୮ ମାସର ଶିଶୁକୁ ଚେଙ୍କ

ଜୟପୁର : ପୁଣି ଜଣେ ଶିଶୁକୁ ଚେଙ୍କ ଚିକିତ୍ସା। ଜ୍ୱର ଓ ପେଟବ୍ୟଥା ପାଇଁ ୮ମାସର ନିଷ୍ପାପ ଶିଶୁକୁ ୧୫ଥର ଚେଙ୍କ ଦେଇଛି ଦିଶାରୀ। ସଚେତନତା ଅଭାବରୁ ପରିବାର ଲୋକ ହିଁ ଏମିତି ପାରଂପରିକ ଚିକିତ୍ସା କରାଇଛନ୍ତି। ତେବେ ଅବସ୍ଥା ବିଗିଡି ଯିବାରୁ ଶେଷରେ ଶିଶୁକୁ ବାଧ୍ୟ ହୋଇ ଜୟପୁର ଉପଖଣ୍ଡ ମେଡିକାଲରେ ଭର୍ତି କରାଯାଇଛି। କିଛି ଦିନର ନିରବତା ପରେ କୋରାପୁଟ ଜିଲ୍ଲାର ପୁଣି ଜଣେ ଶିଶୁକୁ ଚେଙ୍କ ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ କଦମଗୁଡା ଗାଁର ରାମଚନ୍ଦ୍ର ଖମାରଙ୍କ ୮ମାସର ଶିଶୁ ଗତ କିଛି ଦିନ ହେଲା ଜ୍ୱର ଓ ପେଟ ବ୍ୟଥାରେ ଛଟପଟ ହେଉଥିଲା। ଠିକ୍‌ ରୂପେ ଖାଉ ନଥିବା ବେଳେ ଦିନ ତମାମ ରାହା ଧରି କାନ୍ଦୁଥିଲା। ତେବେ ଅସୁସ୍ଥ ଶିଶୁକୁ ପରିବାର ଲୋକ ମେଡିକାଲ ନେବା ପରିବର୍ତେ ଅନ୍ଧବିଶ୍ୱାସର ଶିକାର ହୋଇ ନିଜ ପିଉସୀଙ୍କ ଗାଁର ଜଣେ ଦିଶାରୀ ନିଟକୁ ନେଇ ଯାଇଥିଲେ। ଦିଶାରୀ ଜଣକ ବି ଶିଶୁକୁ ଭଲ କରିଦେବ ବୋଲି କହି ଆରମ୍ଭ କରିଥିଲା ଯନ୍ତ୍ରଣା ଦାୟକ ଚେଙ୍କ ଚିକିତ୍ସା। ଲୁହାକଣ୍ଟା ଓ ବଙ୍କା ତାରରେ ଦିଶାରୀ ୧୫ଥର ଚେଙ୍କ ଦେଇଥିଲା। ଚେଙ୍କ ପରେ ଯନ୍ତ୍ରଣାରେ ଛଟପଟ ହୋଇ ଶିଶୁ ସେଠାରେ ଶୋଇ ପଡିଥିଲା।

ପରିବାର ଲୋକ ଭାବିଥିଲେ ଶିଶୁ ସୁସ୍ଥ ହୋଇଗଲା। ଏହାପରେ ଅବସ୍ଥା ଆହୁରି ବିଗିଡି ଯାଇଥିଲା। ତେଣୁ ପରିବାର ଲୋକ ଆଜି ଜୟପୁର ଉପଖଣ୍ଡ ମେଡିକାଲକୁ ନେଇ ଆସିଥିଲେ। ଶିଶୁ ଓ୍ଵାର୍ଡର ୭୫ନମ୍ବର ବେଡରେ ଚିକିତ୍ସା ଆରମ୍ଭ କରାଯାଇଛି। ତଥାପି ଶିଶୁ ଭୀଷଣ କାନ୍ଦୁଥିବା ଦେଖିବାକୁ ମିଳିଛି। ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି ଯେ ପିଲାଟି ଜ୍ୱରରେ ଆକ୍ରାନ୍ତ ଥିବା ବେଳେ ଖାଦ୍ୟପେୟ ଅନିୟମିତା କାରଣରୁ ପେଟ ବ୍ୟାଥା ହେଉଛି। ଏହାର ନିରାକରଣ ପାଇଁ ଚିକିତ୍ସା କରାଯାଇଛି। ଖୁବଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର