ଭୁବନେଶ୍ୱର : ଓଡ଼ିଶାରେ ଚାଷ ଜମିର ପରିମାଣ କେତେ ? ଏହାର ଉତ୍ତର କୃଷି ଓ କୃଷକ ସଶକ୍ତିକରଣ ନିକଟରେ ନାହିଁ। ଉତ୍ତର ନ ଥିବା ନେଇ ମନ୍ତ୍ରୀଙ୍କ ଯୁକ୍ତି ହେଲା, ରାଜସ୍ୱ ବିଭାଗ କିସମ ବଦଳାଉଛି। ତେଣୁ କୃଷି ବିଭାଗ ନିକଟକୁ ତଥ୍ୟ ଆସିବା ସମ୍ଭବ ହେଉନି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ପ୍ରଶ୍ନକାଳରେ ଚାଷ ଜମିର ପରିମାଣ ସମ୍ପର୍କିତ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କ ମୂଳ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଦାମୋଦର ରାଉତ ଏପରି ଉତ୍ତର ରଖିଥିଲେ। ତେବେ ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ବାହିନୀପତି ଏଥିରେ ଅସନ୍ତୋଷ ପ୍ରକାଶ କରି କହିଥିଲେ, ରାଜସ୍ୱ ବିଭାଗରୁ ତଥ୍ୟ ଆଣି ମନ୍ତ୍ରୀ ଉତ୍ତର ରଖିବା କଥା। ଯେଉଁ ବିଭାଗର ଦାୟିତ୍ୱ ଯାହା ହେଉ ପଛେ, ତଥ୍ୟ ଜାଣିବାର ଅଧିକାର ଗୃହର ଅଛି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୨୦୦୭ ମସିହାରେ ରାଜ୍ୟରେ ସମୁଦାୟ ଚାଷ ଜମିର ପରିମାଣ ୬୧.୮୦ ଲକ୍ଷ ହେକ୍ଟର ଥିଲା। ରାସ୍ତାଘାଟ ନିର୍ମାଣ, ଶିଳ୍ପାଞ୍ଚଳ ବୃଦ୍ଧି ଓ ଦ୍ରୁତ ସହରୀକରଣ ପ୍ରକ୍ରିୟା ଯୋଗୁଁ ଚାଷ ଜମିର ପରିମାଣ ଦିନକୁ ଦିନ ହ୍ରାସ ପାଉଛି। ମାତ୍ର ୨୦୧୭ ମସିହାରେ କେତେ ହ୍ରାସ ପାଇଛି, ତାହାର ସମ୍ପୂର୍ଣ୍ଣ ତଥ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ଉତ୍ତର ନାହିଁ। ତେବେ ଏହି ସବୁ କାର୍ଯ୍ୟ ପାଇଁ ବିନିଯୋଗ ହୋଇଥିବା ସବୁ ଜମି ଚାଷ ଜମି ନୁହେଁ। ଚାଷ ଜମିର ପରିମାଣ ହ୍ରାସ ପାଉଥିଲେ ବି ଆଧୁନିକ ଜ୍ଞାନକୌଶଳ ଉପଯୋଗ ମାଧ୍ୟମରେ ଉତ୍ପାଦନ ବୃଦ୍ଧି ପାଉଛି। ବିଧାୟକ ଦିବ୍ୟଶଙ୍କର ମିଶ୍ର, ରବି ନାଏକ ଓ ଶ୍ରୀକାନ୍ତ ସାହୁ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।