କୃଷି ବିଭାଗ କାହା ପାଇଁ?

ଭୁବନେଶ୍ୱର : କାହିଁକି ଚାଷୀ ପାଖରେ ପହଞ୍ଚିପାରୁନି ସରକାରୀ ଯୋଜନା? ଚାଷୀଙ୍କ ସଂପର୍କରେ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ କୃଷି ବିଜ୍ଞାନୀଙ୍କ ଗବେଷଣା? କୃଷି ନିର୍ଦେଶାଳୟ, ଉଦ୍ୟାନ କୃଷି ନିର୍ଦେଶାଳୟ, ମୃତ୍ତିକା ସଂରକ୍ଷଣ ନିର୍ଦେଶାଳୟ କାମ କରୁଛି ତ? ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ରାଜ୍ୟ ବିହନ ନିଗମ, ଓଡ଼ିଶା କୃଷିର ଉନ୍ନତି ଓ ପୁଞ୍ଜି ଲଗାଣ ନିଗମ ଲିମିଟେଡ୍‌ (ଆପିକଲ୍‌), ଓଡ଼ିଶା ରାଜ୍ୟ ବିହନ ଓ ଜୈବ ଉତ୍ପାଦନ ପ୍ରମାଣନ ସଂସ୍ଥା ଏବଂ କୃଷି ସଂପ୍ରସାରଣ ପ୍ରରିଚାଳନା ପ୍ରତିଷ୍ଠାନ (ଇମେଜ୍‌), ଓଡ଼ିଶା କାଜୁ ଉନ୍ନୟନ ନିଗମ କାହା ପାଇଁ କରାଯାଇଥିଲା?

ଚାଷୀ ଓ ଚାଷ ସମସ୍ୟା ନେଇ ଆଲୋଚନା ଯେତେ ଜୋର ଧରୁଛି, ଏସବୁ ପ୍ରଶ୍ନ ବୁଦ୍ଧିଜୀବୀ ମହଲକୁ ସମଭାବରେ ସେତିକି ଅଧିକ ଆନ୍ଦୋଳିତ କରୁଛି। ବାସ୍ତବରେ ଯୋଜନା ପ୍ରଣୟନରେ ତ୍ରୁଟି ରହିଛି ନା କୃଷି ବିଭାଗକୁ ଦୁର୍ନୀତି ଚରିଗଲାଣି, ଯାହା ଫଳରେ କୋଟି କୋଟି ଟଙ୍କାର ବଜେଟ୍‌ ଅର୍ଥରେ କାଗଜପତ୍ରରେ ଖର୍ଚ୍ଚ ହେଉଛି। ଏହାକୁ ନେଇ ଏବେ ତର୍ଜମା ଆରମ୍ଭ ହେଲାଣି। ପ୍ରଶାସନିକ ଅଧିକାରୀମାନଙ୍କର କହିବା

