କେନ୍ଦ୍ରୀୟ ପ୍ରକଳ୍ପକୁ ରାଜ୍ୟ ସରକାର ବିଳମ୍ବରେ ମଞ୍ଜୁର କରୁଛନ୍ତି : ବିଜେପି
ଭୁବନେଶ୍ବର : ରାଜ୍ୟ ସରକାର ଦୁଇ ଦିନ ତଳେ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶକୁ ମଞ୍ଜୁରୀ ଦେଇଛନ୍ତି। ସେଥିରୁ ପାରାଦୀପ ରିଫାଇନାରିର ପରିବର୍ଦ୍ଧିତ ପ୍ରକଳ୍ପର ପୁଞ୍ଜି ହେଉଛି ୧ ଲକ୍ଷ କୋଟି ଟଙ୍କା। ତାହା ବାଦ୍ ରହିଛି ହଳଦିଆ ପେଟ୍ରୋକେମିକାଲ୍ ଓ ତାଳଚେର ଫର୍ଟିଲାଇଜର୍। କେନ୍ଦ୍ର ସରକାର ବହୁ ପୂର୍ବରୁ ଏହି ପ୍ରକଳ୍ପଗୁଡ଼ିକୁ ମଞ୍ଜୁରୀ ଦେବା ସହ ରାଜ୍ୟ ସରକାରଙ୍କ ଏନ୍ଓସି ପାଇବା ପାଇଁ ଅପେକ୍ଷା କରିଥିଲେ। କିନ୍ତୁ ରାଜ୍ୟ ସରକାର ନିଜ ହୀନ ରାଜନୈତିକ କାରଣ ପାଇଁ କେନ୍ଦ୍ରର ଏହି ପ୍ରକଳ୍ପଗୁଡ଼ିକୁ ଅଟକାଇଥିଲେ। ଏବେ ସେହି ପୁରୁଣା ପ୍ରକଳ୍ପକୁ ମଞ୍ଜୁରୀ ଦେଇ ଓଡ଼ିଆ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ସମୀର ମହାନ୍ତି କହିଲେ, କେନ୍ଦ୍ର ସରକାରଙ୍କ ପୁରୁଣା ପ୍ରକଳ୍ପଗୁଡ଼ିକୁ ମଞ୍ଜୁରୀ ଦେଲେ କାେଳ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ନାଁ ନେଇଯିବେ, ସେଥି ପାଇଁ ହୀନ ମାନସିକତା ରଖି ରାଜ୍ୟ ସରକାର ତାହାକୁ ଅଟକାଇ ଦେଇଥିଲେ। ତାମିଲ କମ୍ପାନି ଠାରୁ ଆରମ୍ଭ କରି ବିଭିନ୍ନ ଘରୋଇ କମ୍ପାନିମାନଙ୍କୁ ବିନା ବାଧାରେ ରାଜ୍ୟ ସରକାର ଏନ୍ଓସି ଦେଉଥିଲା ବେଳେ କେନ୍ଦ୍ରୀୟ ପ୍ରକଳ୍ପକୁ ଏନ୍ଓସି ଦେବାରେ ମୁଖ୍ୟମନ୍ତ୍ରୀଙ୍କୁ କଷ୍ଟ ହେଉଥିଲା। ନୀରବ ମୋଦୀଙ୍କ ସାଙ୍ଗରେ ଏମ୍ଓୟୁ କରି ୬୦/୭୦ ଏକର ଜମି ଦେଇଦେଲେ। କିନ୍ତୁ କେନ୍ଦ୍ରୀୟ ପ୍ରକଳ୍ପ ପାଇଁ ବାଧକ ସାଜିଲେ।
କାମ ଆରମ୍ଭ ହୋଇପାରୁ ନ ଥିବା କେନ୍ଦ୍ରୀୟ ପ୍ରକଳ୍ପର ତାଲିକା ଦେଇ ଶ୍ରୀ ମହାନ୍ତି କହିଲେ, ଭଦ୍ରକର ଜାତୀୟ ରାଜପଥ କଡ଼ରେ ୧୯୭୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଟେକ୍ସଟାଇଲ୍ ପାର୍କ ପାଇଁ ଆବଶ୍ୟକ ହେଉଥିବା ୭୫ ଏକର ଜମି ଓଡ଼ିଶା ସରକାର ଯୋଗାଇ ନାହାନ୍ତି। ଡେରାସରେ ମେରାଇନ୍ ଫୁଡ୍ ପ୍ରୋସେସିଂ ପ୍ଲାଣ୍ଟ୍ ନିର୍ମାଣ ହେଲେ ଓଡ଼ିଆମାନେ ଚିଙ୍ଗୁଡ଼ି କାରଖାନା କରି କାମ କରିପାରନ୍ତେ। କେନ୍ଦ୍ର ସରକାର ପଇସା ଖର୍ଚ୍ଚ କରିବାକୁ ରାଜି ଥିଲେ ମଧ୍ୟ ରାଜ୍ୟ ସରକାର ସହଯୋଗ କରୁ ନାହାନ୍ତି। ବକ୍ସି ଜଗବନ୍ଧୁଙ୍କ ସ୍ମାରକୀ ପାଇଁ ମୁଖ୍ୟମନ୍ତ୍ରୀ ମାଗଣାରେ ଜମି ଦେବାକୁ କହିଥିଲେ ବି ଏ ପର୍ଯ୍ୟନ୍ତ ଜମି ମିଳି ନାହିଁ। ଏନ୍ଟିପିସିର ୧୦ ହଜାର କୋଟି ଟଙ୍କା ବ୍ୟୟରେ ୧୩୨୦ ମେଗାୱାଟ୍ ତାଳଚେର ପ୍ରକଳ୍ପର ସମ୍ପ୍ରସାରଣରେ ରାଜ୍ୟ ସରକାର ସହଯୋଗ କରୁ ନାହାନ୍ତି। ଦାମନଯୋଡ଼ି ଆଲୁମିନିୟମ୍ ରିଫାଇନାରି ପ୍ରକଳ୍ପ ୨୦୧୭ ମସିହାରୁ ରାଜ୍ୟ ସରକାରଙ୍କ ଅସହଯୋଗ କାରଣରୁ ସ୍ଥଗିତ ରହିଛି। ମୁଖ୍ୟ ଶାସନ ସଚିବ ସବୁ ଫାଇଲ୍ ରକେଟ୍ ଗତିରେ ଗଡ଼ିବ ବୋଲି କହୁଥିଲେ। ଏସବୁ ପ୍ରକଳ୍ପ ଫାଇଲ୍କୁ ରାଜ୍ୟ ସରକାର ରକେଟ୍ ଗତିରେ ଦୌଡ଼ାଇବେ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର କାଳେ ବାହାବା ନେଇଯିବେ, ସେଥି ପାଇଁ ରାଜ୍ୟ ସରକାର ପ୍ରକଳ୍ପଗୁଡ଼ିକର କାମ ଆରମ୍ଭ କରିବାକୁ ଦେଲେ ନାହିଁ ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଓ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।