୭ରେ ସାରା ରାଜ୍ୟରେ ଅଟୋ, ଟ୍ୟାକ୍ସି ବନ୍ଦ

ଭୁବନେଶ୍ୱର : ତୈଳ ଦର ବୃଦ୍ଧି ଓ ସ୍ୱତନ୍ତ୍ର ପରିବହନ ନୀତି ଏବଂ ଅନ୍ୟାନ୍ୟ ଦାବି ନେଇ ଆସନ୍ତା ୭ତାରିଖରେ ସାରା ରାଜ୍ୟରେ ଅଟୋ-ଟ୍ୟାକ୍ସି ଚଳାଚଳ ବନ୍ଦ ରହିବ। ଆଜି ଏନେଇ ନିଖିଳ ଓଡ଼ିଶା ଅଟୋ ମହାସଂଘ ଓ ଟ୍ୟାକ୍ସି ମହାସଂଘ ତରଫରୁ ସୂଚନା ଦିଆଯାଇଛି।

ନିଖିଳ ଓଡ଼ିଶା ଅଟୋ ମହାସଂଘ ପକ୍ଷରୁ କୁହାଯାଇଛି ଯେ, ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିବାବେଳେ ୭ଦିନ ମଧ୍ୟରେ ଆଲୋଚନା ମାଧ୍ୟମରେ ନିଷ୍ପତ୍ତି ନେବାକୁ କୁହାଯାଇଥିଲା। ହେଲେ ୧୦ଦିନ ମଧ୍ୟରେ ରାଜ୍ୟ ସରକାର ଆଲୋଚନା କଲେନି କି ଦାବି ପୂରଣ କଲେନି। ତେଣୁ ଦୁଇ ମହାସଂଘ ନିଷ୍ପତ୍ତି ନେଇଛନ୍ତି ଯେ, ଆସନ୍ତା ୭ତାରିଖରେ ସାରା ରାଜ୍ୟରେ ଅଟୋ-ଟ୍ୟାକ୍ସି ଚଳାଚଳ ବନ୍ଦ ରହିବ।

ଆଜି ମାଷ୍ଟରକ୍ୟାଣ୍ଟିନ ଠାରେ ଆୟୋଜିତ ଅଟୋ ଟ୍ୟାକ୍ସି କନକ୍ଲେଭ୍‌ରେ ଦୁଇ ମହାସଂଘର ପ୍ରତିନିଧିମାନେ ଯୋଗଦେଇ କହିଥିଲେ ଯେ, ଅଟୋ-ଟ୍ୟାକ୍ସି କର୍ମକର୍ତ୍ତାମାନେ ତୈଳ ଦର କମ୍‌ କରିବା, ଅଟୋ-ଟ୍ୟାକ୍ସି ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରିବା, ଚାଳକ ମାନଙ୍କ ପାଇଁ କଲ୍ୟାଣ ବୋର୍ଡ ଗଠନ କରିବା, ବୀମା ରାଶିରେ ୫୦% ଛାଡ଼ କରିବା, ପର୍‌ମିଟ୍‌ ପାଇଁ ନେଉଥିବା ଦୈନିକ ୫୦ ଟଙ୍କାକୁ ବନ୍ଦ କରିବା, ପାର୍କିଂ ସ୍ଥାନ ଯୋଗାଇ ଦେବା ପାଇଁ ଦାବି କରାଯାଇଥିଲା। କିନ୍ତୁ ରାଜ୍ୟ ସରକାର ଏହାକୁ ଶୁଣିଲେନି।

କେନ୍ଦ୍ର ଓ ରାଜ୍ୟ ମୋଟର ଯାନ ଆଇନ ୧୯୮୮ ଧାରା ଅନୁସାରେ ଟ୍ୟାକ୍ସି ଓ ଅଟୋର ଯାତ୍ରୀ ଭଡା ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟ ଅନୁଯାୟୀ ସ୍ଥିର କରାଯିବା କଥା। ମାତ୍ର ସଂଘୀୟ ବ୍ୟବସ୍ଥା ଭିତରେ ନୀତି ନିର୍ଦ୍ଧାରଣ କରା ନଯାଇ ଓଲା, ଓବେର, ଜୁଗୁନୁ ଭଳି ଅନ୍‌ଲାଇନ୍‌ ସଂସ୍ଥାକୁ ପ୍ରବେଶ କରାଇ ମନଇଚ୍ଛା ଭଡ଼ା ଧାର୍ଯ୍ୟ କରାଯାଉଛି। ସେମାନଙ୍କ ଧାର୍ଯ୍ୟ ଭଡ଼ାକୁ ଲାଗୁ କରାଯାଉଛି। ଫଳରେ ରାଜ୍ୟରେ ଅଟୋ-ଟ୍ୟାକ୍ସି ବ୍ୟବସାୟ ପୂରା ମାନ୍ଦା ହୋଇଯାଇଛି। ଓଡିଶାର ୧୨ ହଜାର ଟ୍ୟାକ୍ସି ଓ ୧ଲକ୍ଷ ୩୫ ହଜାର ଅଟୋ ରିକ୍ସା ଉପରେ ନିର୍ଭର କରି ଚଳୁଥିବା  ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକାକୁ ବୁଡ଼େଇ ଦେବାକୁ ଯୋଜନା କରାଯାଇଛି । ଏହାକୁ ତୁରନ୍ତ ବନ୍ଦ କରିବା ସହ ସମସ୍ତଙ୍କ ପାଇଁ ସମାନ ନୀତି ପ୍ରଣୟନ କରିବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଛି।

ଏହି କନ୍‌କ୍ଲେଭ୍‌ରେ ଓଡିଶା ଅଟୋ ମହାସଂଘର କାର୍ଯ୍ୟକାରୀ ସଭାପତି ନବ କିଶୋର ମହାନ୍ତି, ଉପସଭାପତି ଦୁର୍ଗାଚରଣ ଖୁଣ୍ଟିଆ, ଶ୍ରୀକାନ୍ତ ପରିଜା, ସାଧାରଣ ସଂପାଦକ ପଦ୍ମନ କୁମାର ସାମଲ, ସଂପାଦକ ରାଧାରମଣ ଷଡ଼ଙ୍ଗୀ, ମିହିର ରାଉତ, କରୁଣାକର ଦାସ, ହରିହର ପଟ୍ଟନାୟକ, ଶୈଳେନ୍ଦ୍ର ଧଳ, ଭୁବନାନନ୍ଦ ବେହେରା, ବିଜୟ ପଟ୍ଟନାୟକ, ରାମଚନ୍ଦ୍ର ବେହେରା, ସୁର ଜେନା ଓ ବିମାନ ମାଇତି ପ୍ରମୁଖ ଯୋଗଦେଇଥିଲେ ।

ସମ୍ବନ୍ଧିତ ଖବର