Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ଜଳ ପାଇଁ ବ୍ୟାକୁଳ ହୀରାକୁଦ

୬୨ତମ ପ୍ରତିଷ୍ଠା ଦିବସ ଆଜି

0 440

ସମ୍ବଲପୁର : ମହାନଦୀ ଉପରେ ନିର୍ମିତ ହୀରାକୁଦ ବନ୍ଧ ହେଉଛି ସର୍ବବୃହତ ନଦୀବନ୍ଧ। ବିଶ୍ୱର ଦୀର୍ଘତମ ମାଟି ବନ୍ଧର ମାନ୍ୟତା ପାଇଥିବା ହୀରାକୁଦ ପାଇଁ ମହାନଦୀକୁ ମିଳିଛି ସ୍ୱତନ୍ତ୍ର ପରିଚୟ। ଓଡ଼ିଶାରେ ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ଜଳବିଦ୍ୟୁତ୍‌ ଉତ୍ପାଦନର ବହୁମୁଖୀ ଲକ୍ଷ୍ୟ ନେଇ ସ୍ୱାଧୀନତା ପରବର୍ତୀ ସମୟରେ ବନ୍ଧା ଯାଇଥିଲା ହୀରାକୁଦ ବନ୍ଧ। ହୀରାକୁଦ ବନ୍ଧ ନିର୍ମାଣ ସହ ମହାନଦୀ ପାଣିରେ ସୃଷ୍ଟି ହୋଇଥିବା ଜଳଭଣ୍ଡାର ପାଲଟିଥିଲା ଏସିଆର ସର୍ବବୃହତ କୃତ୍ରିମ ହ୍ରଦ। ଉକ୍ତ ଜଳକୁ ବ୍ୟବହାର କରି ଓଡ଼ିଶା ବିଦ୍ୟୁତ୍‌ ଉତ୍ପାଦନ ଓ ଜଳସେଚନର ସୁବିଧା ପାଇ ଆସିଛି। ପରବର୍ତୀ ସମୟରେ ବିଭିନ୍ନ ଶିଳ୍ପସଂସ୍ଥା ପାଇଁ ମଧ୍ୟ ଏହା ଜଳର ଉତ୍ସ ପାଲଟିଛି। ହେଲେ ବର୍ତମାନ ହୀରାକୁଦ ଜଳଭଣ୍ଡାରର ସତ୍ତାକୁ ନେଇ ସୃଷ୍ଟି ହୋଇଛି ସଂକଟ। ଏହି ଜଳଭଣ୍ଡାରକୁ ଜଳ ଯୋଗାଉ ଥିବା ମହାନଦୀର ମୁହଁକୁ ବନ୍ଦ କରି ଦେବାକୁ ବସିଛି ଛତିଶଗଡ଼। ଫଳରେ ମହାନଦୀର ପାଣିକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଉପୁଜିଛି ବିବାଦ।

ନଦୀଜଳ ବଣ୍ଟନ କ୍ଷେତ୍ରରେ ଆନ୍ଧ୍ର ସହ ଯୁଝୁଥିବା ଓଡ଼ିଶାର ଏବେ ସବୁଠୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ପାଲଟିଛି ଛତିଶଗଡ଼। ଓଡ଼ିଶାର ଜୀବନରେଖା ମହାନଦୀ ଉପରେ ଏହାର ଏକଚାଟିଆ ଅଧିକାର ରାଜ୍ୟର ଚିନ୍ତା ବଢ଼ାଇଛି। ୨୦୧୦ରୁ ୨୦୧୫ ମଧ୍ୟରେ ହୀରାକୁଦର ଉପର ମୁଣ୍ଡରେ ମହାନଦୀ ଓ ତାର ଉପନଦୀ ଗୁଡ଼ିକରେ ଛତିଶଗଡ଼ ସରକାର ୬୦ରୁ ଅଧିକ ଛୋଟବଡ଼ ବ୍ୟାରେଜ୍‌ ଓ ବନ୍ଧ ନିର୍ମାଣ କରିଛନ୍ତି। ଫଳରେ ହୀରାକୁଦ ବନ୍ଧକୁ ଜଳପ୍ରବାହ ଗୁରୁତର ପ୍ରଭାବିତ ହୋଇଛି। ବିଶେଷ କରି ଛତିଶଗଡ଼ ତିଆରି କରିଥିବା ୭ଟି ବୃହତ୍‌ ବ୍ୟାରେଜ୍‌ ହୀରାକୁଦ ଓ ଓଡ଼ିଶା ପାଇଁ ଘାତକ ହୋଇଛି। ଛତିଶଗଡ଼ର ଚନ୍ଦର୍‌ପୁର ନିକଟରେ ମହାନଦୀ ଉପରେ ନିର୍ମିତ କଲ୍‌ମା ବ୍ୟାରେଜ୍‌ କାର୍ଯ୍ୟକାରୀ ହେବା ପରେ ହୀରାକୁଦକୁ ଜଳପ୍ରବାହ ବହୁ ପରିମାଣରେ ହ୍ରାସ ପାଇଛି। ବିଶେଷ କରି ଏହି ଦୁଇ ବର୍ଷରେ ଅଣମୌସୁମୀ ସମୟରେ ହୀରାକୁଦର ଜଳସ୍ତର ଅସ୍ୱାଭାବିକ ଭାବେ ହ୍ରାସ ପାଉଛି। କେବଳ ଜଳଭଣ୍ଡାରର ଅସ୍ଥିତ୍ୱ ବିପନ୍ନ ହୋଇଛି ତାହା ନୁହେଁ, ତଳ ମୁଣ୍ଡରେ ମଧ୍ୟ ମହାନଦୀର ସ୍ରୋତ ଶୁଖିବାରେ ଲାଗିଛି। ସମ୍ବଲପୁରରୁ ନେଇ ପାରାଦୀପ ପର୍ଯ୍ୟନ୍ତ ଅନେକ ସ୍ଥାନରେ ମହାନଦୀର ଶଯ୍ୟା ଶୁଖିଲା ପଡ଼ୁଛି। ଛତିଶଗଡ଼ ନିର୍ମିତ ବ୍ୟାରେଜ ଗୁଡ଼ିକର ଉଦ୍ଦେଶ୍ୟ ଜଳସେଚନ ବୋଲି କୁହା ଯାଉଥିଲେ ବି ବାସ୍ତବରେ ଶିଳ୍ପାନୁଷ୍ଠାନକୁ ପାଣି ଦେବା ପାଇଁ ଏହା ତିଆରି ହେଉଛି। ଛତିଶଗଡ଼ ସରକାରଙ୍କ ଏହି ଶିଳ୍ପ ପ୍ରୀତି ଓଡ଼ିଶାର ଚାଷ ଓ ଚାଷୀଙ୍କ ପାଇଁ କାଳ ହୋଇଛି। ଏହାଦ୍ୱାରା ହୀରାକୁଦ ସେଚାଞ୍ଚଳର ଅଢ଼େଇ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳଯୋଗାଣ ବାଧାପ୍ରାପ୍ତ ହେବା ସହ ମହାନଦୀ ଉପରେ ନିର୍ଭରଶୀଳ ୧୫ଟି ଜିଲ୍ଲାର ଚାଷ ପ୍ରଭାବିତ ହେବାରେ ଲାଗିଛି।

ପ୍ରତିଷ୍ଠାର ୬୧ ବର୍ଷ ମଧ୍ୟରେ ହୀରାକୁଦ ବନ୍ଧ କ୍ରମେ ଦୁର୍ବଳ ହୋଇଛି। ଏହାର କଂକ୍ରିଟ୍‌ ଢାଞ୍ଚାରେ ଫାଟ ସୃଷ୍ଟି ହୋଇଛି। ଜଳଭଣ୍ଡାରରେ ପଟୁ ମାଟି ପୋତି ହେବା କାରଣରୁ ଏହାର ଜଳଧାରଣ କ୍ଷମତା ହ୍ରାସ ପାଇଛି। ଅପର ପକ୍ଷରେ ଭବିଷ୍ୟତରେ ମୌସୁମୀ ସମୟରେ ହୀରାକୁଦକୁ ପ୍ରଚୁର ପରିମାଣର ଜଳ ପ୍ରବେଶ ଆଶଂକା କରି ବନ୍ଧ ଉପରେ ଅତିରିକ୍ତ ସ୍ପିଲ୍‌େଓ୍ଵ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଏହାସତ୍ତ୍ୱେ ଛତିଶଗଡ଼ର ଜଳ ନିୟନ୍ତ୍ରଣ କାରଣରୁ ଜଳଭଣ୍ଡାରର ଅସ୍ଥିତ୍ୱ ବିପନ୍ନ ହୋଇଛି। ଏହା ଉପରେ କେନ୍ଦ୍ରୀୟ ଲଗାମ ନରହିଲେ ବର୍ଷ ତମାମ ହୀରାକୁଦ ଶୁଖିଲା ପଡ଼ିବ ବୋଲି ବିଶେଷଜ୍ଞମାନେ ଆଶଂକା କରୁଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

2 × 4 =