ବିପ୍ଳବୀ ଚକ୍ରଧର ବେହେରାଙ୍କୁ କେବେ ଚିହ୍ନିବ ଓଡ଼ିଶା

0 53

ଭଦ୍ରକ (ହରିହର ନାୟକ): କନିକା ପ୍ରଜା ଆନ୍ଦୋଳନର ମୁଖ୍ୟ ସୂତ୍ରଧର ବୀପ୍ଳବୀ ବୀର ଚକ୍ରଧର ବେହେରାଙ୍କର ୪୫ତମ ଶ୍ରାଦ୍ଧ ବାର୍ଷିକୀ ତାଙ୍କ ଜନ୍ମ ମାଟି ଭଦ୍ରକ ଜିଲ୍ଲାର ଘଣ୍ଟେଶ୍ୱର ଠାରେ ପାଳିତ ହୋଇଯାଇଛି। ବିପ୍ଳବୀ ଚକ୍ରଧରଙ୍କୁ ଏ ମାଟି ଯେମିତି ଚିହ୍ନିବା କଥା, ସେମିତି ଭାବେ ଚିହ୍ନି ପାରି ନାହିଁ। ଯେଉଁ ମଣିଷ ତାଙ୍କର ତମାମ ଜୀବନ ଏ ମାଟିର ଅସହାୟ ମଣିଷଙ୍କ ପାଇଁ ସଂଗ୍ରାମ କଲା। ନିଜର ସବୁ ସୁଖ ଶାନ୍ତିକୁ ଜଳାଂଜଳି ଦେଇ ମାଟି ମାଆର ସେବା କଲା। ସେଇ ମାଟିର ମଣିଷ ତାଙ୍କୁ ଯେମିତି ଭାବେ ପୂଜ୍ୟପୂଜାର ସମ୍ମାନ ଦେବା କଥା ତାହା କରି ନାହିଁ। ଅତ୍ୟାଚାରୀ କନିକାରାଜ ଶାସନର ଚକ୍ରବ୍ୟୁହରୁ ଯନ୍ତ୍ରଣା ଜର୍ଜରିତ ମେହନତି ମଣିଷ ଓ ଚାଷୀମାନଙ୍କର ହକ୍‌ ପାଇଁ ସେଦିନ ବିପ୍ଳବୀ ଚକ୍ରଧର ଯେଉଁ ପ୍ରତିବାଦର ସ୍ୱର ଉଠାଇଥିଲେ। ଜାତିର ପିିତା ମହାତ୍ମା ଗାନ୍ଧୀଙ୍କର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସାଧାରଣ ଲୋକଙ୍କ ଓଠରେ ଟିକିଏ ହସ ଫୁଟାଇବା ପାଇଁ ଯେଉଁ ସଂଗ୍ରାମ ଜାରି ରଖିଥିଲେ। ଆଜି ସେସବୁ କଥା ଇତିହାସ ପାଲଟି ଯାଇଛି। ସେଥିପାଇଁ ତ ଚକ୍ରଧର ଏ ଜାତି ପାଇଁ ଏକ ସ୍ମରଣୀୟ ଇତିହାସ।

ଏକଥା କହିବାରେ ଦ୍ଵିଧା ନାହିଁ। କନିକା ପ୍ରଜା ଆନ୍ଦୋଳନର ଇତିହାସର ପୃଷ୍ଠା ଓଲଟାଇଲେ ପ୍ରତି ପୃଷ୍ଠାରେ ଚକ୍ରଧରଙ୍କର ବିପ୍ଳବର ଗାଥା ଆପଣାଛାଏଁ ବାରି ହୋଇପଡେ। ଚକ୍ରଧର ବାବୁ ଥିଲେ ଚାଷୀ ମୂଲିଆର ନେତା। ଆଉ ଚାଷୀ ମୂଲିଆ ଥିଲେ ତାଙ୍କର ସବୁକିଛି। ଚାଷୀ ମୂଲିଆଙ୍କ ପାଇଁ ଚକ୍ରଧର ସବୁସ୍ତରରେ ସଂଗ୍ରାମ ଜାରି ରଖିଥିଲେ। ତାଙ୍କ ଜୀବନ ସଂଗ୍ରାମ କୌଣସି ଉପନ୍ୟାସର ରୋମାଞ୍ଚକର କାହାଣୀ ଠାରୁ କମ୍‌ ନୁହେଁ। ଅତ୍ୟାଚାରୀ କନିକା ଜମିଦାରଙ୍କ ପିଆଦା ଆଖିରେ ଧୂଳି ଦେଇ ସେ କିଭଳି ଜଣେ ମହିଳାଙ୍କର ଆଭରଣ ପିନ୍ଧି ଖସି ପଳାଇ ଯାଇଥିଲେ। ତାହା ଯେତିକି ବିସ୍ମୟକର, ମାସ ମାସ ଧରି ଯେଭଳି ଭାବେ ଲୁଚିଛପି କନିକାର ପ୍ରଜା ଆନ୍ଦୋଳନକୁ କିଭଳି ବଞ୍ଚାଇ ରଖିଥିଲେ, ତାହାମଧ୍ୟ ସେହିଭଳି ଆଶ୍ଚଯ୍ୟର୍ଜନକ।

