ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପି ଶିବିର ବେଶ୍ ଉତ୍ସାହିତ ଅଛି। ମୋଦୀ ଯିବାର ୪୮ ଘଣ୍ଟା ନ ପୂରୁଣୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି। ପୁରୀରେ ଦଳର ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସେ ଯୋଗ ଦେବେ। ଅମିତ ଆସିବା ପୂର୍ବରୁ ଆଜି ଟ୍ଵିଟର୍ ଯୋଗେ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରିଛନ୍ତି। ଆୟୁଷ୍ମାନ୍ ଭାରତକୁ ଓଡ଼ିଶା ସରକାର ଲାଗୁ କରୁ ନ ଥିବାରୁ ତାହାକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗତକାଲି ଦୁଇ ଦୁଇଟି ସଭାରେ ସିଧାସଳଖ ସମାଲୋଚନା କଲେ। ମୋଦୀଙ୍କ ଏହି ସମାଲୋଚନାକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ଯଦିଓ ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାହାର ଜବାବ ଦେଇଛନ୍ତି, ତେବେ ଏହାକୁ ନେଇ ବିଜେଡି-ବିଜେପି ମୁକାବିଲା ପରିସ୍ଥିତିକୁ ଆସି ଯାଇଛନ୍ତି। ଠିକ୍ ଏହି ସମୟରେ ଦଳକୁ ଆହୁରି ଚଳଚଞ୍ଚଳ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆସନ୍ତାକାଲି ମାର୍ଗଦର୍ଶନ ଦେବେ। ସେ ମୋଦୀଙ୍କ ଠାରୁ ଆଉ ଦୁଇ ପାଦେ ଆଗକୁ ଯାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବେ ବୋଲି ଆଜି ତାଙ୍କ ଟ୍ଵିଟ୍ରୁ ଆଭାସ ମିଳୁଛି।
ଓଡ଼ିଆ ଭାଷାରେ ହୋଇଥିବା ଏହି ଟ୍ଵିଟ୍ରେ ଅମିତ ଆଜି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ବିଶ୍ୱର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ଯୋଜନା ‘ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଆୟୁଷ୍ମାନ ଭାରତ’କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଜର ରାଜନୈତିକ ସ୍ୱାର୍ଥ ଅଥବା ବିଦ୍ୱେଷ କାରଣରୁ ଏହି ସୁବିଧାରୁ ରାଜ୍ୟବାସୀଙ୍କୁ ବଞ୍ଚିତ ରଖିବା ଦୁଃଖଦ ଓ ନିନ୍ଦନୀୟ ଅଟେ। ବିଜେଡିର ସଂକୀର୍ଣ୍ଣ ମାନସିକତା କାରଣରୁ ଓଡ଼ିଶାର ଗରିବ ଜନତାଙ୍କୁ ଏହି ଯୋଜନାର ଲାଭ ମିଳିପାରୁ ନାହିଁ।
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅମିତ କହିଛନ୍ତି, ଆପଣଙ୍କୁ ଆପଣଙ୍କର ଏହିଭଳି ହୀନ ରାଜନୀତି ପାଇଁ ଜନତାଙ୍କୁ ଜବାବ ଦେବାକୁ ପଡ଼ିବ। ବିଜେପିର କାର୍ଯ୍ୟକର୍ତ୍ତାମାନେ ଆପଣଙ୍କର ଏହି ଗରିବ ବିରୋଧୀ ରାଜନୀତି ବିରୋଧରେ ପ୍ରତ୍ୟେକ ଘରକୁ ଯାଇ ଜନତାଙ୍କୁ ସେମାନଙ୍କ ଅଧିକାର ପାଇଁ ଜାଗ୍ରତ କରିବେ।
ଆଜି ସନ୍ଧ୍ୟାରେ ପୁରୀ ଠାରେ ଆରମ୍ଭ ହୋଇଥିବା ତିନି ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଆସନ୍ତାକାଲି ଅମିତ ଶାହ ଯୋଗ ଦେବେ। ସେ ସକଳ ୧୦ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ପୁରୀ ଯିବେ। ଭୁବନେଶ୍ୱର-ପୁରୀ ରାସ୍ତାର ବିଭିନ୍ନ ସ୍ଥାନରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୧୨ଟା ୨୫ରେ ଶରଧାବାଲିଠାରେ ଅନୁଷ୍ଠିତ ହେବାକୁ ଥିବା ମହିଳା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଏହା ପରେ ସେ ଅପରାହ୍ନ ୩ଟାରେ ହୋଟେଲ୍ ଗୋଲ୍ଡେନ୍ ପ୍ୟାଲେସ୍ଠାରେ ମହିଳା କାର୍ଯ୍ୟକାରିଣୀ ବୈଠକକୁ ଉଦ୍ଘାଟନ କରିବେ। ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା କେ ଭି ସିଂହଦେଓଙ୍କ ସମେତ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ ବୋଲି ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରାହାତକର୍ ଏହି ସୂଚନା ଦେଇଛନ୍ତି। ଆସନ୍ତାକାଲି ସନ୍ଧ୍ୟାରେ ଅମିତ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।