ନୂଆଦିଲ୍ଲୀ: ଗତ ଦୁଇଦିନ ତଳେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ନୂଆଦିଲ୍ଲୀଠାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦାନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଜେପିରେ ଯୋଗଦେବା ପରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀରେ ପ୍ରଭାବିତ ହୋଇ ସେ ବିଜେପିକୁ ଆସିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବିଜେପି ଏକ ଜାତୀୟ ଦଳ ହୋଇଥିବାରୁ ଜନସାଧାରଣଙ୍କ ସେବା କରିବା ପାଇଁ ତାଙ୍କୁ ଅଧିକ ସୁଯୋଗ ମିଳିବ।
ଆଜି ବିଜେପି ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ , ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ବଳଭଦ୍ର ।
ଉଲ୍ଲେଖଯୋଗ୍ୟ କି,୧୪ ତାରିଖରେ ବିଜେଡି ଛାଡିଥିଲେ ନବରଙ୍ଗପୁର ସାଂସଦ । ଦଳ ତାଙ୍କୁ ଅଣଦେଖା କରିଥିବାରୁ ସେ ବିଜେଡି ଛାଡିଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଥିଲେ । ଏପରିକି ଶେଷ ମୁହୂର୍ତ୍ତରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ନ କରାଇବାରୁ ସେ ମର୍ମାହତ ବୋଲି କହିଥିଲେ ବଳଭଦ୍ର । ତେବେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପଦୁଟିଏ କହି ନଥିଲେ ବରଂ ଇସ୍ତଫାପତ୍ରରେ ନବୀନଙ୍କୁ ଭୂରି ଭୂରି ପ୍ରଂଶସା କରିଥିଲେ।
୪ ପୃଷ୍ଠା ସମ୍ବଳିତ ଇସ୍ତଫାପତ୍ରରେ ବଳଭଦ୍ର ଲେଖିଥିଲେ ଯେ, ସେ ସାଂସଦ ଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ ନବରଙ୍ଗପୁରରେ ବିଭିନ୍ନ କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟ ହୋଇଛି । ଯେଉଁଥିରେ ରେଳପ୍ରକଳ୍ପ, ବିଦ୍ୟୁତୀକରଣ, ଶିକ୍ଷା, ଜଳସେଚନ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ବିକାଶ ହୋଇଛି । ଆଉ ଏସବୁ ମୁଖ୍ୟମନ୍ତ୍ରୀଙ୍କ ବିନା ସହଯୋଗରେ କେବେ ବି ସଫଳ ହୋଇପାରି ନ ଥାଆନ୍ତା। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ବଳଭଦ୍ର ।