ଭୁବନେଶ୍ବର : ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ଜିଲ୍ଲାର ୭ଟି ବ୍ଲକ୍ର ୧୪୫ ପଞ୍ଚାୟତ ପାଇଁ ୧୩୪୦ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ୍ଗୁଡ଼ିକ ହେଲା ନୟାଗଡ଼ ଜିଲ୍ଲାର ରଣପୁର, ଯାଜପୁର ଜିଲ୍ଲାର ବରି, ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା, ଅନୁଗୁଳ ଜିଲ୍ଲାର କିଶୋରନଗର, ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଓ ସୁକ୍ରୁଲି ବ୍ଲକ୍। ମୋଟ୍ ପ୍ରକଳ୍ପର ମୂଲ୍ୟ ରହିଛି ୩୩.୩୦ କୋଟି ଟଙ୍କା।
Sambad is now on WhatsApp
Join and get latest news updates delivered to you via WhatsApp
ରଣପୁର ବ୍ଲକ୍ର ୩୭ଟି ପଞ୍ଚାୟତ ପାଇଁ ୮ କୋଟି ଟଙ୍କାରେ ୩୪୨ଟି ପ୍ରକଳ୍ପ, ବରି ବ୍ଲକ୍ର ୨୯ଟି ପଞ୍ଚାୟତ ପାଇଁ ୩ କୋଟି ଟଙ୍କାରେ ୧୬୫ଟି ପ୍ରକଳ୍ପ, ଚିତ୍ରକୋଣ୍ଡା ବ୍ଲକ୍ର ୧୮ଟି ପଞ୍ଚାୟତ ପାଇଁ ୪.୨୮ କୋଟି ଟଙ୍କାରେ ୧୯୬ଟି ପ୍ରକଳ୍ପ, କିଶୋରନଗର ବ୍ଲକ୍ର ୨୩ଟି ପଞ୍ଚାୟତ ପାଇଁ ୫ କୋଟି ଟଙ୍କାରେ ୧୮୬ଟି ପ୍ରକଳ୍ପ, ନନ୍ଦାହାଣ୍ଡି ବ୍ଲକ୍ର ୧୧ଟି ପଞ୍ଚାୟତ ପାଇଁ ୨.୭୫ କୋଟି ଟଙ୍କାରେ ୧୪୯ଟି ପ୍ରକଳ୍ପ, କୁଳିଆଣି ବ୍ଲକ୍ର ୧୭ଟି ପଞ୍ଚାୟତ ପାଇଁ ୪.୦୯ କୋଟି ଟଙ୍କାରେ ୧୪୨ଟି ପ୍ରକଳ୍ପ ଓ ସୁକ୍ରୁଲି ବ୍ଲକ୍ର ୧୦ଟି ପଞ୍ଚାୟତ ପାଇଁ ୨ କୋଟି ଟଙ୍କାରେ ୮୬ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସା˚ସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ରାଜ୍ୟର ୨୪୮ଟି ବ୍ଲକ୍ର ୫୪୨୧ଟି ଗ୍ରାମ ପଞ୍ଚାୟତ ସହିତ ଆଲୋଚନା ମାଧୢମରେ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏ ପର୍ଯ୍ୟନ୍ତ ୫୦,୦୭୩ଟି ପ୍ରକଳ୍ପ ପାଇଁ ୧୨୩୪.୩୪ କୋଟି ଟଙ୍କା ମଞ୍ଜୁର କରାଯାଇଛି।
ଆଜିର ବୈଠକରୁ ମିଳିିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ୍ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମର ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ସବୁଠାରୁ ଆଗରେ ରହିଛି। ୧୭୦ ଦିନ ମଧ୍ୟରେ ଧର୍ମଶାଳା ବ୍ଲକ୍ରେ ୩.୭୬ କୋଟି ଟଙ୍କାର ୧୧୯ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଏହି ବ୍ଲକ୍ର ଜନସାଧାରଣଙ୍କ ଦକ୍ଷତା ଓ କାର୍ଯ୍ୟକ୍ରମ ପ୍ରତି ଆନ୍ତରିକତାରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହ ପଞ୍ଚାୟତ ପ୍ରତିନିଧି ଓ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି।