ବରିଷ୍ଠ ବିଜେଡି ନେତା ତଥା ପାଟକୁରା ବିଧାୟକ ବେଦ ପ୍ରକାଶଙ୍କ ପରଲୋକ

ଭୁବନେଶ୍ବର/କେନ୍ଦ୍ରାପଡା/ଗରଦପୁର : ବରିଷ୍ଠ ବିଜେଡି ନେତା ତଥା ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କର ଆଜି ପରଲୋକ ହୋଇଯାଇଛି। ଶ୍ରୀ ଅଗ୍ରୱାଲ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଭୁବନେଶ୍ବରର କେୟାର ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଚଳିତ ନିର୍ବାଚନରେ ବିଜେଡି ଟିକେଟ୍‌ ପାଇଲା ପରେ ସେ ହସ୍ପିଟାଲ୍‌ରୁ ଯାଇ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଗତ ୧୩ ତାରିଖରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପୁଣି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ଅଧିକ ଗୁରୁତର ହୋଇପଡ଼ିଥିଲା। ଆଜି ସକାଳେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା।

ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେଲା ପରେ ‌ହସ୍ପିଟାଲ୍‌ରେ ବନ୍ଧୁ, ଶୁଭେଚ୍ଛୁ, ସମର୍ଥକ ଓ ରାଜନୈତିକ ନେତାଙ୍କ ଭିଡ଼ ଜମିଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ, ପୁଅ ସଞ୍ଜୟ ଅଗ୍ରୱାଲ, ଦୁଇ ଝିଅ ମଧୁମିତା ଅଗ୍ରୱାଲ ଓ ବୁଲବୁଲ ମୋଦୀ ଉପସ୍ଥିତ ଥିଲେ। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ବିଧାୟକ କିଶୋର ତରାଇ, ବିଜେଡିର ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ, ଉତ୍ତର ଭୁବନେଶ୍ବର ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ, ବିଜୁ ଯୁବ ଜନତା ଦଳର ସଭାପତି ଅମରେଶ ପତ୍ରୀ, ଖଦୀ ବୋର୍ଡ ଅଧ୍ୟକ୍ଷ ତେଜେଶ୍ବର ପରିଡ଼ା, ବିଜୁ ଯୁବ ଜନତା ଉପଦେଷ୍ଟା ରବି ସାମଲ ଓ ଯୁବ ‌େନତା ରାଜେଶ ଦାସ ପ୍ରମୁଖ ସେଠାରେ ପହଞ୍ଚିଥିଲେ। ଏହା ପରେ ମରଶରୀରକୁ ତାଙ୍କ ସରକାରୀ ବାସଭବନକୁ ଅଣାଯାଇଥିଲା। ବିଜେଡି ଉପସଭାପତି ପ୍ରଫୁଲ୍ଲ ଘଡ଼ାଇ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ସ‌େମତ ସେଠାରେ ବିଭିନ୍ନ ଦଳର ବହୁ ବରିଷ୍ଠ ନେତା, ପାଟକୁରା ଆସିଥିବା ଶତାଧିକ ସମର୍ଥକ, ମାରୱାଡି ସଂଗଠନର କର୍ମକର୍ତ୍ତାମାନେ ଶେଷ ଦର୍ଶନ କରିଥିଲେ।

ଏହା ପରେ ତାଙ୍କ ମର ଶରୀରକୁ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ‌ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପରିବାର ସଦସ୍ୟମାନଙ୍କୁ ସମବେଦନା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ସକାଳୁ ନିର୍ବାଚନ ପ୍ରଚାରରେ ଅନୁଗୁଳ ଯାଇଥିଲେ ବି ଗସ୍ତ କାର୍ଯ୍ୟ କାଣ୍ଟଛାଣ୍ଟ୍‌ କରି ଶେଷ ଦର୍ଶନ ପାଇଁ ଭୁବନେଶ୍ବର ଆସିଥିଲେ। ପରେ ପୁଣି ବିମାନରେ ଯାଇ ରେଙ୍ଗାଳି କାର୍ଯ୍ୟକ୍ରମରେ େଯାଗ ଦେଇଥିଲେ। ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକଙ୍କ ସମେତ ଦଳର ବହୁ ନେତା ସେଠାରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହା ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ କେନ୍ଦ୍ରାପଡ଼ାସ୍ଥିତ ବାସଭବନକୁ ଅଣାଯାଇଥିଲା। ସେଠାରେ ଶେଷ ଦର୍ଶନ ପାଇଁ ଭିଡ଼ ଜମିଥିଲା। ରିେପାର୍ଟ େଲଖା େହବା େବଳକୁ ତାଙ୍କ ପାର୍ଥିବ ଶରୀର ଏକ ଶୋଭାଯାତ୍ରାରେ ପାଟକୁରା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ।