କଥା ହେଉଛି, ରାଜ୍ୟ ସରକାରଙ୍କ କୃଷି ପ୍ରତି ଅତ୍ୟନ୍ତ ଦୁର୍ବଳ ଆଭିମୁଖ୍ୟ ପ୍ରଦର୍ଶନ କରି ଆସୁଛନ୍ତି। ଓଡ଼ିଶାର କୃଷି ସଂପର୍କରେ ଅଭିଜ୍ଞ ଲୋକ କୃଷି ବିଭାଗରେ ସ୍ଥାନ ପାଉନାହାନ୍ତି। ଯଦି ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଭାବେ ଜଣେ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଉଛି, ତେବେ କୃଷି ବିଭାଗରେ କୃଷି ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବା ଲାଗି ସରକାର କାହିଁକି ଆଗ୍ରହ ପ୍ରକାଶ କରୁନାହାନ୍ତି ତାହା ବୁଝାପଡୁନାହିଁ। ନିକଟରେ ସରକାର କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିଥିବା ବରିଷ୍ଠ ଆଇଏଏସ୍‌ ଅଫିସର ସୌରଭ ଗର୍ଗଙ୍କୁ କୃଷି ସଚିବ ଭାବେ ଦାୟିତ୍ୱ ଦେଇଛନ୍ତି। ଶ୍ରୀ ଗର୍ଗ କେନ୍ଦ୍ରକୁ ଯିବା ପୂର୍ବରୁ ଶିଳ୍ପ ଭଳି ଓଜନିଆ ବିଭାଗ ଦାୟିତ୍ୱରେ ଥିଲେ। ଅର୍ଥାତ୍‌ ଦୀର୍ଘ ବର୍ଷ ଧରି ତାଙ୍କର କୃଷି ବିଭାଗ ସହିତ ଆଦୌ ସଂପର୍କ ନାହିଁ। ହେଲେ ଏଭଳି ନିଯୁକ୍ତି କାହିଁକି ଦିଆଗଲା ତାହା ପ୍ରଶାସନିକ ଅଧିକାରୀଙ୍କୁ ବିସ୍ମିତ କରୁଛି। ସେହିଭଳି ସ୍ୱତନ୍ତ୍ର ସଚିବ ଭାସ୍କର ଜ୍ୟୋତି ଶର୍ମା, ନିର୍ଦେଶକ ହରିବଲ୍ଲଭ ମିଶ୍ରଙ୍କ ଠାରୁ ଆରମ୍ଭ କରି ଅତିରିକ୍ତ ସଚିବ ପାହ୍ୟାରେ ଆହୁରି ୩ ଆଇଏଏସ୍‌ ଅଫିସର ଅଛନ୍ତି। ସେହିଭଳି ଜଙ୍ଗଲ ସେବା ଅଧିକାରୀଙ୍କୁ ଉଦ୍ୟାନ କୃଷି ବିଭାଗରେ ରଖାଯାଉଛି। ଏହାବ୍ୟତୀତ ମୁଖ୍ୟଶାସନ ସଚିବ ପାହ୍ୟାର ଅଫିସର ଗଗନ ବିହାରୀ ଧଳ ହେଉଛନ୍ତି କୃଷି ଉତ୍ପାଦନ କମିସନର।

ବିଭାଗର ଉପରସ୍ତରରେ ଏମିତି ଅଫିସରଙ୍କୁ ନିଯୁକ୍ତି ଦେଇ ଅଧିକରୁ ଅଧିକ ଓଜନିଆ କରାଯାଉଛି ଓ ସରକକାର ଜଣାଇବାକୁ ଚାହୁଁଛନ୍ତି ଯେ କୃଷି ବିଭାଗ ସରକାରଙ୍କ ଫୋକସ୍‌ରେ ଅଛି। ହେଲେ କୃଷି ବିଜ୍ଞାନୀଙ୍କ ସ୍ଥାନ କେଉଁଠି ତାହା କେହି ଜାଣିପାରୁନାହାନ୍ତି। କେବଳ ସେତିକି ନୁହେଁ, ତୃଣମୂଳସ୍ତରରେ ପୁଳା ପୁଳା ପଦବି ଖାଲି ରହିଛି।

ଅନ୍ୟପକ୍ଷରେ କୃଷି ବିଭାଗ ସଂଲଗ୍ନ ନିଗମ ଗୁଡିକର ଦକ୍ଷତା ଚାଷୀଙ୍କ ପାଇଁ ବୋଝ ଭଳି ହେଲାଣି। ଚାଷୀଙ୍କ ନିକଟରେ କମ୍‌ ଦିନର ତଥା ଭଲ ଫଳୁଥିବା ବିହନ ପହଞ୍ଚାଇବାରେ ସଂପୃକ୍ତ ନିଗମ କିଭଳି କାମ କରୁଛି, ସେ ନେଇ ନା ବିରୋଧୀ ଦଳ ପ୍ରଶ୍ନ କରୁଛି ନା ବିଧାନସଭାରେ ଆଲୋଚନା ହେଉଛି। ସେହିଭଳି ଇମେଜ୍‌ ସଂସ୍ଥା କୃଷି ସଂପ୍ରସାରଣ କ୍ଷେତ୍ରରେ କେତେ ଦୂର ପ୍ରଭାବୀ ହୋଇଛି, କେତେ ଚାଷୀଙ୍କୁ ନୂଆ କୌଶଳ ସଂପର୍କରେ ସରକାର ପ୍ରଶିକ୍ଷିତ କଲେଣି, ସେ ସଂପର୍କରେ ବି କାହାର ଦୃଷ୍ଟି ନାହିଁ।

