ଭୁଲର ପୁନରାବୃତ୍ତି ବଗି ଛାଡ଼ି ପଳାଇଲା

ପୁରୀ: ପୁଣି ଭୁଲର ପୁନରାବୃତ୍ତି। ଏକ ପାସେଞ୍ଜର ଟ୍ରେନ୍‌ ବଗି ଛାଡ଼ି କିଛି ବାଟ ପଳାଇବା ପରେ ପୁଣି ଷ୍ଟେସନ୍‌କୁ ଫେରି ଛାଡ଼ି ଯାଇଥିବା ବଗିକୁ ନେଇ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଛି। ଏଥି ପାଇଁ ଟ୍ରେନ୍‌ଟି ଅଧଘଣ୍ଟା ବିଳମ୍ବରେ ଛାଡ଼ିଥିଲା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ରେଳ ଷ୍ଟେସନ୍‌ରେ। ଯାହାକୁ ନେଇ ଯାତ୍ରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ରେଳବାଇ କର୍ତ୍ତୃପକ୍ଷ ଏହାକୁ କର୍ମଚାରୀଙ୍କ ଭୁଲ୍‌ ବୋଲି ଦର୍ଶାଇଛି। ପ୍ରତିଦିନ ସକାଳ ୮ଟାରେ ପୁରୀରୁ କଟକକୁ ଏକ ପାସେଞ୍ଜର ଟ୍ରେନ୍‌ ଯାତ୍ରା କରିଥାଏ। ପ୍ରତିଦିନ ଭଳି ଆଜି ସକାଳେ ଟ୍ରେନ୍‌ଟି ପୁରୀ ଷ୍ଟେସନ୍‌ରୁ କଟକ ଅଭିମୁଖେ ଯାତ୍ରା କରିଥିଲା। ଯାତ୍ରୀମାନଙ୍କ କହିବା ଅନୁସାରେ, ଟ୍ରେନ୍‌ଟି ଆଜି ଯେତିକି ବଗି ନେବା କଥା ସେତିକି ନନେଇ ଷ୍ଟେସନ୍‌ ଛାଡ଼ି ପଳାଇଥିଲା। ଏହି ପାସେଞ୍ଜର ଟ୍ରେନ୍‌ରେ ୧୦ରୁ ଅଧିକ ବଗି ଯିବାର ଥିବାବେଳେ ଏଥିରୁ ୩ଟି ବଗି ଷ୍ଟେସନ୍‌ରେ ଛାଡ଼ି ଗନ୍ତବ୍ୟସ୍ଥଳ ଅଭିମୁଖେ ପଳାଇଥିଲା। ଯେଉଁ ତିନୋଟି ବଗି ଟ୍ରେନ୍‌ଟି ଛାଡ଼ି ପଳାଇଥିଲା ସେଥିରେ ଯାତ୍ରୀମାନେ ଆଗରୁ ବସି ସାରିଥିଲେ। ଷ୍ଟେସନ୍‌ ଛାଡ଼ି କିଛି ବାଟ ଆଗକୁ ଯିବା ପରେ ଯାତ୍ରୀମାନେ ଟ୍ରେନ୍‌ ପଳାଇବା କଥା ଜାଣି ହୋହାଲ୍ଲା କରିଥିଲେ। ପରେ ରେଳବାଇ କର୍ତୃପକ୍ଷ ପାସେଞ୍ଜର ଟ୍ରେନ୍‌ର ଡ୍ରାଇଭରଙ୍କ ସହ ଯୋଗାଯୋଗ କରିଥିଲେ। ଡ୍ରାଇଭର ପୁନର୍ବାର ଟ୍ରେନ୍‌ଟି ପ୍ଲାଟ୍‌ଫର୍ମକୁ ଫେରାଇ ଆଣିଥିଲେ। ଛାଡ଼ି ଯାଇଥିବା ତିନି ବଗିକୁ ସଂଯୋଗ କରାଯିବା ପରେ ଟ୍ରେନ୍‌ଟି ପୁନର୍ବାର କଟକ ଅଭିମୁଖେ ଯାତ୍ରା କରିଥିଲା। ଏଥିପାଇଁ ସକାଳ ୮ଟାରେ ଛାଡ଼ିବାକୁ ଥିବା ଟ୍ରେନ୍‌ଟି ୨୫ ମିନିଟ୍‌ ବିଳମ୍ବ ଅର୍ଥାତ୍‌ ୮ଟା ୨୫ରେ ଷ୍ଟେସନ୍‌ ଛାଡ଼ିଥିଲା।

ସମ୍ବନ୍ଧିତ ଖବର