କେନ୍ଦ୍ର ଫେରାଇଦେଲା ଫାଇଲ୍‌ : ଅନିଶ୍ଚିତତାରେ ବଲାଙ୍ଗୀର ବାଇପାସ ଓ ରିଙ୍ଗ୍‌ରୋଡ

ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପାଖରେ ଫାଇଲ୍‌ ଅଟକିଛି

ବଲାଙ୍ଗୀର : ବଲାଙ୍ଗୀର ରିଂରୋଡ୍‌ ନିର୍ମାଣ ଏବେ ଅଧା ପଡ଼ିଥିବାବେଳେ ବାଇପାସ ନିର୍ମାଣରେ କୌଣସି ଅଗ୍ରଗତି ହେଉନାହିଁ। ଜମି ଦାମ୍‌ରେ ଚଞ୍ଚକତା କରାଯାଇଥିବା ଦର୍ଶାଇ କେନ୍ଦ୍ର ଫାଇଲ୍‌ ଫେରାଇ ଦେଇଥିବାରୁ ଏହି କାମର ଆରମ୍ଭ ନେଇ ସନ୍ଦେହ ପ୍ରକାଶ ପାଇଛି।

ବଲାଙ୍ଗୀର ସହରକୁ ଘେରିବ ଦୁଇ ପ୍ରକାର ରାସ୍ତା। ଗୋଟିଏ ରିଂରୋଡ ଓ ଅନ୍ୟଟି ବାଇପାସ୍‌। ରିଂରୋଡ ରାଜ୍ୟ ସରକାର ନିର୍ମାଣ କରୁଥିବାବେଳେ କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ବିଭାଗ ବାଇପାସ୍‌ ନିର୍ମାଣ କାମ କରୁଛି।

୨୦୦୧ ମସିହାରେ ତତ୍କାଳୀନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ରିଂରୋଡ୍‌ର ଶିଳାନ୍ୟାସ କରିଥିଲେ। ଏପର୍ଯ୍ୟନ୍ତ ସୁଦ୍ଧା ୧୧ କିଲୋମିଟର ରାସ୍ତା ମଧ୍ୟରୁ ୫ କିଲୋମିଟର ରାସ୍ତା ଶେଷ ହୋଇଛି। ଏଥିପାଇଁ ୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଅବଶିଷ୍ଟ ୬ କିଲୋମିଟର ରାସ୍ତା ପାଇଁ ଜମି କିଣାଯିବ ଓ ରାସ୍ତା ନିର୍ମାଣ ହେବ। ଏଥିପାଇଁ ପ୍ରାୟ ୮୦ କୋଟିର ବ୍ୟୟବରାଦ ହୋଇସାରିଛି। ପିଡବ୍ଲ୍ୟୁଡି ଏହି ରାସ୍ତା କାମ କରିବ। କିନ୍ତୁ ୨୦୧୩ରୁ ଜଙ୍ଗଲ ବିଭାଗର ଅନୁମତି ମାଗିଛି ପିଡବ୍ଲ୍ୟୁଡି। କିନ୍ତୁ ବନ ବିଭାଗ ପକ୍ଷରୁ ୪ ବର୍ଷ ହେଲା ଏହା ଉପରେ କୌଣସି ଅନୁମତି(କ୍ଲିଅରାନ୍ସ) ଦେଉନାହିଁ। ଫଳରେ ରିଂରୋଡ କାମ ଅଧାରେ ରହିଛି।

ସେହିପରି, ଟିଟିଲାଗଡ ରୋଡର ବିଜାଖମନ, ଖୁଜେନପାଲି, ବାଗଭାଡି, କାଲସାଏପାଲି, ବିଷ୍ଣୁମୁଣ୍ଡା, ପୁଇଁନ୍ତଲା, ବଲାଙ୍ଗୀର(କ) ମୌଜା ଦେଇ ମାଧିଆପାଲିକୁ ଛୁଇଁବ ବାଇପାସ। ୨୦୦୯ ଏପ୍ରିଲ ୨ ତାରିଖରେ ଜାତୀୟ ରାଜପଥ ବିଭାଗ ୧୨ କିଲୋମିଟର ବାଇପାସ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲା। ୨୦୧୩-୧୪ ମସିହାରେ କେନ୍ଦ୍ର ସରକାର ଏଥିପାଇଁ ଅନୁମତି ଦେବା ସହ ୪୧ କୋଟି ୪୨ ଲକ୍ଷ ୪୩ ହଜାର ୮୫୧ ଟଙ୍କା ଦେଇଥିଲେ। ୨୦୧୫ ମସିହାରେ ହୋଇଥିଲା ସର୍ଭେ କାମ। ୮ଟି ଗାଁର ୧୪୩.୩୪ ଏକର ଜମି ଅଧିଗ୍ରହଣ ହେବାକୁ ଥିବାବେଳେ ପ୍ରାୟ ୩୩ ଏକର ଜମି ଜଙ୍ଗଲ, ଗୋଚର ଓ ସରକାରୀ ରହିଛି। ୨୪୯ ପରିବାର ଏହି ବାଇପାସ ରାସ୍ତା ପାଇଁ ପ୍ରଭାବିତ ହେଉଛନ୍ତି। ଏଯାଏ ଇଞ୍ଚେ ଜମି ଅଧିଗ୍ରହଣ ହୋଇ ନଥିବା ବେଳେ କେନ୍ଦ୍ର ଦେଇଥିବା ଟଙ୍କାରେ ହାତ ବି ମରା ହୋଇନି। ୨୦୧୭ ସେପ୍ଟେମ୍ବର ମାସରେ ବଲାଙ୍ଗୀର ଜାତୀୟ ରାଜପଥ ବିଭାଗର ନିର୍ବାହୀ ଯନ୍ତ୍ରୀ ୨୦୧କୋଟି ୨୬ଲକ୍ଷ ୯୯ ହଜାର ୩୨୭ ଟଙ୍କାର ସଂଶୋଧିତ ବ୍ୟୟ ଅଟକଳ ଫାଇଲ୍‌ ତତ୍କାଳନୀ ଜିଲ୍ଲାପାଳଙ୍କୁ ଦେଇଥିଲେ ।
୨୦୧୭ ଡିସେମ୍ବର ୭ ତାରିଖରେ ସଂଶୋଧିତ ବ୍ୟୟ ଅଟକଳ ଫାଇଲ ଜାତୀୟ ରାଜପଥ ବିଭାଗର ଦିଲ୍ଲୀ ମୁଖ୍ୟାଳୟକୁ ପଠାଇଥିଲେ ।

୨୦୧୮ ମେ ୭ ତାରିଖରେ ଜାତୀୟ ରାଜପଥ ବିଭାଗର ଉଚ୍ଚସ୍ତରୀୟ କମିଟି ବ୍ରହ୍ମପୁର ଓ ବଲାଙ୍ଗୀର ବାଇପାସ୍‌ ରାସ୍ତା ଫାଇଲର ସମୀକ୍ଷା କରିଥିଲେ। ବ୍ରହ୍ମପୁରରେ ଜମି ମୂଲ୍ୟାୟର ହାରାହାରି ୯୬ ଲକ୍ଷ ଟଙ୍କା ରହିଥିବାବେଳେ ବଲାଙ୍ଗୀର କ୍ଷେତ୍ରରେ କିନ୍ତୁ ବ୍ୟତିକ୍ରମ ଦେଖା ଦେଇଥିଲା। ଜମି ଅଧିଗ୍ରହଣ ହେଉଥିବା ବିଭିନ୍ନ ମୌଜାରେ ଭିନ୍ନ ଭିନ୍ନ ଜମି ଆକଳନ ରିପୋର୍ଟ ଦିଆଯାଇଛି। ଯାହାକୁ ନେଇ ଉଚ୍ଚସ୍ତରୀୟ କମିଟି ଆଶଙ୍କା କରିଥିଲେ। ସରକାରୀ ଜମି ମୂଲ୍ୟାୟନ ନେଇ ଯାଞ୍ଚ କଲା ବେଳେ ନିର୍ଦ୍ଧାରିତ ଦାମ୍‌ଠାରୁ ଅଧିକ ମୂଲ୍ୟାୟନ ହୋଇଥିବାରୁ ପ୍ରଶ୍ନ ଉଠାଇଥିଲେ। ଜମି ମୂଲ୍ୟାୟନରେ ଚଞ୍ଚକତା କରିଥିବା ଆଶଙ୍କା ପ୍ରକାଶ କରି ଫାଇଲକୁ ଫେରାଇ ଦେଇଛନ୍ତି। ପୁନଃ ମୂଲ୍ୟାୟନ କରି ରିପୋର୍ଟ ଦେବାକୁ ରାସ୍ତା ଓ ପରିବହନ ମନ୍ତ୍ରଣାଳୟ ଦିଲ୍ଲୀ ଜାତୀୟ ରାଜପଥ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ପୁଣିଥରେ ମୂଲ୍ୟାୟନ ପ୍ରକ୍ରିୟା କରାଗଲେ ଏହା ବିଳମ୍ବିତ ହେବା ନିଶ୍ଚିତ। ଦୁଇ ଦଶନ୍ଧି ଧରି ବାଇପାସ ରାସ୍ତା ସ୍ୱପ୍ନ ଦେଖୁଥିବା ବଲାଙ୍ଗୀରବାସୀ ନିରାଶ ହେବା ଜଳ ଜଳ ଦିଶୁଛି। ବାଇପାସ ରାସ୍ତା ନେଇ ଲୋକଙ୍କ ମଧ୍ୟରେ ଯେଉଁ ଆଶା ସଞ୍ଚାର ହୋଇଥିଲା, ତାହା ଆଶାରେ ହିଁ ରହିଯାଇଛି।

ସମ୍ବନ୍ଧିତ ଖବର