ରାଜନୈତିକ ଜୀବନ

କେନ୍ଦ୍ରାପଡ଼ାରୁ ୪ ଥର ଏବଂ ପାଟକୁରାରୁ ୨ ଥର ବିଧାୟକ ହୋଇଥିବା ବେଦପ୍ରକାଶଙ୍କ ଜନ୍ମ ୧୯୩୭ ମସିହା ଜାନୁଆରି ୧୬ ତାରିଖରେ। ପିତା ରାମାନନ୍ଦ ଲାଲ୍ ଓ ମାତା କମଳା ଦେବୀ। ବେଦପ୍ରକାଶ କୋଲକାତାର ପ୍ରେସିଡେନ୍ସି କଲେଜ ଓ କଟକର ରେଭେନ୍ସା କଲେଜରୁ ଉଚ୍ଚଶିକ୍ଷା ହାସଲ କରିଥିଲେ। ଛାତ୍ର ଜୀବନରୁ ରାଜନୀତିରେ ଜଡ଼ିତ ରହି ସେ କେନ୍ଦ୍ରାପଡ଼ା ପୌର ପରିଷଦର କାଉନ୍‌ସିଲର୍‌(୧୯୫୭ ଓ ୧୯୬୩) ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୧୯୭୦ରେ କେନ୍ଦ୍ରାପଡ଼ା ପୌର ପରିଷଦ ଅଧ୍ୟକ୍ଷ ଓ ୧୯୭୪ରେ କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରରୁ ଉତ୍କଳ କଂଗ୍ରେସ ଦଳ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ। ପୁଣି ୧୯୭୭ରେ ଜନତା ପାର୍ଟିର ପ୍ରାର୍ଥୀ ଭାବେ କେନ୍ଦ୍ରାପଡ଼ା କ୍ଷେତ୍ରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହି ସମୟରେ ତାଙ୍କୁ ଜନତା ପାର୍ଟିର ରାଜ୍ୟ କୋଷାଧ୍ୟକ୍ଷ ପଦ ମିଳିଥିଲା । ୧୯୭୮ରେ ସରକାରୀ ଦଳର ମୁଖ୍ୟ ସଚେତକ ୧୯୭୯ରେ ସଂସଦୀୟ ବ୍ୟାପାର, ପରିବହନ ବାଣିଜ୍ୟ ବିଭାଗ ମନ୍ତ୍ରୀ ହୋଇଥିଲେ। ୧୯୯୦ରେ ତୃତୀୟ ଥର ପାଇଁ ଜନତା ଦଳ ଟିକେଟରେ କେନ୍ଦ୍ରାପଡ଼ା ବିଧାନସଭାକୁ ନିର୍ବାଚିତ ହୋଇ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ତଳରେ ଅର୍ଥ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ (୧୯୯୧ରୁ ୯୫) ଓ ୧୯୯୩ ରେ ରାଜ୍ୟ ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ ।

୧୯୯୬ରେ ଶ୍ରୀ ଅଗ୍ରୱାଲ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ୨୦୦୦ ମସିହାରେ ବିଜେପି ଟିକେଟ୍‌ରେ ଚତୁର୍ଥ ଥର ପାଇଁ କେନ୍ଦ୍ରାପଡ଼ାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ତଳରେ ଖାଦ୍ୟ , ଯୋଗାଣ, ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ହୋଇଥିଲେ। ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ୨୦୦୯ରେ ବିଜେଡି-ବିଜେପି ‌େମଣ୍ଟ ଭାଙ୍ଗିଲା ପରେ ଶ୍ରୀ ଅଗ୍ରୱାଲ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ୨୦୦୯ ନିର୍ବାଚନରେ କେନ୍ଦ୍ରାପଡ଼ା ବିଧାନସଭା ଆସନ ସଂରକ୍ଷିତ ଘୋଷଣା ହେବାରୁ ସେ ପାଟକୁରାରୁ ପ୍ରାର୍ଥୀ ହୋଇ ୨୦୦୯ ଓ ୨୦୧୪ରେ ଲଗାତାର ଭାବେ ନିର୍ବାଚିତ ହୋଇ ବିଧାନସଭାକୁ ପ୍ରତିନିଧିତ୍ବ କରିଥିଲେ।

କଟକରୁ ଜଗତସିଂପୁର ଜିଲ୍ଲା ମଧ୍ୟକୁ ସଡ଼କ ସଂଯୋଗ ସ୍ଥାପନ ନିମନ୍ତେ ମହାନଦୀ, ପାଇକା, ଚିତ୍ରୋତ୍ପଳା ନଦୀ ଉପରେ ଓ ଯାଜପୁରକୁ ସଂଯୋଗ ପାଇଁ ବିରୂପା ନଦୀରେ ନିର୍ମାଣାଧୀନ ପୋଲ ତାଙ୍କର ଅନନ୍ୟ କୃତୀ । ଉଚ୍ଚ ଶିକ୍ଷାର ପ୍ରସାର ପାଇଁ ତୁଳସୀ ମହିଳା କଳେଜ, କେନ୍ଦ୍ରାପଡ଼ା ସାଂଧ୍ୟ କଲେଜ, ଡେରାବିଶ କଲେଜ, ଛତା ପଲିଟେକନିକ୍, କେନ୍ଦ୍ରାପଡ଼ାକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଓ କୋର୍ଟ ନିର୍ମାଣ ପ୍ରକଳ୍ପ ପାଇଁ ସେ ସର୍ବଦା ଚିରସ୍ମରଣୀୟ ହୋଇ ରହିବେ।

ସମ୍ବନ୍ଧିତ ଖବର