ଦେବରାଜଙ୍କୁ ନେଇ ଆସିକାରେ ନୂଆ ସମୀକରଣ

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ବିଧାନସଭା ନିର୍ବାଚନମଣ୍ଡଳୀରୁ ତିନି ତିନି ଥର ବିଧାୟକ ଭାବେ ନିର୍ବାଚିତ ଦେବରାଜ ମହାନ୍ତି ଶେଷରେ ବିଜେଡିର ହାତ ଛାଡ଼ିଛନ୍ତି। ଆଉ ୨୦ ବର୍ଷ ପୁରୁଣା ସଂପର୍କରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଚଳିତ ନିର୍ବାଚନରେ ଟିକେଟ୍ ପାଇବାରୁ ବଞ୍ଚିତ ଦେବରାଜ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଫଳରେ ଆସିକା ରାଜନୀତିରେ ଏଥର ନୂଆ ସମୀକରଣ ଦେଖିବାକୁ ମିଳିପାରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ, ପ୍ରତାପ ଷଡ଼ଙ୍ଗୀ, ରାମକୃଷ୍ଣ ପଟ୍ଟନାୟକ, ସମୀର ମହାନ୍ତିଙ୍କ ପ୍ରମୁଖଙ୍କ ଉପସ୍ଥିତିରେ ଦେବରାଜ ନିଜ ଟିମ୍ ସହ ବିଜେପିରେ ସାମିଲ ହୋଇ ଥିଲେ। ଏହାସହ ବିଧାୟକଙ୍କ ପ୍ରମୁଖ ସମର୍ଥକ ବୋଲାଉଥିବା ଆସିକା ବ୍ଲକ ବିଜେଡି ସଭାପତି ବିଦ୍ୟାନ୍ତ ଚର୍ଚ୍ଚି, ପୂର୍ବତନ ଏନଏସି ଅଧ୍ୟକ୍ଷା ମଧୁସ୍ମିତା ପୋଲାଇ, ଆଲିପୁର ସରପଞ୍ଚ ସନ୍ତୋଷ କୁମାର ଜେନା, ସମିତିସଭ୍ୟ ଶିବରାମ ଗୌଡ଼, ନୀଳାମ୍ବର ସ୍ବାଇଁ, ସନ୍ତୋଷ ପୋଲାଇ, ରବୀନ୍ଦ୍ରନାଥ ପୋଲାଇ, ରଂଜନ ଦଳାଇ ଓ ସଂଜୟ କୁମାର ଗୌଡ଼ ବିଜେପିରେ ମିଶିଥିବା ଜଣାପଡ଼ିଛି। ସୂଚନା ଥାଉକି, ଦେବରାଜ ୨୦୦୦, ୨୦୦୯ ଓ ୨୦୧୪ ମସିହାରେ ତିନିଥର ଏହି ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସୂଚନା ଥାଉକି, ବିଜେପି ବର୍ତ୍ତମାନ ସୁଦ୍ଧା ଆସିକା ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରି ନଥିବା ବେଳ‌େ ଦେବରାଜ ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ବିଜେଡି ଛାଡ଼ିବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।

ସମ୍ବନ୍ଧିତ ଖବର