ମଦଭାଟିରେ ଲଙ୍କାକାଣ୍ଡ : ଗାଡ଼ି, ଜେନେରେଟର ପୋଡ଼ିଦେଲେ

ମାଓବାଦୀଙ୍କ ସଂପୃକ୍ତି ସନ୍ଦେହ

ପଟାଙ୍ଗୀ/କୋରାପୁଟ : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସ୍ଥିତ ଦୁମୁରିଗୁଡା ସ୍ଥିତ ଗୋଟିଏ ଦେଶୀ ମଦ ଭାଟିରେ ଗତକାଲି ବିଳମ୍ବିତ ରାତିରେ ଲଙ୍କାକାଣ୍ଡ କରିଛନ୍ତି ଦୁର୍ବୃତ୍ତ। କର୍ମଚାରୀଙ୍କୁ ତାଲା ପକାଇ ଭାଟି ପରିସରରେ ଥିବା ଗୋଟିଏ କମାଣ୍ଡର ଓ ବାଇକରେ ସେମାନେ ନିଆଁ ଲଗାଇ ଦେଇଛନ୍ତି। ଘଟଣା ସ୍ଥଳରେ ଏକ ମାଓ ବ୍ୟାନର ଲାଗିଥିବାରୁ ଏଥି‌ରେ ମାଓବାଦୀଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ପୁଲିସ ଏଥିନେଇ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ ଆରମ୍ଭ କରିଛି।

କୋରାପୁଟ ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ପ୍ରାୟ ବନ୍ଦ ହୋଇ ଯାଇଥିଲା ବେଳେ ଗତକାଲି ରାତିରେ କିଛି ଦୁର୍ବୃତ୍ତ ଦୁମୁରିଗୁଡା ଦେଶୀ ମଦ ଭାଟିରେ ପହଞ୍ଚିଥିଲେ। ସେଠାରେ ରହୁଥିବା ଲୋକଙ୍କୁ ବାହାର ପଟୁ ତାଲା ପକାଇ ଦେଇ ପୋଡ଼ାଜଳା କରିଥିଲେ। ଏଥିରେ ଗୋଟିଏ କମାଣ୍ଡର ଜିପ (ଓଆର-୧୦-ସି-୨୮୯୫) ଓ ଦୁଇଟି ବାଇକ ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଏହାସହ ଭାଟି ପରିସରରେ ଲାଗିଥିବା ଜେନେରେଟରରେ ନିଆଁ ଲଗାଇ ଦେବାରୁ ଭୟଙ୍କର ବିସ୍ଫୋରଣ ହୋଇ ଏସବୁ ଜଳି ଯାଇଥିଲା ବେଳେ ଭାଟିରେ ଥିବା କର୍ମଚାରୀମାନେ କାହାକୁ ଦେଖି ପାରି ନ ଥି‌ଲେ। ବାହାର ପଟୁ ତାଲା ପଡିଥିବାରୁ ସେମାନେ ଭିତରେ ରହି ଭୟରେ ଥରୁଥିଲେ। ପରେ ଭାଟିରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ଫୋନ କରି ଜଣାଇବା ପ‌ରେ ସେ ଘଟଣାସ୍ଥଳକୁ ଆସି କବାଟ ଖୋଲିଥିଲେ। ସେତେବେଳକୁ ଦୁର୍ବୃତ୍ତମାନେ ଚାଲି ଯାଇଥି‌ଲେ। କିନ୍ତୁ ଯିବା ପୂର୍ବରୁ ଦୁର୍ବୃତ୍ତ ଘଟଣାସ୍ଥଳରେ ଗୋଟିଏ ବ୍ୟାନର ଛାଡ଼ି ଯାଇଥିଲେ। ଭାଟିର ଫାଟକରେ ଲାଗିଥିବା ନାଲି ରଙ୍ଗର କପଡ଼ାରେ ଲାଲ ସଲାମ, ମାଓବାଦୀ ବୋଲି ଲେଖାଯିବା ସହ ଭାଟି ବନ୍ଦ କରାଯାଉ ନଚେତ ମୁଣ୍ଡକଟା ହେବ ବୋଲି ଧମକ ଦିଆଯାଇଛି।

ପୋଡାଜଳା ଘଟଣାକୁ ନେଇ ମଦ ଭାଟି କର୍ମଚାରୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ପଟାଙ୍ଗୀ ପୁଲିସ ଏଥିନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବ୍ୟାନର ଜବତ କରାଯିବା ସହ ଘଟଣା ସ୍ଥଳ ବୁଲି ଦେଖିଛି ପୁଲିସ। ତେବେ ଏହା ମାଓବାଦୀଙ୍କ କାଣ୍ଡ କି ନୁହେଁ, ତାହା ସ୍ପଷ୍ଟ ହୋଇନି। ବ୍ୟାନରରେ କୌଣସି ମାଓ ସଂଗଠନର ନାମ ଲେଖା ହୋଇ ନ ଥିଲା ବେଳେ ଆଗରୁ ମଧ୍ୟ କୌଣସି ଧମକ ମିଳିନାହିଁ। ତେଣୁ କୌଣସି ଦୁର୍ବୃତ୍ତ ଏମିତି କାଣ୍ଡ ଘଟାଇଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ଅପରପକ୍ଷରେ ମାଓ ବ୍ୟାନର ନେଇ ପ୍ରଚାର ହେବା ପରେ ଅଂଚଳରେ ଲୋକଙ୍କ ମନରେ ଛନକା ପଶିଛି। ସୁନାବେଡ଼ା ଏସଡିପିଓ ନିରଞ୍ଜନ ‌ବେହେରା କହିଛନ୍ତି ଯେ, ମଦଭାଟିରେ ପୋଡ଼ାଜଳା ନେଇ ତଦନ୍ତ ଚାଲିଛି। ମାଓବାଦୀଙ୍କ ନାମରେ ଗୋଟିଏ ବ୍ୟାନର ମିଳିଥିଲେ ମଧ୍ୟ ଏହା ନକଲି ବୋଲି ଅନୁମାନ କରାଯାଉଛି। ତଥାପି ଘଟଣାର ସମସ୍ତ ଦିଗକୁ ତର୍ଜମା କରାଯାଇ ତଦନ୍ତ ଚାଲୁ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର