ବିଜେଡି ନେତ୍ରୀ ମୀନାକ୍ଷୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା : ଅବସ୍ଥା ସଂକଟାପନ୍ନ, ପୁଅକୁ ଅନ୍ତରୀଣ ଜାମିନ୍‌

ବ୍ରହ୍ମପୁର : ପୁଅକୁ ନ୍ୟାୟ ଦାବିରେ ବ୍ରହ୍ମପୁର ଜିଲ୍ଲା ପୁଲିସ ମୁଖ୍ୟାଳୟ ପରିସରରେ ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ଆତ୍ମାହୁତି ଉଦ୍ୟମ ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ମୀନାକ୍ଷୀଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ବେଳେ କଟକ ଏସ୍‌ସିବିରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କ ଶରୀରର ପାଖାପାଖି ୯୦ପ୍ରତିଶତ ପୋଡ଼ିଯାଇଛି ଓ ସେ ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏପଟେ ଗିରଫ ହୋଇ ଜେଲ୍‌ ଯାଇଥିବା ତାଙ୍କ ପୁଅ କୃତ୍ତିବାସ ମିଶ୍ର ଓରଫ୍‌ ରାଜାଙ୍କୁ ଅନ୍ତରୀଣ ଜାମିନ୍‌ ମିଳିଛି। ସଂଧ୍ୟାରେ ରାଜା ଜେଲ୍‌ରୁ ମୁକୁଳିଥିବା ଜଣାପଡ଼ିଛି। ସେପଟେ ପୁଲିସ ରାଜାଙ୍କୁ ଆକ୍ରମଣ ଘଟଣାରେ ଗିରଫ କରିଥିବା ଅଭିଯୁକ୍ତଙ୍କୁ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରି ବୟାନ୍‌ ରେକର୍ଡ଼ କରାଇଛି। ଗତ ୨୮ତାରିଖ ଦିନ ଘଟଣାସ୍ଥଳରେ ଉପସ୍ଥିତ ଜଣେ ଯୁବକ ମଧ୍ୟ କୋର୍ଟରେ ହାଜର ହୋଇ ବୟାନ ଦେଇଛନ୍ତି। ଏଣେ ଆଜି ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇଙ୍କ ନେତୃତ୍ବରେ ଏକ ପ୍ରତିନିଧିଦଳ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କୁ ସାକ୍ଷାତ କରିଛନ୍ତି। ସେମାନେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମହିଳାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ଅଥଚ ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କଲେ। ମୀନାକ୍ଷୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଯେଉଁମାନେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଦାୟୀ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମହିଳା ବିଜେଡି ଦାବି କରିଛି।

ସମ୍ବନ୍ଧିତ ଖବର