ବିଦ୍ୟୁତ୍‌ ବିତରଣରେ ଘରୋଇକରଣକୁ ବିରୋଧ : ଏଆଇପିଇଏଫ୍‌ର ଆନ୍ଦୋଳନ ଧମକ

ଭୁବନେଶ୍ବର : ବିଦ୍ୟୁତ୍‌ ବିତରଣକାରୀ ସଂସ୍ଥା ‘ସେସୁ’ ସମେତ ସାଉଥକୋ, ଗ୍ରୀଡ୍‌କୋ, ୱେସ୍‌କୋର ଘରୋଇକରଣ ପ୍ରକ୍ରିୟାକୁ ‘ଅଖିଳ ଭାରତୀୟ ବିଦ୍ୟୁତ୍‌ ଇଞ୍ଜିନିୟର ମହାସଂଘ’ (ଏଆଇପିଇଏଫ୍‌) ବିରୋଧ କରିବା ସହ ଏହା ବିରୋଧରେ ଆନ୍ଦୋଳନ ଚେତାବନୀ ଦେଇଛି। ଅତୀତରେ ଓଡ଼ିଶାରେ ବିଦ୍ୟୁତ୍‌ ସେକ୍ଟରରେ ଘରୋଇକରଣ କରାଯାଇଥିଲା ଏବଂ ଏହା ଫଳରେ ରାଜ୍ୟ ସରକାରଙ୍କୁ ଯେଉଁ ହଟହଟା ଭୋଗିବାକୁ ପଡ଼ିଥିଲା, ତାହା ବୋଧହୁଏ ସରକାର ଭୁଲିଗଲେଣି ବୋଲି ମହାସଂଘ କ୍ଷୋଭ ପ୍ରକାଶ କରିଛି। ଏଣୁ ତୁରନ୍ତ ସରକାର ଘରୋଇକରଣ ନିଷ୍ପତ୍ତିରୁ ଓହରିବାକୁ ସଂଘର ଅଧ୍ୟକ୍ଷ ଶୈଳେନ୍ଦ୍ର ଦୁବେ ଦାବି କରିଛନ୍ତି। ୧୯୯୯ ମସିହାର ବିଦ୍ୟୁତ୍‌କରଣ ବ୍ୟବସ୍ଥାର ଘରୋଇକରଣ କରିବା ପରେ ଏହା ବିଫଳ ହୋଇଥିଲା। ୨୦୦୧ରେ ଏଇଏସ୍‌ କଂପାନୀ ରାଜ୍ୟ ଛାଡ଼ି ପଳାଇ ଯାଇଥିବାବେଳେ ଅନ୍ୟ ତିନୋଟି ବିତରଣ କଂପାନୀର କ୍ଷତି ଯୋଗୁଁ ୨୦୧୫ରେ ସେମାନଙ୍କ ଲାଇସେନ୍‌ସ ରଦ୍ଦ କରାଯାଇଥିଲା। ଘରୋଇକରଣ ଯୋଗୁଁ ଏଥିରେ କାର୍ଯ୍ୟରତ ଇଞ୍ଜିନିୟର, କର୍ମଚାରୀଙ୍କ ସମେତ ବିଦ୍ୟୁତ୍‌ ଉପଭୋକ୍ତା ପ୍ରଚୁର ମାତ୍ରାରେ କ୍ଷତି ସହିବେ। ଏ ନେଇ ପୂର୍ବରୁ ‘ଅଖିଳ ଭାରତୀୟ ବିଦ୍ୟୁତ୍‌ ଇଞ୍ଜିନିୟର ମହାସଂଘ’ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଣୁ ସରକାର ବିଦ୍ୟୁତ୍‌ ବିତରଣକାରୀ ସଂସ୍ଥାର ଘରୋଇକରଣ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ମହାସଂଘ ଦାବି କରିଛି।

ସମ୍ବନ୍ଧିତ ଖବର