ଉଲ୍ଲେଖଥାଉକି, ଖର୍ଚ୍ଚ କରିବାରେ ଅନ୍ୟ ବିଭାଗ ଭଳି କୃଷି ବିଭାଗ ବି ବେଶ୍‌ ଆଗରେ ରହିଛି। ଅଧିକାଂଶ କ୍ଷେତ୍ରରେ ଶତପ୍ରତିଶତ ଖର୍ଚ୍ଚ ହେଉଥିବା ବିଭାଗ ଦର୍ଶାଉଛି। ହେଲେ ଏହା ଚାଷୀଙ୍କ ନିକଟରେ ପହଞ୍ଚୁଛି ନା ଖାସ୍‌ କୃଷି କର୍ମଣ ପୁରସ୍କାର ପାଇବା ପାଇଁ ଏମିତି କସରତ ହେଉଛି, ତାହା ଆଜି ବି ବୁଦ୍ଧିଜୀବୀ ମହଲ ପାଇଁ ଅବୁଝା ବା ଦୁର୍ବୋଧ୍ୟ ହୋଇ ରହିଛି।

ଉଲ୍ଲେଖଯୋଗ୍ୟ, ତୃତୀୟ ପଞ୍ଚବାର୍ଷିକ ଯୋଜନା ବେଳକୁ ଓଡ଼ିଶାର ଚାଷୀମାନେ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ତୁଳନାରେ ଏକର ପିଛା ଦେଢ଼ ଗୁଣରୁ ଅଧିକ ଉତ୍ପାଦନ କରୁଥିଲେ। କିନ୍ତୁ ସବୁଜ ବିପ୍ଲବ ପରେ ପଞ୍ଜାବ, ହରିୟାଣାର ଚାଷୀମାନେ ୩ରୁ ୪ ଗୁଣ ଅଧିକ ଉତ୍ପାଦନ କରୁଥିବା ବେଳେ ଓଡ଼ିଶା ପଛରେ ପଡିଛି।

ଜାତୀୟ ଜଳସମ୍ପଦର ୧୧ ପ୍ରତିଶତ ଓଡ଼ିଶାରେ ରହିଥିଲେ ହେଁ, ଜଳସେଚନରେ ବି ପଛରେ ରହିଛି ରାଜ୍ୟ। ଓଡ଼ିଶାକୁ ଯେତିକି ଜଳ ମିଳୁଛି ତାହାର ପାଖାପାଖି ୭୦ ପ୍ରତିଶତ କୃଷି କ୍ଷେତ୍ରରେ ବିନିଯୋଗ ନ ହୋଇ ସମୁଦ୍ରରେ ମିଶୁଛି। ରାଜ୍ୟରେ ପାଖାପାଖି ୭୧ ଲକ୍ଷ ହେକ୍ଟର ଚାଷ ଜମି ରହିଛି। ସେଥିରୁ ୬୧ ଲକ୍ଷ ହେକ୍ଟର ଜମିରେ ଚାଷ ହେଉଛି। ବାକି ୧୦ ଲକ୍ଷ ହେକ୍ଟର ଜମିରେ କାହିଁକି ଚାଷ ହେଉନି ସେଥିପ୍ରତି କେହି ଗୁରୁତ୍ୱ ଦେଉନାହାନ୍ତି।

ଗୋଟିଏ ସମୟରେ ପନିପରିବା କ୍ଷେତ୍ରରେ ରାଜ୍ୟ ସ୍ୱାବଲମ୍ବୀ ଥିଲା। ଏବେ ଆଳୁଠାରୁ ଆରମ୍ଭ କରି ପିଆଜ, ଲଙ୍କା ଯାଏ ସବୁ କ୍ଷେତ୍ରରେ ବାହାର ରାଜ୍ୟ ଉପରେ ନିର୍ଭର କରାଯାଉଛି। ସେହିଭଳି ରାଜ୍ୟର ପାଖାପାଖି ୯ରୁ ୧୦ ଲକ୍ଷ ହେକ୍ଟର ଜମିରେ ୨୧ ପ୍ରକାର ବାସ୍ନା ଧାନ ଉତ୍ପାଦନ ହେଉଥିଲା ବେଳେ ସେସବୁର ପୁନରୁଦ୍ଧାର ପାଇଁ କାହାର ନିଘା ନାହିଁ।

ସମ୍ବନ୍ଧିତ ଖବର