ନିର୍ବାଚନ ପୂର୍ବରୁ କନ୍ଧମାଳରେ ଗୁଳି : ଅଟୋ ଚାଳକ ଗୁରୁତର, ରାଜନୈତିକ ଶତ୍ରୁତା ସନ୍ଦେହ!

ଫୁଲବାଣୀ : ନିର୍ବାଚନ ପୂର୍ବରୁ କନ୍ଧମାଳରେ ଫୁଟିଛି ଗୁଳି। ଗୁଳିମାଡରେ ଗୁରୁତର ଆହତ ହୋଇଛନ୍ତି ଜଣେ ଅଟୋ ଚାଳକ । ଆହତ ଅଟୋ ଚାଳକ ନାମ ଲେଙ୍କା ପ୍ରଧାନ ଓ ତାଙ୍କ ଘର ଦାରିଙ୍ଗବାଡି ଥାନା ପାର୍ତ୍ତମାହା ଗାଁରେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଶ୍ରୀ ଲେଙ୍କା ହେଉଛନ୍ତି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମୀ। ଗତକାଲି ରାତିରେ ସେ ନିଜ ଅଟୋରେ ଯାତ୍ରୀଙ୍କୁ ନେଇ ଗାଁରୁ ସିମନବାଡି ଯାଉଥିଲେ। ବାଟରେ ଦୁଇରୁ ତିନି ଜଣ ଯୁବକ ଅଟୋକୁ ଅଟକାଇବା ସହ ହଠାତ ଲେଙ୍କାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ଡାହାଣ ହାତରେ ଓ ଆଉ ଗୋଟିଏ ଗୁଳି ଡାହାଣ ଗୋଡ ଜଙ୍ଘରେ ବାଜି ଥିଲା। ଗୁଳିମାଡ କରିବା ପରେ ସଂପୃକ୍ତ ଯୁବକମାନେ ଲେଙ୍କାକୁ ମାଡପିଟ କରିବା ସହ ତାଙ୍କ ପାଖରେ ଥିବା ୫ହଜାର ଟଙ୍କା ନେଇ ପଳାଇ ଯାଇଥିଲେ। ଗୁରୁତର ଅବସ୍ଥାରେ ଲେଙ୍କାକୁ ପ୍ରଥମେ ବାଲିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଆଜି ସଂଧ୍ୟାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅବସ୍ଥା ଭଲ ନଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯିବ ବୋଲି ଡାକ୍ତର କହିଛନ୍ତି। ଅନ୍ୟପକ୍ଷରେ, ଗୁଳିମାଡର କାରଣ ଓ ଅଭିଯୁକ୍ତଙ୍କୁ ଧରିବା ନିମନ୍ତେ ସବୁ ପ୍ରକାର ଉଦ୍ୟମ ଜାରି ରହିଛି ବୋଲି ପୁଲିସ କହିଛି। ନିର୍ବାଚନ ପୂର୍ବରୁ ଗୁଳି ଫୁଟିବା ଏବେ ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି ।

ସମ୍ବନ୍ଧିତ ଖବର