ଶୌଚାଳୟ କାମ ବିଲ୍‌ ପାଇଁ ଲାଞ୍ଚ ଅଭିଯୋଗ : ଚଢଉ ପାଇଁ ଆସି ମାଡ଼ ଖାଇଲେ, ଭିଜିଲାନ୍ସ ଟିମ୍‌କୁ ଉଦ୍ଧାର କଲା ପୁଲିସ

କୋଣାର୍କ : ବୁଧବାର ଅପରାହ୍ନରେ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅନ୍ତର୍ଗତ ହାଟୁଆଦଣ୍ଡା ଗାଁ’କୁ ଚଢ଼ଉ କରିବାକୁ ଆସିଥିବା ଭିଜିଲାନ୍‌ସ ଟିମ୍‌ ଓ ଜଣେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଗ୍ରାମବାସୀ ମାଡ଼ ମାରି ଅଟକ ରଖିଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ କବଳରୁ ସେମାନଙ୍କୁ ଉଦ୍ଧାର କରିଛି। ଅନ୍ୟପକ୍ଷରେ ସ୍ଥାନୀୟ ସରପଞ୍ଚଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଭିଜିଲାନ୍‌ସରେ ଧରାଇବାକୁ ଉଦ୍ୟମ କରାଯାଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଗାଁ’ରେ ଉତ୍ତେଜନା ପ୍ରକାଶ ପାଇଛି।

ମିଳିଥିବା ସୂଚନା ମୁତାବକ ରାମଚଣ୍ଡୀ ଥାନା ତରକୋର ପଞ୍ଚାୟତରେ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନାରେ ଶୌଚାଳୟ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହି କାର୍ଯ୍ୟାଦେଶ ଏବିସିଏସ୍‌ଏଲ ନାମକ ଏକ ଅନୁଷ୍ଠାନକୁ ଦିଆଯାଇଛି। ନିର୍ମାଣକାରୀ ସଂସ୍ଥାକୁ ପୂର୍ବରୁ ୪୭ଟି ଶୌଚାଳୟ କାର୍ଯ୍ୟର ବିଲ୍‌ ଦିଆଯାଇଥିବା ବେଳେ ଆଉ ୨୯ଟି ଶୌଚାଳୟର ବିଲ୍‌ ବକେୟା ରହିଥିଲା। ଏହି ବିଲ୍‌ ପ୍ରଦାନ ପାଇଁ ତରକୋର ପଞ୍ଚାୟତ ସରପଞ୍ଚ ଅର୍ଥ ମାଗୁଥିବା ନେଇ କାର୍ଯ୍ୟାଦେଶ ନେଇଥିବା ସଂସ୍ଥାର କର୍ମକର୍ତା ଭିଜିଲାନ୍‌ସ ନିକଟରେ ଅଭିଯୋଗ କରିଥିଲେ।

ଏହି ଅଭିଯୋଗକୁ ଭିତ୍ତିକରି ପୁରୀ ଜିଲ୍ଲା ଭିଜିଲାନ୍‌ସ ଡିଏସ୍‌ପି ହରିହର ପତିଙ୍କ ନେତୃତ୍ଵରେ ୩ ଜଣ ଇନ୍‌ସପେକ୍ଟର ଶୌଚାଳୟ ନିର୍ମାଣ କାର୍ଯ୍ୟାଦେଶ ନେଇଥିବା ସଂସ୍ଥାର ଜଣେ କର୍ମକର୍ତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଦେଶପ୍ରାଣ ଲେଙ୍କାଙ୍କୁ ସାଙ୍ଗରେ ନେଇ ତରକୋର ପଞ୍ଚାୟତ ସରପଞ୍ଚ କବିତା ସେନାପତିଙ୍କ ବାପଘର ହାଟୁଆଦଣ୍ଡା ଗାଁ’ରେ ଚଢ଼ାଉ କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସରପଞ୍ଚଙ୍କ ବାପଘର ଗାଁ ଲୋକେ ଏକାଠି ହୋଇ ଭିଜିଲାନ୍‌ସ ଟିମ୍‌ ଓ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା କାର୍ଯ୍ୟାଦେଶ ପାଇଥିବା ସଂସ୍ଥାର ଅଧିକାରୀ ଦେଶପ୍ରାଣ ଲେଙ୍କାଙ୍କୁ ଆକ୍ରମଣ କରିବା ସହ ଅଟକ ରଖିଥିଲେ। ଏ ସଂପର୍କରେ ଚନ୍ଦ୍ରଭାଗା ସାମୁଦ୍ରିକ ଥାନାରେ ଖବର ପହଞ୍ଚିବା ପରେ ଥାନା ଅଧିକାରୀ ସଂଜୀବ କୁମାର ପ୍ରଧାନ ଘଟଣାସ୍ଥଳକୁ ଯାଇ ଗ୍ରାମବାସୀଙ୍କ କବଳରୁ ଉଭୟ ଭିଜିଲାନ୍‌ସ ଟିମ ଓ ଦେଶପ୍ରାଣଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର