୩ ଦୁର୍ଘଟଣାରେ ୭ ମୃତ

ଚାପିଦେଲା ବସ୍‌ ,୩ ମୃତ

ମାଣିଆବନ୍ଧ/ବଡ଼ମ୍ବା : ମୋବାଇଲରେ କଥା ହେବା କାଳ ହେଲା। ଡ୍ରାଇଭରର ଏଭଳି ବେପରଓ୍ଵା କାମ ଯୋଗୁଁ ନିୟନ୍ତ୍ରଣ ହରାଇ ଏକ ଯାତ୍ରୀବାହୀ ବସ୍‌ ରାସ୍ତାକଡ଼କୁ ମାଡ଼ିଯିବାରୁ ଘଟଣାସ୍ଥଳରେ ବସ ଚକାତଳେ ଚାପିହୋଇ ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ବଡ଼ମ୍ବା ଥାନା ମାଣିଆବନ୍ଧ ଫାଣ୍ଡି ଅନ୍ତର୍ଗତ ଅଭିମାନପୁରରେ ଆଜି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ହେଲେ ବାଙ୍କୀ ତେନ୍ତୁଳିଆର ଉଦୟନାଥ ସ୍ୱାଇଁ, ନରସିଂହପୁର ଓଡ଼ସିଙ୍ଗାର ସୁବ୍ରତ ମୁଦୁଲି(୩୦) ଓ ଆନନ୍ଦ ବେହେରା(୨୬)। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ବସ୍‌ ଭଙ୍ଗା ରୁଜା କରିଛନ୍ତି।

ଅପରାହ୍ନ ପ୍ରାୟ ସାଢେ ୨ଟା ବେଳେ ‘ରାଧାମାଧବ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ କଟକରୁ ନରସିଂହପୁର ଅଭିମୁଖେ ଯାଉଥିଲା। ଅଭିମାନପୁର ନିକଟରେ ଟାଓ୍ଵାର ମରାମତି ପାଇଁ ଟେଲିକମ୍‌ ଟେକ୍‌ନିସିଆନ୍‌ ଉଦୟନାଥ ସ୍ୱାଇଁ ନିଜ ହୋଣ୍ଡା କାର୍‌ ପଛ ଡିକିରୁ ମରାମତି ଯନ୍ତ୍ରପାତି ବାହାର କରୁଥିଲେ। କାର୍‌ ପଛରେ ଏକ ନିର୍ବନ୍ଧ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିବା ସୁବ୍ରତ ଓ ସାଥି ଆନନ୍ଦ ପ୍ୟାସନ ବାଇକ୍‌ ରଖି ଛିଡ଼ା ହୋଇଥିଲେ। ଏତିକିବେଳେ ବସ୍‌ଟି ଦ୍ରୁତଗତିରେ ଆସି କାର୍‌କୁ ଧକ୍କାଦେଇ କିଛି ବାଟ ଘୋଷାଡି ନେଇଥିଲା। ଫଳରେ ବାଇକ୍‌ ସହ ୩ଜଣ ଯାକ ବସ୍‌ ଚକାତଳେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ଘଟିଥିଲା।

ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା: ୨ ମୃତ

ଫୁଲବାଣୀ/ଖଜୁରିପଡା : ଘନ କୁହୁଡ଼ି ଯୋଗୁଁ ଫୁଲବାଣୀ ଉପକଣ୍ଠରେ ଆଜି ଦୁଇ ଯୁବକଙ୍କ ଜୀବନ ଚାଲିଯାଇଛି। ସକାଳ ପ୍ରାୟ ୬ଟା ବେଳେ କନ୍ଧମାଳ ଜିଲ୍ଲା ସଦର ଥାନା ସିଡ଼ଙ୍ଗାପଙ୍ଗା ଛକ ନିକଟରେ ଏକ ଅଜଣା ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହୀ ବଇକୁମ୍ପାର ବାପୁନା ମଲ୍ଲିକ(୨୫) ଓ ଦିବ୍ୟସିଂ ମଲ୍ଲିକ(୨୬)ଙ୍କ ଦୁଃଖଦ ମୃତ୍ୟୁ ଘଟିଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଫୁଲବାଣୀ-ବୌଦ୍ଧ ରାସ୍ତାକୁ ୩ ଘଣ୍ଟା ଧରି ଅବରୋଧ କରି ରଖିଥିଲେ।
ବଇକୁମ୍ପାର ବାପୁନା ଓ ଦିବ୍ୟସିଂ ଏକ ହିରୋ ବାଇକରେ ଗାଁରୁ ଫୁଲବାଣୀକୁ ଆସୁଥିଲେ। ସିଡ଼ଙ୍ଗାପଙ୍ଗା ଛକ ନିକଟରେ ବିପରୀତ ଦିଗରୁ ଏକ ଟ୍ରକ ଆସୁଥିଲା। କୁହୁଡ଼ି ଯୋଗୁଁ ବାଇକ୍‌ ଓ ଟ୍ରକ୍‌ ଚାଳକ ପରସ୍ପରକୁ ଦେଖି ପାରି ନଥିଲେ। ବାଇକ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ବାପୁନା ଓ ଦିବ୍ୟସିଂ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ, ସେଠାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା।

ଦଶପଲ୍ଲାରେ କାର୍‌ ଅଟୋ ଧକ୍କା : ପରିବାରର ୨ ମୃତ

ନୟାଗଡ଼/ଦଶପଲ୍ଲା : ମୃତ ସଂପର୍କୀୟଙ୍କ ଶେଷ ଦର୍ଶନ କରି ଫେରିବା ବାଟରେ ଦୁର୍ଘଟଣାରେ ଗୋଟିଏ ପରିବାରର ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ହୋଇଛନ୍ତି। ମୃତକ ଦୁଇ ଜଣ ଦଶପଲ୍ଲା ଥାନା ଅନ୍ତର୍ଗତ ତେଣ୍ଡାବାଡ଼ିର ଟୁନି ବେହେରା(୪୫) ଓ ବିସିକା ବେହେରା(୫୦)। ସଂପର୍କରେ ଦୁଇଜଣ ବୋହୂ ଓ ଖୁଡ଼ି ଶାଶୂ ବୋଲି ଜଣାପଡ଼ିଛି। ୩ ଜଣଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ପଠାଇ ଦିଆଯାଇଛି। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଭୋଗରା ଛକରେ।
ମିଳିଥିବା ସୂଚନା ମୁତାବକ, ମୃତ ବିସିକାଙ୍କ ଭିଣୋଇ ଦଶପଲ୍ଲା ଥାନା ଅନ୍ତର୍ଗତ କଉଡ଼ା ଗାଁର କୃଷ୍ଣ ପ୍ରଧାନଙ୍କ ଗତକାଲି ମୃତ୍ୟୁ ହୋଇଥିଲା। ଏହି ଖବର ପାଇ ତେଣ୍ଡାବାଡ଼ିର ବିସିକା, ଟୁନିଙ୍କ ସହ ଉର୍ମିଳା ବେହେରା(୬୦), ପାଲୁଣି ନାୟକ(୨୫), କଇମର ରଶ୍ମିତା ପ୍ରଧାନ(୩୪) ଗତକାଲି ଏକ ଅଟୋ (ଓଆର୍‌-୨୫ବି-୦୯୧୬)ରେ କଉଡ଼ା ଗାଁକୁ ଯାଇଥିଲେ। ଗତକାଲି ରାତି ପ୍ରାୟ ୨ଟାରେ ଶୀତ ରାତିରେ ଘରକୁ ଫେରିବା ବାଟରେ ଭୋଗରା ନିକଟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥରେ ହଠାତ୍‌ ବିପରୀତ ଦିଗରୁ ଆସୁଥିବା ଫର୍ଡ ଇକୋସ୍ପୋର୍ଟ ଗାଡ଼ି (ଓଡି-୦୨ୟୁ-୪୪୦୮) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ କାର୍‌ଟି ଗଡ଼ା ମାରି ତଳେ ପଡ଼ିବା ସହ ଅଟୋର ଡାହାଣ ପାର୍ଶ୍ୱ ସଂପୂର୍ଣ୍ଣ ଗୁଣ୍ଡ ହୋଇଯାଇଥିଲା। ଦୁର୍ଘଟଣା ସ୍ଥଳରେ ବିସିକା ଓ ଟୁନିଙ୍କ ମୃତ୍ୟୁ ହୋଇଯାଇଥିଲା। ଉର୍ମିଳା, ପାଲୁଣି, ରଶ୍ମିତାଙ୍କ ସହ ଅଟୋ ଡ୍ରାଇଭର ଶବର ପ୍ରଧାନ(୨୫)ଙ୍କୁ ଗୁରୁତର ଅବସ୍ଥାରେ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉର୍ମିଳା, ରଶ୍ମିତା ଓ ଶବରଙ୍କ ଅବସ୍ଥା ଗୁରୁତର ହେବାରୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ସମୟରେ ରଶ୍ମିତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ପଠାଇ ଦିଆଯାଇଛି।

 

ସମ୍ବନ୍ଧିତ ଖବର