ଚର୍ଚ୍ଚାରେ ବରଗଡ଼ ରାଜନୀତି : ପ୍ରଚାର ମୈଦାନରେ ତିନି ପ୍ରମୁଖ ଦଳର ନେତା, ଜାଣନ୍ତୁ ଲୋକସଭା ଆସନ ପାଇଁ କେଉଁ ନେତାଙ୍କୁ ବାଛିବେ ଜନତା !

ବରଗଡ : ବରଗଡରେ କିଏ ମାରିବ ବାଜି । ଲୋକସଭାରେ କାହାକୁ ବାଛିବେ ଜନତା । ଏଭଳି କିଛି ପ୍ରଶ୍ନ ଭିତରେ ବରଗଡ ଲୋକସଭା ପାଇଁ ଜୋରଦାର ହୋଇଛି ପ୍ରଚାର। ବିଜେଡିରୁ ପ୍ରସନ୍ନ ଆଚାର୍ଯ୍ୟ, ବିଜେପିରୁ ସୁରେଶ ପୂଜାରୀ ଏବଂ କଂଗ୍ରେସର ପ୍ରଦୀପ ଦେବତା ଗାଁ ଗାଁ ବୁଲି ନିଜ ସପକ୍ଷରେ ଜନମତ ଯୋଗାଡରେ ଲାଗିଛନ୍ତି । ବଡ କଥା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଲୋକସଭା ଅଧିନରେ ଆସୁଥିବା ବିଜେପୁରରୁ ନିର୍ବାଚନ ଲଢୁଥିବାରୁ ଏଠି ରାଜନୈତିକ ଉଷ୍ମତା ଦ୍ୱିଗୁଣିତ ହୋଇଛି ।

ପ୍ରଚାର ମୈଦାନରେ ତିନି ପ୍ରମୁଖ ଦଳର ନେତା । ବିଜେଡିରୁ ପ୍ରସନ୍ନ ଆଚାର୍ଯ୍ୟ, ବିଜେପିରୁ ସୁରେଶ ପୂଜାରୀ ଏବଂ କଂଗ୍ରେସରୁ ପ୍ରଦୀପ ଦେବତା । ଦ୍ୱିତୀୟ ପର୍ଯ୍ୟାରେ ହେବାକୁ ଥିବା ବରଗଡ଼ ଲୋକସଭା ପାଇଁ ଜୋରଦାର ହୋଇଛି ନିର୍ବାଚନୀ ପ୍ରଚାର । ବରଗଡ଼ ହେଉଛି ସେହି ଲୋକସଭା ଆସନ ଯାହାକୁ ନେଇ ହୁଏତ ସବୁଠୁ ଅଧିକ ଚର୍ଚ୍ଚା। କାରଣ ବରଗଡ଼ ଲୋକସଭା ଆସନରେ ଆସୁଥିବା ବିଜେପୁର ବିଧାନସଭା ସିଟରେ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ବରଗଡ଼ ରାଜନୀତିର ଉଷ୍ମତାକୁ ଦୁଇଗୁଣିତ କରିଦେଇଛି ।

ଆଉ ଏହି ଉଷ୍ମତା ଭିତରେ ବରଗଡ଼ ମୈଦାନରେ ତିନି ହେଭିୱେଟ୍ ଚେହେରା ଜୋରଦାର କରିଛନ୍ତି ନିଜ ପ୍ରଚାର । ବିଜେଡି ରାଜନୀତିର ଅନ୍ୟତମ ହେଭିୱେଟ୍ ନେତା ପ୍ରସନ୍ନ ଆଚାର୍ଯ୍ୟ । ବର୍ତମାନ, ବିଜେଡିରୁ ରାଜ୍ୟସଭା ସାଂସଦ ତଥା ବିଜେଡି ରାଜ୍ୟ ଉପସଭାପତି । ଏସବୁ ବାହାରେ ପୂର୍ବତନ ଅର୍ଥମନ୍ତ୍ରୀ । ଆଉ ବରଗଡ଼ ରାଜନୀତିରେ ଆଚାର୍ଯ୍ୟ ପରିବାରର ରହିଛି ସଂପୂର୍ଣ୍ଣ ଦବଦବା । ତେଣୁ ବରଗଡ ଆସନରେ ବିଜୟୀ ବାନା ଉଡାଇବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ରାଜ୍ୟ ବିଜେପିର ଅନ୍ୟତମ ବଡ଼ ଚେହେରା । ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ପଶ୍ଚିମବଙ୍ଗ ପାଇଁ ବିଜେପି ପ୍ରଭାରୀ । ଆରଏସଏସ୍ ପୃଷ୍ଠଭୂମୀ ଉପରେ ଛାତ୍ର ରାଜନୀତିରୁ ଅଭିଯାନ ଆରମ୍ଭ କରିଥିବା ସୁରେଶ ପୂଜାରୀ ପଶ୍ଚିମ ଓଡ଼ିଶାର ଜଣେ ବଡ଼ ସଂଗଠକ । ଏବେ ବରଗଡ ଆସନରୁ ଦିଲ୍ଲୀ ଲଢେଇ ପାଇଁ ବିଜେପିର ସିପାହୀ ସାଜିଛନ୍ତି ।

ଜଣେ ଯୁବ ନେତାଭାବେ ବରଗଡ଼ ଜିଲ୍ଲାରେ ବେଶ ପରିଚିତ ପ୍ରଦୀପ ଦେବତା । ଜିଲ୍ଲା ବଣିକ ସଂଘର ସଭାପତି ଥିବା ପ୍ରଦୀପ ଏକାଧିକ ସଂଗଠନ ସହ ଜଡିତ । ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଥିଲେ ବି, ତୃଣମୂଳସ୍ତରରେ ତାଙ୍କ ଖ୍ୟାତି କଂଗ୍ରେସ ପାଇଁ ବେଶ ସାହାୟକ ହୋଇପାରେ ।

ଏସବୁ ଭିତରେ ବରଗଡ଼ ଜିଲ୍ଲାର ତୁଙ୍ଗ ନେତା ସୁବାଷ ଚୌହାନ, ଏବେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ଯିଏ ଗତ ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ସାଂସଦ ପ୍ରାର୍ଥୀ ଭାବେ ସବୁଠୁ ଅଧିକ ଭୋଟ୍ ପାଇଥିଲେ । ତାଙ୍କ ସଂଗଠନ ଏବଂ ନେତୃତ୍ୱ ବରଗଡ଼ ରାଜନୀତିକୁ ବେଶ ପ୍ରଭାବିତ କରିବ ବୋଲି କୁହାଯାଉଛି । ଏହାରି ଭିତରେ ଆସନ୍ତା ୧୮ ତାରିଖରେ ଭୋଟ୍ ଦେବ ବରଗଡ଼ । ଦେଖିବାର କଥା ବରଗଡ଼ରୁ କିଏ ମାରୁଛି ବାଜି?

ସମ୍ବନ୍ଧିତ ଖବର