ଟ୍ରକ୍‌ ପଛରେ ଧକ୍କା ଖାଇଲା ଆମ୍ବୁଲାନ୍‌ସ୍‌; ୩ ମୃତ, ୪ ଆହତ

ଯାଜପୁର/ବରୀ: ରବିବାର ବିଳମ୍ବିତ ରାତ୍ରୀରେ ବଡ଼ଚଣା ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ବନ୍ଦୋଳ ନିକଟରେ ଗୋଟାଏ ଆମ୍ବୁଲାନ୍‌ସ୍‌ ଗୋଟାଏ ଟ୍ରକ୍‌ ପଛରେ ଧକ୍କା ଖାଇବାରୁ ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୪ ଜଣ ସାଙ୍ଘାତିକ ଆହତ ହୋଇଛନ୍ତି।

ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ୧୦୮ ଆମ୍ବୁଲାନ୍‌ସ୍‌ଟି ବିଷ ଖାଇ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ଜଣେ ମହିଳାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନେଇ କଟକ ବଡ଼ ଡାକ୍ତରଖାନାକୁ ଯାଉଥିଲା।

ବିଷ ଖାଇଥିବା ମହିଳା ଜଣକ ଦଶରଥପୁରର ଛତ୍ରପଡ଼ା ଅଞ୍ଚଳର। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ଉନ୍ନତ ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା।

ରାତ୍ରୀ ପ୍ରାୟ ୨ଟା ବେଳେ ଆମ୍ବୁଲାନ୍‌ସ୍‌ଟି ରାସ୍ତାପାର୍ଶ୍ୱରେ ଠିଆ ହୋଇଥିବା ଗୋଟାଏ ଟ୍ରକ୍‌ ପଛରେ ଧକ୍କା ଖାଇଥିଲା।

ଘଟଣାସ୍ଥଳରେ ହିଁ ଆମ୍ବୁଲାନ୍‌ସ୍‌ର ହେଲ୍‌ପର୍‌ ରଞ୍ଜିତ କୁମାର ମଲିକ ଏବଂ ବିଷ ଖାଇଥିବା ମହିଳାଙ୍କର ମୃତ୍ୟୁ ଘଟିଥିଲା।

ଆମ୍ବୁଲାନ୍‌ସ୍‌ ଚାଳକ ମଙ୍ଗଳପୁର ଥାନା ଅନ୍ତର୍ଗତ ପ୍ରୀତିପୁର ଅଞ୍ଚଳର ୩୦ ବର୍ଷିୟ ଗଗନ କୁମାର ମହାନ୍ତି, ଗାଡ଼ିରେ ଥିବା ଫାର୍ମାସିଷ୍ଟ୍‍, ବିଷଖିଆ ମହିଳାଙ୍କ ପୁଅ ଏବଂ ନାତି ସାଙ୍ଘାତିକ ଆହତ ହୋଇଥିଲେ। ଚିକିତ୍ସା ନିମନ୍ତେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ନାତିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଏପର୍ଯ୍ୟନ୍ତ ବିଷଖିଆ ମହିଳା ଏବଂ ତାଙ୍କ ପରିବାର ବିଷୟରେ ସବିଶେଷ ତଥ୍ୟ ହସ୍ତଗତ ହୋଇ ନାହିଁ।

ଆଜି ସକାଳୁ ବଡ଼ଚଣା ପୁଲିସ ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍‌ସ୍‌ଟିକୁ ରାସ୍ତାରୁ ଉଠାଇ ନେଇ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ଟ୍ରକ୍‌ଟି ପଳାଇ ଯାଇଛି।

ସମ୍ବନ୍ଧିତ ଖବର