଆଙ୍କ ସଲାସୁତରାରେ ଏହି ବେଆଇନ କାରବାର ଚାଲୁଥିବା ଅଭିଯୋଗ ହୋଇଛି। ଏହି ଚଢ଼ଉରେ କେନ୍ଦୁଝର ଡିଏଫ୍‌ଓ ସନ୍ତୋଷ ଯୋଶୀ, ଏସିଏଫ୍‌ ଘନଶ୍ୟାମ ମହାନ୍ତ, ମାଜିଷ୍ଟ୍ରେଟ ରେଗାନ ନାଏକ, ପୁଲିସ ଡିଏସ୍‌ପି ସୁରଥ ମଲ୍ଲିକ, ଫରେଷ୍ଟର ମୋହିନୀ ମହାନ୍ତ, ଅନିତା ରାଉତ, କାଳନ୍ଦୀ ସାମଲ ଓ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର