ବିବାଦ ଘେରରେ ଆରିୟାନ ଗୁରୁକୁଳ ଆବାସିକ ମହାବିଦ୍ୟାଳୟ : ନିଖୋଜ ଛାତ୍ରଙ୍କ ପତ୍ତା ମିଳୁନି
୪ ଛାତ୍ରଙ୍କୁ ମାଡ଼, ଅଧ୍ୟାପକ-ଉନ୍ନୟନ ଅଧିକାରୀ ସମେତ ୪ ଗିରଫ
ବ୍ରହ୍ମପୁର : ଛାତ୍ର ନିଖୋଜ ଘଟଣା ପରେ ବ୍ରହ୍ମପୁର ଭାବିନିପୁର ସ୍ଥିତ ଆରିୟନ୍ ଗୁରୁକୁଳ ଆବାସିକ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଗୋଟିଏ ପରେ ଗୋଟିଏ କାରନାମା ପଦାକୁ ଆସୁଛି। ତିନି ଦିନ ହେଲା ନିଖୋଜ ଛାତ୍ରଙ୍କ ପତ୍ତା ମିଳୁ ନଥିବା ବେଳେ କଲେଜ କର୍ତ୍ତୃପକ୍ଷ ଏଥିପାଇଁ ପରୋକ୍ଷରେ ଦାୟୀ କରି ଅନ୍ୟ ଚାରି ଜଣ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରି ମାମଲାରେ ଫସିଛନ୍ତି। ମାଡ଼ ଖାଇଥିବା ଛାତ୍ରଙ୍କ ଅଭିଭାବକଙ୍କ ଏତଲା କ୍ରମେ କଲେଜର ଜଣେ ଅଧ୍ୟାପକ, ଉନ୍ନୟନ ଅଧିକାରୀଙ୍କ ସମେତ ୪ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ଆରିୟନ୍ ଗୁରୁକୁଳରେ ପିଆର୍ଓ ଭାବେ କାର୍ଯ୍ୟରତ ସଦର ଥାନା ଲୋଚାପଡ଼ାର ସୁଜିତ କୁମାର ଦାସ, ମାର୍କେଟିଂ ବିଭାଗରେ କାର୍ଯ୍ୟରତ ଦାରିଙ୍ଗବାଡ଼ି ଥାନା କିରିକୁଟି ଗ୍ରାମର ଅଜିତ କୁମାର ସାହୁ, ସଦର ଥାନା ଗୋବିନ୍ଦବିହାରରେ ରହୁଥିବା ଉନ୍ନୟନ ଅଧିକାରୀ ଜିତେନ୍ଦ୍ର ପ୍ରସାଦ ଭଟ୍ଟ ଓରଫ୍ ଜିତୁ ଏବଂ ବୈଦ୍ୟନାଥପୁର ଥାନା ଅଶୋକନଗର ପ୍ରଥମ ଲାଇନ୍ରେ ରହୁଥିବା ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଚିନ୍ମୟ ପାଢ଼ୀ ଓରଫ୍ ଚିନୁ। ସଦର ଥାନା ଅଧିକାରୀ ସନ୍ତୋଷିନୀ ଓରାମ୍ଙ୍କ ସୂଚନା ଅନୁଯାୟୀ, ଛାତ୍ରଙ୍କୁ ମାଡ଼ ମାରିବା ଅଭିଯୋଗରେ ପୁଲିସ କେସ୍ ନମ୍ବର ୨୫୧/୧୯ରେ ଏହି ୪ଜଣଙ୍କୁ ଗିରଫ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂଚନା ଅନୁସାରେ ଗତ ୨୬ତାରିଖରେ ଆରିୟନ୍ ଗୁରୁକୁଳର ଯୁକ୍ତଦୁଇ ଦ୍ବିତୀୟ ବର୍ଷରେ ପାଠ ପଢ଼ୁଥିବା ଜଣେ ଛାତ୍ର ହଷ୍ଟେଲରୁ ନିଖୋଜ ହୋଇ ଯାଇଥିଲେ। ତାଙ୍କୁ ବହୁ ଖୋଜାଖୋଜି ପରେ ତାଙ୍କର ପତ୍ତା ମିଳି ନ ଥିଲା। ଏ ନେଇ ତାଙ୍କର ବାପା କଲେଜରେ ପହଞ୍ଚି ପୁଅ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ। ହେଲେ କଲେଜ ତରଫରୁ ସେ କୌଣସି ସନ୍ତୋଷଜନକ ଉତ୍ତର ନ ପାଇବାରୁ ସଦର ଥାନାରେ ଅଭିଯୋଗ କରିଥିଲେ। ସେପଟେ ନିଖୋଜ ଘଟଣାରେ ହଷ୍ଟେଲର ଅନ୍ୟ ୪ଜଣ ଛାତ୍ରଙ୍କ ହାତ ଥିବା ଅଭିଯୋଗ କରି ସେମାନଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା।