ଅନୁବାଦ ପାଇଁ ଅଜୟ ପଟ୍ଟନାୟକଙ୍କୁ ସାହିତ୍ୟ ଅକାଦେମି ପୁରସ୍କାର

ଭୁବନେଶ୍ବର : ୨୦୧୯ର କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ଆଜି ଦିଲ୍ଲୀଠାରେ ଘୋଷିତ ହୋଇଛି। ‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ ପୁସ୍ତକ ପାଇଁ ଏହି ପୁରସ୍କାର ପାଇବେ ବିଶିଷ୍ଟ ଅନୁବାଦକ ଡକ୍ଟର ଅଜୟ କୁମାର ପଟ୍ଟନାୟକ। ଏହି ପୁସ୍ତକରେ ରାଜା ରାଧିକାରମଣ ପ୍ରସାଦ ସିଂହ, ପ୍ରେମଚନ୍ଦ, ୟଶପାଲଙ୍କଠାରୁ ଭୀଷ୍ମ ସାହାଣୀଙ୍କ ପର୍ଯ୍ୟନ୍ତ ୨୫ ଜଣ ବିଶିଷ୍ଟ ହିନ୍ଦୀ ଲେଖକଙ୍କ ପ୍ରତିନିଧିମୂଳକ ହିନ୍ଦୀ ଗଳ୍ପର ଓଡ଼ିଆ ଅନୁବାଦ ସଙ୍କଳିତ ହୋଇଛି।

୧୯୪୯ ମସିହାରେ ଗଞ୍ଜାମ ଜିଲ୍ଲାରେ ଡକ୍ଟର ପଟ୍ଟନାୟକଙ୍କ ଜନ୍ମ। ୧୯୭୬ରେ ହିନ୍ଦୀ ଅଧ୍ୟାପକ ଭାବରେ ବୃତ୍ତିଗତ ଜୀବନ ଆରମ୍ଭ କରି ୨୦୦୭ରେ ସେ ଅବସର ଗ୍ରହଣ କରିଥିଲେ। ତାଙ୍କର ୫ଟି ସମାଲୋଚନା ଗ୍ରନ୍ଥ, ୮ଟି ଓଡ଼ିଆରୁ ହିନ୍ଦୀ ଅନୁବାଦ ପୁସ୍ତକ ଏବଂ ୧୧ଟି ହିନ୍ଦୀରୁ ଓଡ଼ିଆକୁ ଅନୂଦିତ ପୁସ୍ତକ ପ୍ରକାଶିତ। ତାଙ୍କ ଦ୍ବାରା ସଂପାଦିତ ୧୨ ଖଣ୍ଡ ପୁସ୍ତକ କଲେଜରେ ହିନ୍ଦୀ ପାଠ୍ୟକ୍ରମ ଭାବରେ ପ୍ରଚଳିତ। ଏହା ପୂର୍ବରୁ ସେ ୧୯୭୬ ଓ ୧୯୮୬ରେ ଭାରତ ସରକାରଙ୍କ ଦ୍ବାରା ଶ୍ରେଷ୍ଠ ହିନ୍ଦୀ ଲେଖକ ପୁରସ୍କାର, ଡାଲମିଆ ପୁରସ୍କାର, ଆଚାର୍ଯ୍ୟ ରାମଚନ୍ଦ୍ର ଶୁକ୍ଳ ଶିଖର ସମ୍ମାନ, ଉତ୍କଳ ସାହିତ୍ୟ ସମାଜ ଅନୁବାଦ ପୁରସ୍କାର ଏବଂ ମରିସସ୍‌ର ବିଶ୍ବ ହିନ୍ଦୀ ସମ୍ମାନ ଆଦି ଅନେକ ପୁରସ୍କାର ଲାଭ କରିଛନ୍ତି।

ଅନୁବାଦ ପୁରସ୍କାର ପାଇବା ସମ୍ପର୍କରେ ‌ଶ୍ରୀ ପଟ୍ଟନାୟକ କହିଛନ୍ତି, ‘ଅନେକ ବଡ଼ ପୁରସ୍କାର ପାଇଥିଲେ ମଧ୍ୟ ସାହିତ୍ୟ ଅକାଦେମି ପୁରସ୍କାର ପାଇ ନ ଥିବାରୁ ମୋ ମନରେ ଗୋଟେ ଅବସୋସ ଥିଲା। ଜଣେ ସାହିତ୍ୟିକ ପାଇଁ ସାହିତ୍ୟ ଅକାଦେମି ପୁରସ୍କାର ହେଉଛି ସ‌‌େର୍ବାଚ୍ଚ ସମ୍ମାନ। ସାହିତ୍ୟ ଅକାଦେମିର ସ୍ବୀକୃତି ବହୁ ମୂଲ୍ୟବାନ। ତାହା ମିଳିଥିବାରୁ ବହୁତ ଖୁସି ଲାଗୁଛି।’ ଏଥର ଓଡ଼ିଆ ଭାଷାର ଅନୁବାଦ ପୁରସ୍କାର ଚୟନ ପାଇଁ ଗଠିତ ବିଚାରକ ମଣ୍ଡଳୀରେ ଥିଲେ ଡକ୍ଟର ରବୀନ୍ଦ୍ର କୁମାର ପ୍ରହରାଜ, ସୂର୍ଯ୍ୟମଣି ଖୁଣ୍ଟିଆ ଓ ଅମିୟବାଳା ପଟ୍ଟନାୟକ। ଅକାଦେମିର ସଭାପତି ଚନ୍ଦ୍ର‌େଶଖର କମ୍ବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ ବୈଠକ ଅକାଦେମିର ସଚିବ କେ. ଶ୍ରୀନିବାସ ରାଓ ଏହି ପୁରସ୍କାର ଘୋଷଣା କରିଥିଲେ। ଏହି ପୁରସ୍କାର ବାବଦକୁ ୫୦ ହଜାର ଟଙ୍କା ଓ ତାମ୍ରଫଳକ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର