ଭୁବନେଶ୍ବର : ଆସନ୍ତାକାଲି ବିଧାନସଭାର ଗୃହ କମିଟି ସମ୍ମୁଖରେ ହାଜର ହୋଇପାରନ୍ତି ଅଭିଜିତ ଆୟାର ମିତ୍ର। ଏଥିପାଇଁ ତାଙ୍କୁ କଡ଼ା ସୁରକ୍ଷା ଯୋଗାଇ ଦେବାକୁ ପୁଲିସ କମିସନର ସତ୍ୟଜିତ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି। ଅଭିଜିତ ଓଡ଼ିଶାର ବିଧାୟକମାନଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଥିଲେ। ଏହାର ତଦନ୍ତ ପାଇଁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଗୃହ କମିଟି ଅଭିଜତଙ୍କୁ ୧୧ତାରିଖ (ଗୁରୁବାର) ହାଜର ହେବାକୁ ନୋଟିସ୍ କରିଥିଲା। କୋଣାର୍କ ମନ୍ଦିର ସଂପର୍କରେ ଅଶାଳୀନ ମନ୍ତବ୍ୟ ଦେବା ଘଟଣାରେ କିଛି ଦିନ ତଳେ ଅଭିଜିତ କୋଣାର୍କ ଥାନାରେ ହାଜର ହେବାର ଥିଲା। ଅଭିଜତ ପୁରୀ ଏସ୍ପିଙ୍କୁ ସୁରକ୍ଷା ମାଗିଥିଲେ। କିନ୍ତୁ ଅବଧି ଗଡ଼ି ଯାଇଥିଲେ ହେଁ ଅଭିଜିତ ଥାନାରେ ହାଜର ହୋଇ ନ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ଅଭିଜିତଙ୍କ ଅନ୍ତରୀଣ ଜାମିନ୍ ଅବଧି ଗତ ୫ ତାରିଖରୁ ଶେଷ ହୋଇଥିବା ବେଳେ ସୁପ୍ରିମକୋର୍ଟ ତାଙ୍କ ଜାମିନ ଆେବଦନକୁ ଖାରଜ କରିଛନ୍ତି। ତାଙ୍କ ପାଇଁ ଜେଲ୍ ହିଁ ସୁରକ୍ଷିତ ସ୍ଥାନ ବୋଲି ସୁପ୍ରିମକୋର୍ଟ ଭର୍ତ୍ସନା କରି କହିଥିଲେ। କୋର୍ଟଙ୍କ ନିର୍ଦେଶ ମୁତାବକ, ଗତ ୫ ତାରିଖରେ ଅଭିଜିତ କୋଣାର୍କ ଥାନାରେ ହାଜର ହେବା କଥା। କିନ୍ତୁ ଅଭିଜିତ ଏବେ ଫେରାର ହୋଇଯାଇଛନ୍ତି। ଯାହାକୁ ନେଇ ଆସନ୍ତାକାଲି ସେ ଗୃହ କମିଟି ନିକଟରେ ହାଜର ହେବା ନେଇ ପ୍ରଶ୍ନ ମଧ୍ୟ ଉଠିଛି।
ପ୍ରକାଶଥାଉକି, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଣ ଓଡ଼ିଆ ବନ୍ଧୁ ଅଭିଜିତ କୋଣାର୍କ ମନ୍ଦିର, ଶ୍ରୀ ଜଗନ୍ନାଥ, ଓଡ଼ିଶା ଓ ଓଡ଼ିଶାର ଆଇନପ୍ରଣେତାମାନଙ୍କ ସମ୍ପର୍କରେ ଭିତ୍ତିହୀନ ଓ କଟୁ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏ ନେଇ କୋଣାର୍କ ଥାନାରେ ଅଭିଜିତଙ୍କ ବିେରାଧରେ ମାମଲା ରୁଜୁ ହୋଇଥିଲା। ପରେ ବିଧାନସଭା ଗୃହ କମିଟି ଏହାର ବିଚାର କରି ଆସନ୍ତାକାଲି (ଗୁରୁବାର) ହାଜର ହେବାକୁ ନୋଟିସ୍ ଦେଇଥିଲା।