ବିପ୍ଳବୀ ଚକ୍ରଧର ବେହେରା ଓଡ଼ିଶା ଇତିହାସରେ ଯେଉଁ ସ୍ଥାନ ପାଇବା କଥା, ତାହା ଏ ପଯ୍ୟର୍ନ୍ତ ପାଇ ପାରି ନାହାନ୍ତି। ଏହା ଭିତରେ ତାଙ୍କର ଜନ୍ମ ଶତବାର୍ଷିକୀ ବି ପାଳିତ ହୋଇଯାଇଛି। ମାତ୍ର ଭଦ୍ରକ ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ସ୍ମୃ୍‌ତି ଉଦ୍ଦେଶ୍ୟରେ ପ୍ରତିମୂର୍ତ୍ତିଟିଏ ସ୍ଥାପନ କରାଯାଇ ନାହିଁ। ପ୍ରତିମୂର୍ତ୍ତି ହେଉଛି ପୂଜ୍ୟପୂଜାର ଏକ ପ୍ରତୀକ। ପୂର୍ବ ପୁରୁଷଙ୍କୁ ମନେ ପକାଇବା ପାଇଁ ଏହା ଏକ ମାଧ୍ୟମ। ଏଇ ସଂଗ୍ରାମୀଙ୍କ ସ୍ମୃତି ପାଇଁ ଏ ସରକାର ସେତିକି ବି କରିପାରି ନାହାନ୍ତି। ଆନ୍ତରିକତାର ଅଭାବ ପାଇଁ ତାଙ୍କର ପ୍ରତିମୂର୍ତ୍ତିଟିଏ ସ୍ଥାପନ ହୋଇ ନାହିଁ। ବିଭିନ୍ନ ସମୟରେ ଭଦ୍ରକ ଓ ଚାନ୍ଦବାଲିର ବିଭିନ୍ନ ସଂଗଠନ ପକ୍ଷରୁ ବିପ୍ଳବୀ ଚକ୍ରଧର ବେହେରାଙ୍କର ସ୍ମୃତି ରକ୍ଷା ପାଇଁ ଭଦ୍ରକ ସହରର କୌଣସି ପ୍ରମୁଖ ଛକରେ ହେଉ କିମ୍ବା ଚାନ୍ଦବାଲି ସହରର କୌଣସି ପ୍ରମୁଖ ଛକରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି କରାଯାଇଛି। ମାତ୍ର ଆମ ଲୋକପ୍ରତିନିଧି ଓ ରାଜ୍ୟ ସରକାର ଏ ଦାବି ପ୍ରତି କେବେ ଦୃଷ୍ଟି ଦେଇ ନାହାନ୍ତି। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବହୁ ସଂଗ୍ରାମୀ, ସାହିତ୍ୟିକ ଓ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରି ପୂଜ୍ୟପୂଜାକୁ ସମ୍ମାନ ଦେଉଛି। ଭଦ୍ରକ ମାଟିର ଏଇ ସଂଗ୍ରାମୀ ବୀର ବିପ୍ଳବୀ ଚକ୍ରଧରଙ୍କର ପ୍ରତିମୂର୍ତ୍ତିଟିଏ ସ୍ଥାପନ ପାଇଁ କେବେ ପ୍ରଶାସନିକସ୍ତରରେ କିମ୍ବା ଆମ ରାଜନେତାଙ୍କ ମହଲରେ ଆଲୋଚନା ହୋଇ ନାହିାଁ ଏହାକୁ ବିଡମ୍ବନା ଭିନ୍ନ ଆଉ କଣ କୁହାଯାଇ ପାରେ।

କନିକାର ଗାନ୍ଧୀ ବୋଲି କହିଲେ, ଏକଦା ଚକ୍ରଧରଙ୍କୁ ହିଁ ସମ୍ବୋଧନ କରି କୁହାଯାଉଥିଲା। ସେ ସମୟରେ ଚକ୍ରଧର ବାବୁ ଆସିଲେ, ହେଇ କନିକାର ଗାନ୍ଧୀ ଆସୁଛନ୍ତି ବୋଲି ହୁରି ପଡୁଥିଲା। ନିଜ ଜୀବନକୁ ଲୋକଙ୍କର ସେବା ପାଇଁ ଉତ୍ସର୍ଗ କରି ଚକ୍ରଧର ଏ ମାଟିର ସ୍ୱର୍ଣର୍ ଇତିହାସରେ ନିଜର ନାଁ ଲେଖିଯାଇଛନ୍ତି। ସେ ନାଁକୁ ଯେତେ ଅଣଦେଖା କଲେ ମଧ୍ୟ ସେ ଆଉ ଲିଭିବାର ନାହିଁ। ସେଇ ସଂଗ୍ରାମୀ ବୀରର ଦାୟଦ ଭାବରେ ଆମର କଣ ତାଙ୍କ ପାଇଁ କିଛି ଦାୟିତ୍ଵବୋଧ ନାହିଁ। ତାଙ୍କ ସ୍ମୃତି ପାଇଁ ଆମର କଣ କିଛି କର୍ତ୍ତବ୍ୟବୋଧ ନାହିଁ। ଅନେକ ଅଭୁଲା ସ୍ମୃତିକୁ ସାଉଁଟି ପ୍ରତିମୂର୍ତ୍ତିର ପ୍ରତିଛବିରେ ଜୀବନ୍ତ କରି ରଖୁଥିବା ଆମ ସଂସ୍କୃତି ବିଭାଗ କେବେ ବିପ୍ଲବୀ ଚକ୍ରଧରଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବେ ତାହାକୁ କେବଳ ଜିଲ୍ଲାବାସୀ ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.