ରାଜଧାନୀରୁ ମୋଷ୍ଟ ଓ୍ଵାଣ୍ଟେଡ୍‌ ନକ୍ସଲ ନେତା ଗିରଫ, ଚିକିିତ୍ସା ପାଇଁ ଆସିଥିଲେ

ଭୁବନେଶ୍ୱର : ଆଜି ଦିନ ପ୍ରାୟ ସାଢ଼େ ୩ଟା ବେଳେ ପଶ୍ଚିମବଙ୍ଗର ମୋଷ୍ଟ ଓ୍ଵାଣ୍ଟେଡ୍‌ ନକ୍ସଲ ନେତାଙ୍କୁ କୋଲକାତା କ୍ରାଇମ୍‌ବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ଗିରଫ କରିଛନ୍ତି। ତାଙ୍କ ନାଁ ଅଲିକ ଚକ୍ରବର୍ତୀ। ସେ ସିପିଆଇ(ଏମ୍‌ଏଲ) ରେଡ୍‌ ଷ୍ଟାର ପଲିଟିବ୍ୟୁରୋ ସଦସ୍ୟ ଥିଲେ। ୨୦୧୭ ମସିହା ଜାନୁଆରି ମାସରୁ ପଶ୍ଚିମବଙ୍ଗ ପୁଲିସ ତାଙ୍କୁ ଖୋଜୁଥିଲା। ସେ କଳିଙ୍ଗ ହସ୍ପିଟାଲରେ ଚିକିତ୍ସା ହେବାକୁ ଆସିଥିବା ବେଳେ କୋଲକାତା ପୁଲିସ ତାଙ୍କୁ କାବୁ କରି ନେଇଥିଲେ। ପରେ ତାଙ୍କୁ କୋଲକାତା ପୁଲିସ ଏକ ସ୍ୱତନ୍ତ୍ର ଗାଡିରେ ଧରି ଫେରି ଯାଇଛନ୍ତି ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଗତ ଏକ ସପ୍ତାହ ହେବ ଅଲିକ ଭୁବନେଶ୍ୱର ଥିବା ନେଇ କୋଲକାତା ପୁଲିସ ଜାଣିବାକୁ ପାଇଥିଲା। ଏଥିପାଇଁ କୋଲକାତା ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ଅଲିକଙ୍କ ପିଛା କରୁଥିଲେ। ଆଜି ଦିନ ପ୍ରାୟ ସାଢ଼େ ୩ଟାବେଳେ କଳିଙ୍ଗ ହସ୍ପିଟାଲର ଗ୍ୟାସ୍‌ଟ୍ରୋ ଓପିଡିରେ ଟିକେଟ୍‌ କାଟି ଲାଇନ୍‌ରେ ଠିଆ ହୋଇଥିବା ବେଳେ ହଠାତ୍‌ କୋଲକାତା ପୁଲିସ ଓ ଚନ୍ଦ୍ରଶେଖରପୁର ଥାନା ପୁଲିସ ମିଳିତ ଭାବେ ହସ୍ପିଟାଲରେ ପହଞ୍ଚି ଅଲିକଙ୍କୁ ଗିରଫ କରିଥିଲା। ଅଲିକଙ୍କ ପାଖରୁ କେତେକ ଔଷଧପତ୍ର ଓ କାଗଜପତ୍ର ଜବତ ହୋଇଛି।

ଅଲିକଙ୍କ ଏଭଳି ଗିରଫଦାରୀକୁ ଅଗଣତାନ୍ତ୍ରିକ ବୋଲି କହିଛନ୍ତି ପଶ୍ଚିମବଙ୍ଗ ସିପିଆଇ( ଏମ୍‌ଏଲ) ଅନ୍ୟତମ ପିଲିଟିବ୍ୟୁରୋ ମୁଖ୍ୟ ଶର୍ମିଷ୍ଠା ଚୌଧୁରୀ। ସେ କହିଛନ୍ତି, ଆମେ ଏକ ରାଜନୈତିକ ଦଳ। କୌଣସି ନକ୍ସଲ ବା ମାଓ ସଂଗଠନ ସହିତ ଆମର ସମ୍ପର୍କ ନାହିଁ। ଗଣତନ୍ତ୍ର ପାଇଁ ସେ ଆନ୍ଦୋଳନ କରୁଥିଲେ। ଚିକିତ୍ସା ହେବାକୁ ଆସିଥିବା ଜଣେ ରୋଗୀଙ୍କୁ ପୁଲିସ ଗିରଫ କରିବା ଘଟଣାକୁ ନିନ୍ଦନୀୟ।

ପାର୍ଟିର ଓଡିଶା ମୁଖ୍ୟ ତଥା ରାଜ୍ୟ ସମ୍ପାଦକ ଶିବରାମ କହିଛନ୍ତି, ପୁଲିସ ତାଙ୍କୁ ଗିରଫ କରି କେଉଁଠି ରଖିଛି ସେହି ସୂଚନା ଦେଉନାହିଁ। ତେଣୁ ତାଙ୍କର କୌଣସି ପ୍ରକାର ଅଘଟଣ ଘଟିଲେ ସେଥିପାଇଁ ଓଡ଼ିଶା ପୁଲିସ ଓ କୋଲକାତା ପୁଲିସ ଦାୟୀ ରହିବ। ତାଙ୍କୁ ପୁଲିସ ତୁରନ୍ତ ମୁକ୍ତ କରୁ ବୋଲି ଶିବରାମ ଦାବି କରିଛନ୍ତି। ଆସନ୍ତାକାଲି ଏ ନେଇ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯିବ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ କୋଲକାତା କ୍ରାଇମ୍‌ବ୍ରାଞ୍ଚଠାରୁ ମିଳିଥିବା ସୂଚନା ମୁତାବକ, ଅଲିକ୍‌ ପଶ୍ଚିମବଙ୍ଗର ପୁରୁଲିଆ ଓ ଚବିଶପ୍ରଗଣା ମୌଜାରେ ସକ୍ରିୟ ଥିଲେ। ସେ ପଶ୍ଚିମବଙ୍ଗରେ ଏକ ପାଓ୍ଵାରଗ୍ରିଡ୍‌ ବିରୋଧରେ ଭାଙ୍ଗର ନାମକ ଆନ୍ଦୋଳନ ଚଳାଇଥିଲେ। ଏହି କାରଣରୁ ଚବିଶପ୍ରଗଣାରେ ବିଭିନ୍ନ ସମୟରେ ଦଙ୍ଗା ହୋଇଛି। ଗତ ୫ ସପ୍ତାହ ହେବ ସେ ପଶ୍ଚିମବଙ୍ଗରୁ ଫେରାର ରହି ବିଭିନ୍ନ ଅଞ୍ଚଳ ଗସ୍ତ କରି ନିଜ ନେଟଓ୍ଵର୍କ ମଜବୁତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଥିଲା। ସେ ଭୁବନେଶ୍ୱର ଥିବା ଜାଣି କୋଲକାତା ପୁଲିସ ଏଠାରେ ଦୁଇ ଦିନ ତଳୁ ଡେରା ପକାଇଥିଲା।

ସମ୍ବନ୍ଧିତ ଖବର