ଯୌନ ନିର୍ଯାତନା ଦେଇ ନାବାଳିକାଙ୍କୁ ଗର୍ଭବତୀ କରିଥିବା ଦୁଷ୍କର୍ମକାରୀକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ
ଭଦ୍ରକ: ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଧାମରା ମେରାଇନ ଥାନା ଅନ୍ତର୍ଗତ ପାଇକ ସାହି ଗ୍ରାମର ଜିତେନ୍ଦ୍ର ପରିଡାଙ୍କ ପୁତ୍ର ରବିନ୍ଦ୍ର ଓରଫ ସପନ ପରିଡା(୪୬)କୁ ପୋକ୍ସୋ ଆଇନର ଧାରା ୪ ଓ ପିଙ୍ଗଳ କୋଡର ଦଫା ୩୭୬(୨)ରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗ ମୁତାବକ, ୨୪.୦୯.୨୦୧୩ ତାରିଖରେ ଗ୍ରାମର ଜନୈକ ନାବାଳିକା ଘରେ ଥିବା ସମୟରେ ସପନ ଓ ତାର ସହଯୋଗୀ ରଞ୍ଜନ ପରିଡା ତାଙ୍କ ଘର ଭିତରେ ପଶି ଝିଅକୁ ଯୌନ ନିର୍ଯାତନା ଦେଇଥିଲେ। ଫଳରେ ସେ ଗର୍ଭବତୀ ହୋଇଥିଲା। ଏଥିପାଇଁ ପୀଡିତାର ବାପା ଧାମରା ମେରାଇନ ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ପରେ ଥାନାରେ ଏକ ମାମଲା (କେଶ ନଂ-୧୧/୧୩ରେ) ରୁଜୁ ହୋଇ ସପନ ଓ ରଞ୍ଜନକୁ ପୁଲିସ ଗିରଫ କରିଥିଲା। ରଞ୍ଜନ ଜାମିନରେ ଯାଇଥିବା ବେଳେ ସପନ ବିଚାରାଧିନ ବନ୍ଦୀ ଭାବେ ସେହି ଦିନରୁ ଜେଲରେ ଅଟକ ରହିଥିଲା। ସ୍ପେଶାଲ କେସ ନଂ-୯୩/୧୩ରେ ବିଚାର କରି ମାନ୍ୟବର କୋର୍ଟ ରଞ୍ଜନକୁ ପ୍ରମାଣ ଅଭାବରୁ ଖଲାସ କରିଥିବା ବେଳେ ସପନକୁ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି। ପୀଡିତାଙ୍କ ତରଫରୁ ସରକାରୀ ଓକିଲ ମନୋରଂଜନ ଦାସ ମାମଲା ପରିଚାଳନା କରୁଥିଲେ।