ଘରେ ପଶି ମା’ ଓ ଝିଅଙ୍କୁ ମାରପିଟ୍ ଘଟଣା : ପୂର୍ବତନ ବିଧାୟକଙ୍କୁ ଖୋଜୁଛି ପୁଲିସ୍
୨ଟି ଟିମ୍ ଗଠନ, ବ୍ରହ୍ମପୁର ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ
ଫୁଲବାଣୀ : ଏକ ସମ୍ବେଦନଶୀଳ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ଫୁଲବାଣୀ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଅଡ଼ୁଆ ବଢ଼ିଯାଇଛି। ସମ୍ଭାବ୍ୟ ଗିରଫଦାରି ଏଡ଼ାଇବାକୁ ସେ ଏବେ ଅଣ୍ଡର୍ଗ୍ରାଉଣ୍ଡ୍ ହୋଇ ଯାଇଛନ୍ତି। କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଗଉଡ଼ପଡ଼ା ଗାଁରେ ଘରେ ପଶି ମାଆ ଓ ଝିଅଙ୍କୁ ଧମକ ଦେବା ଓ ମାଡ଼ ମାରିବା ଅଭିଯୋଗରେ ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିଲା। ଘଟଣାର ୫ ଦିନ ପୂରିଥିବା ବେଳେ ମାମଲା ରୁଜୁ କରି ଆରମ୍ଭରୁ ନରମ ଥିବା ପୁଲିସ ଏବେ କଠୋର ମନୋଭାବ ପୋଷଣ କରିଛି। ଅଭିଯୁକ୍ତ ପୂର୍ବତନ ବିଧାୟକ ଦେବେନ୍ଦ୍ରଙ୍କୁ ଗିରଫ କରିବାକୁ ପୁଲିସ ଉଦ୍ୟମ ଆରମ୍ଭ କରିଛି। ଏହି ମର୍ମରେ କନ୍ଧମାଳ ଏସ୍ପି ପ୍ରତୀକ ସିଂହ ଦେଇଥିବା ସୂଚନା ଅନୁସାରେ ତାଙ୍କ ନିର୍ଦେଶରେ ୨ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ପୁଲିସ ଟିମ୍ ଦେବେନ୍ଦ୍ରଙ୍କୁ ଗିରଫ କରିବାକୁ ବ୍ରହ୍ମପୁର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏଣେ ଘଟଣା ପଦାକୁ ଆସିବା ପରେ ଏବଂ ପୁଲିସ ମାମଲା ରୁଜୁ କରିବା ପରେ ପରେ ଦେବେନ୍ଦ୍ର ଓ ଜଣେ ଯୁବତୀଙ୍କ ଅନ୍ତରଂଗ ମୁହୂର୍ତର ଭିଡ଼ିଓ ଭାଇରାଲ୍ ହୋଇଛି। ଏହା ସବୁଆଡ଼େ ମୋବାଇଲ୍ରୁ ମୋବାଇଲ୍ ଘୂରି ବୁଲୁଛି। ଏପଟେ ପୁଲିସ ପକ୍ଷରୁ ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ଼ କରାଯାଇଛି। ବୟାନରେ ବିବାଦୀୟ ଭିଡ଼ିଓ ଭାଇରାଲ୍ କରିଥିବା ମହିଳାଙ୍କ ନାଁ ସେ ମାଜିଷ୍ଟ୍ରେଟ୍ଙ୍କ ଆଗରେ କହିଥିଲେ। ଏହା ଆଧାରରେ ସଂପୃକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି କହିଛନ୍ତି। ମାମଲାରେ ଅଭିଯୋଗ ହୋଇଥିଲା, ଗତ ୨ ତାରିଖ ବିଳମ୍ବିତ ରାତିରେ ପୂର୍ବତନ ବିଧାୟକ ଶ୍ରୀ କହଁର ଗଉଡ଼ପଡ଼ା ଗାଁକୁ ଯାଇ ଜଣେ ମହିଳା ଓ ତାଙ୍କ ଝିଅଙ୍କୁ ଘରେ ପଶି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାରପିଟ୍ କରିଥିଲେ। ଏ ନେଇ ତା’ପର ଦିନ ଅର୍ଥାତ ୩ ତାରିଖ ସକାଳେ ଫୁଲବାଣୀ ସଦର ଥାନାରେ ଅଭିଯୋଗ ହୋଇଥିଲା। ୪ ତାରିଖରେ ଦେବେନ୍ଦ୍ର ଓ ଜଣେ ଯୁବତୀଙ୍କ ଅନ୍ତରଂଗ ମୁହୂର୍ତ୍ତର ଭିଡ଼ିଓ ଭାଇରାଲ ହୋଇଥିଲା।