ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାର ଖନ୍ତାପଡ଼ା ଥାନା ଅଞ୍ଚଳରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁଘର୍ଟଣା ଘଟିଥିବା ଜଣାଯାଇଛି। ଏଥିରେ ବାପ-ପୁଅ ଏବଂ ଜଣେ ରୋଷେୟାଙ୍କର ମୃତ୍ୟୁ ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ୧୧ଟା ସମୟରେ ପୁରୀ ବାଲି ସାହିର ୨୭ଜଣ ଲୋକ ଏକାଠି ଏକ ଟଭେରା ଗାଡ଼ିରେ ପୁରୀରୁ ମୟୁରଭଞ୍ଜ ଅଭିମୁଖେ ବାହାରିଥିଲେ। ସେମାନେ ମୟୁରଭଞ୍ଜ ଜିଲ୍ଲାର ଉଦଳାରେ ଥିବା ଦେବକୁଣ୍ଡ, ବାଲେଶ୍ୱରର ପଞ୍ଚ ଲିଙ୍ଗେଶ୍ବର ଏବଂ ରେମୁଣାର କ୍ଷୀରଚୋରା ଗୋପିନାଥ ମନ୍ଦିର ଆଦି ଦର୍ଶନ କରିବାକୁ ବାହାରିଥିଲେ।
ଭୋର ସାଢ଼େ ୪ଟା ସମୟରେ ଟଭେରା ଗାଡିଟି ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଟୋଲ ପ୍ଲାଜା ନିକଟରେ ଥିବା ଜଗନ୍ନାଥ ପେଟ୍ରୋଲ ପମ୍ପ ପାଖରେ ଠିଆ ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଏହା ଫଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଏହା ଜାଣିବାପରେ ସ୍ଥାନୀୟ ଲୋକେ ଆହତମାନଙ୍କୁ ଏନ ଏଚ୍ ଆଇ ବି ଆମ୍ବୁଲାନସରେ ବାଲେଶ୍ୱର ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।
ସେଠାରେ ଡାକ୍ତର ପ୍ରଥମେ ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ସେମାନେ ହେଲେ ଗଙ୍ଗାଧର ଦାସ (୬୨) ଏବଂ ତାଙ୍କ ପୁଅ ତ୍ରିନାଥ ଦାସ(୪୦)। ପରେ ସେଠାରେ ଚିକିତ୍ସାଧୀନ ଥିବା ରୋଷେୟା ବାପି ମିଶ୍ର(୪୫) ମୃତ୍ୟୁବରଣ କରିଥିବା ଜଣାଯାଇଛି। ୧୦ ଜଣ ଆହତଙ୍କ ଭିତରୁ ୪ଜଣଙ୍କର ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ଦୁର୍ଘଟଣା ଘଟାଇବାପରେ ଗାଡ଼ିଚାଳକ ଫେରାର ହୋଇଯାଇଥିବା ଜଣାଯାଇଛି।