ବାଘୁଆ ପୁଲିସ୍‌ ଏନ୍‌କାଉଣ୍ଟର୍‌ ଘଟଣା : ଶ୍ରୀକାନ୍ତ ମୃତ, ଗୌରୀ ଆହତ, ପୁଲିସକୁ ଦାୟୀ କଲେ ପରିବାର ଲୋକ

ଭଂଜନଗର/ ବେଲଗୁଣ୍ଠା/ ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅର୍ନ୍ତଗତ ବାଘୁଆ ଜଙ୍ଗଲ ନିକଟରେ ଗତକାଲି ରାତି ଅପରାଧୀ ଗୋଷ୍ଠୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟରେ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ହୋଇଥିଲେ। ତେବେ ପୁଲିସ ଗୁଳିରେ ହାଇଥିବା ଶ୍ରୀକାନ୍ତ ରଣାର ଗତରାତିରେ ମୃତ୍ୟୁ ଘଟିଛି। ଏହି ଘଟଣାରେ ବୈଦ୍ୟନାଥପୁର ଥାନାରେ କେସ୍‌ ନମ୍ବର ୨୨୪/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ବାଘୁଆ ଜଙ୍ଗଲ ନିକଟରେ କିଛି ଦୁର୍ବୃତ୍ତ ଡକାୟତି ଯୋଜନା କରୁଥିବା ନେଇ ପୁଲିସ ଗତରାତିରେ ସୂଚନା ପାଇଥିଲା। ଖବର ପାଇ ତୁରନ୍ତ ଭଂଜନଗର ଭାରପ୍ରାପ୍ତ ଡିଏସ୍‌ପି ଅଶ୍ୱିନୀ ସାହୁଙ୍କ ନେତୃତ୍ୱରେ ବୁଗୁଡ଼ା ଥାନା ଆଇଆଇସି ରାମଚନ୍ଦ୍ର ବିଶ୍ୱାଳ, ବେଲଗୁଣ୍ଠା ଫାଣ୍ଡି ସବ୍‌ଇନ୍‌ସ୍ପେକ୍ଟର୍‌ ସବ୍ୟସାଚୀ ମଲ୍ଲ ପ୍ରମୁଖ ଚଢ଼ଉ କରିଥିଲେ। ପୁଲିସକୁ ଦେଖି ଦୁର୍ବୃତ୍ତମାନେ ବୋମାମାଡ଼ କରିବା ସହିତ ଗୁଳି ଫୁଟାଇଥିଲେ। ଏଥିରେ ବୁଗୁଡା ଥାନା ଅଧିକାରୀ ବିଶ୍ୱାଳ ଓ ଅନ୍ୟ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଦୁର୍ବୃତ୍ତଙ୍କୁ ଆତ୍ମସମର୍ପଣ କରିବା ପାଇଁ ପୁଲିସ ତରଫରୁ କୁହାଯାଇଥିଲେ ସୁଦ୍ଧା ସେମାନେ ପୁଣି ଥରେ ବୋମାମାଡ଼ କରିଥିଲେ। ଫଳରେ ପୁଲିସ ଆତ୍ମରକ୍ଷା ପାଇଁ ପାଲଟା ଫାୟାରିଂ କରିଥିଲା। ପୁଲିସର ପାଲଟା ଗୁଳି ଚାଳନା ବେଳେ ଦୁଇ ହାର୍ଡ଼କୋର୍‌ ଅପରାଧୀ ଭଂଜନଗର ନିକଟସ୍ଥ ମୁଦୁଲିପଲ୍ଲୀର ଗୌରୀଶଙ୍କର ସ୍ୱାଇଁ ଓ ଭୁବନେଶ୍ୱର ଭରତପୁରର ଶ୍ରୀକାନ୍ତ ଓରଫ ଟେରା ଆହତ ହୋଇଥିଲେ। ଉଭୟଙ୍କର ଗୋଡ଼ରେ ଗୁଳି ବାଜିଥିଲା। ଉଭୟଙ୍କୁ ପ୍ରଥମେ ବୁଗୁଡ଼ା ସିଏଚସିକୁ ନେଇ ଚିକିତ୍ସା କରିବା ପରେ ବ୍ରହ୍ମପୁର ଏମ୍‌କେସିଜି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ଭଂଜନଗର ଏସଡିପିଓ ଉତ୍କଳ କେଶରୀ ଦାଶ ସୂଚନା ଦେଇଛନ୍ତି। ଚିକିତ୍ସାଧୀନ ଥିବା ସମୟରେ ଶ୍ରୀକାନ୍ତର ବାମଗୋଡ଼ରୁ ରକ୍ତସ୍ରାବ ବନ୍ଦ ନ ହେବାରୁ ତାର ମୃତ୍ୟୁ ଘଟିଥିଲା। ଶ୍ରୀକାନ୍ତର ଉଭୟ ଗୋଡ଼ରେ ଗୁଳି ବାଜିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଏସଡିପିଓ ଶ୍ରୀ ଦାଶ କହିଛନ୍ତି।

ମୃତ ଶ୍ରୀକାନ୍ତ ଓରଫ ଟେରା ଓରଫ ଯୋଗେଶ୍ୱର ରଣା(୩୧)ର ନିଜ ଘର ଭଂଜନଗର ଥାନା ଅର୍ନ୍ତଗତ ଆମ୍ବପୁଆ ଗ୍ରାମ ବୋଲି ପୁଲିସ କହିଛି। କିନ୍ତୁ ସେ ଭୁବନେଶ୍ୱରରେ ରହୁଥିଲା। ଶ୍ରୀକାନ୍ତ ନାଁରେ ବୁଗୁଡ଼ା ଥାନାରେ ୪ଟି ମାମଲା ରହିଛି। ତାରସିଂ ଥାନା, କନ୍ଧମାଳ ଜିଲ୍ଲାର ଚକାପାଦ ଥାନାରେ ୭ଟି ଚୋରି, ଡକାୟତି ଓ ରାହାଜାନୀ ଭଳି ମାମଲା ରହିଛି। ବୁଗୁଡ଼ା ଥାନା ମାଣିତରା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଡକାୟତି ମାମଲାରେ ମୃତ ଶ୍ରୀକାନ୍ତ ସାମିଲ ଥିଲେ ବୋଲି ଭଂଜନଗର ଏସଡିପିଓ ଶ୍ରୀ ଦାଶ କହିଛନ୍ତି। ସେଭଳି ଗୌରୀ ନାଁରେ ମଧ୍ୟ ଭଂଜନଗର, ବୁଗୁଡ଼ା ଆଦି ଥାନାରେ ୨୦ରୁ ଅଧିକ ମାମଲା ରହିଥିବା ଏସଡିପିଓ ଶ୍ରୀ ଦାଶ ଓ ଭଂଜନଗର ଭାରପ୍ରାପ୍ତ ଡିଏସପି ସ୍ୱାଇଁ କହିଛନ୍ତି।

ସମ୍ବନ୍ଧିତ ଖବର