ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କ ପାଖରେ ବନ୍ଧା ପଡ଼ିଛନ୍ତି ସିଇଓ

ପୁଣି ସିଇଓଙ୍କୁ ଟାର୍ଗେଟ୍‌ କଲା ବିଜେପି

ଭୁବନେଶ୍ବର: ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ପୁଣି ଟାର୍ଗେଟ୍‌ କରିଛି ବିଜେପି। ଦଳ ପକ୍ଷରୁ ଅଭିଯୋଗ କରାଯାଇଛି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଣଓଡ଼ିଆ ସରକାରୀ ଅଧିକାରୀମାନେ ଚଳିତ ନିର୍ବାଚନରେ ବିଜେଡିକୁ ଜିତାଇବା ପାଇଁ ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇଛନ୍ତି। ସେମାନେ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଂଘନ କରି ନିର୍ବାଚନକୁ ପ୍ରଭାବିତ କରୁଛନ୍ତି। ସେମାନଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଯେତେ ଅଭିଯୋଗ କଲେ ବି ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ଏହି ଅଧିକାରୀମାନଙ୍କ ନିକଟରେ ସିଇଓ ବନ୍ଧା ପଡ଼ିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ଗୁଇନ୍ଦା ବିଭାଗର ଡିଆଇଜି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ୍ ଅଧିକାରୀ ଆଶିଷ ସିଂହ ବିଜେଡି ଏଜେଣ୍ଟ ପରି କାମ କରୁଥିବା ନେଇ ସିଇଓଙ୍କ ନିକଟରେ ବିଜେପି ଅନେକ ଥର ଅଭିଯୋଗ କଲାଣି। ନିଜ ବାସଭବନରେ ସେ ବିଜେଡି ନେତାମାନଙ୍କ ସହ ନିର୍ବାଚନ ରଣନୀତି ବୈଠକ କରିବା ସହ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ବିଜେଡି ପାଇଁ କାମ କରିବାକୁ ବାଧ୍ୟ କରୁଛନ୍ତି। ଦୁଇ ଦିନ ତଳେ ଗଞ୍ଜାମର ଏକ ଘରୋଇ ହୋଟେଲ୍‌ରେ ବିଜେଡିର ସମସ୍ତଙ୍କ ନେତାଙ୍କ ବୈଠକ ଓ ଅର୍ଥ ବଣ୍ଟାଯିବାର ଯୋଜନା ଶ୍ରୀ ସିଂହ କରୁଥିଲେ। ତାଙ୍କରି ନିର୍ଦ୍ଦେଶରେ ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପିର ପ୍ରାର୍ଥୀମାନଙ୍କୁ ହଇରାଣ କରାଯାଉଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ୍ ମଧ୍ୟ ବିଜେଡି ଟିକେଟ୍‌ ବଣ୍ଟା ଠାରୁ ଆରମ୍ଭ କରି ବିଜେଡିର ନିର୍ବାଚନ ପ୍ରଚାରର ସମସ୍ତ କାର୍ଯ୍ୟ ନିଜେ କରୁଛନ୍ତି। ତାଙ୍କ ବିରୋଧରେ ଏପରି ରାଜନୈତିକ ଅଭିଯୋଗ ଅତି ପୁରୁଣା। ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରରେ ଅନେକ ତ୍ରୁଟି ଥିବା ସତ୍ତ୍ବେ ସେମାନଙ୍କର ନାମାଙ୍କନ ଖାରଜ କରାଯାଉ ନାହିଁ। ଶ୍ରୀ ସିଂହ ଓ ଶ୍ରୀ ପାଣ୍ଡିଆନ୍‌ଙ୍କ ନିର୍ଦ୍ଦେଶରେ ରିଟର୍ଣ୍ଣିଂ ଅଫିସର୍‌ମାନେ ବିଜେଡି ପ୍ରାର୍ଥୀମାନଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେପି ସମ୍ପାଦକ ଯତୀନ ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର