କାମରେ ଆସୁନି ଗୁଣି ଗାରେଡ଼ି ନିରୋଧ ଆଇନ: ସପ୍ତାହରେ ଗଡ଼ିଲାଣି ୬ ମୁଣ୍ଡ, ୯ ମାସରେ ୩୨
ଆଗରେ ରହିଛି ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା
ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲରମ୍ବା ଥାନା ଚିଟକାମାଲ ଗାଁରେ ଗୁଣି ଗାରେଡି ସନ୍ଦେହରେ ଦମ୍ପତି ଚିନ୍ତାମଣି ବରିହା ଓ ରୁକ୍ମଣୀ ବରିହାଙ୍କୁ ହତ୍ୟା। ଏହାର ଦୁଇ ଦିନ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅଧୀନ ଗାଇତେଗାଁ ରାବଣଟୋଲା ବସ୍ତିରେ ଡାଆଣୀ ସନ୍ଦେହରେ ମା’ ଗାଙ୍ଗୀ କାରକେଟା ଓ ନାବାଳିକା ଝିଅ ଶିବାନୀ କାରକେଟାଙ୍କୁ ହତ୍ୟା କରି ନଦୀରେ ଭସାଇ ଦେଲେ। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଧୀନରେ ଡାଆଣୀ ସନ୍ଦେହରେ ଦୁଇ ଜଣ ମହିଳାଙ୍କୁ ହତ୍ୟା। ଗୁଣି ଗାରେଡି ଓ ଡାଆଣୀ ସନ୍ଦେହରେ ଚଳିତ ସପ୍ତାହରେ ରାଜ୍ୟର ୩ଟି ସ୍ଥାନରେ ଏଭଳି ଭାବେ ୬ ଜଣଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି। କେବଳ ଚଳିତ ସପ୍ତାହ କାହିଁକି; ଚଳିତ ବର୍ଷ ୯ ମାସ ମଧ୍ୟରେ ରାଜ୍ୟରେ ୩୨ ଜଣଙ୍କୁ ହତ୍ୟା କରାଯାଇ ସାରିଲାଣି। କେତେବେଳେ କାହାକୁ ଡାଆଣୀ ସନ୍ଦେହରେ ହତ୍ୟା କଲେଣି ତ ଆଉ କେଉଁଠି ଗୁଣି ଗାରେଡି ସନ୍ଦେହରେ ଗାଁ ଦାଣ୍ଡରେ ପିଟିପିଟି ହତ୍ୟା କରୁଛନ୍ତି। ଯେତେ ସଚେତନ କଲେ ମଧ୍ୟ ଅନ୍ଧ ବିଶ୍ବାସରୁ ମୁକୁଳି ପାରୁନାହାନ୍ତି ଲୋକେ। ଏଭଳି ହତ୍ୟାକାଣ୍ଡ ଦିନକୁ ଦିନ ବଢ଼ିବା ପରେ ଗୁଣି ଗାରେଡି ନିରୋଧ ଆଇନର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଲାଣି। ରାଜ୍ୟର ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ନବରଙ୍ଗପୁର, ମାଲାକାନଗିରି, ନୂଆପଡ଼ା, ଗଞ୍ଜାମ, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣାମାନ ଘଟୁଛି। ଏହି ସବୁ ଜିଲ୍ଲାରେ ଥାନାରେ ରୁଜୁ ହେଉଥିବା ମାମଲା ମଧ୍ୟରୁ ୩୦ ପ୍ରତିଶତ ହେଉଛି ଗୁଣି ଗାରେଡି ଜନିତ ମାମଲା। ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଏଭଳି ମାମଲା ସର୍ବାଗ୍ରେ ରହିଛି। କ୍ରାଇମ ବ୍ରାଞ୍ଚଠାରୁ ଯାହା ସୂଚନା ମିଳିଛି, ତାହା ଏହି ଭଳି। ରାଜ୍ୟରେ ୨୦୧୬ ମସିହାରେ ଗୁଣି ଗାରେଡି ସନ୍ଦେହରେ ୫୮ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ, ୨୦୧୭ରେ ୩୬, ୨୦୧୮ରେ ୩୯ ଓ ୨୦୧୯ରେ ଏବେ ସୁଦ୍ଧା ୩୨ ଜଣ ହତ୍ୟାର ଶିକାର ହେଲେଣି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟରେ ପ୍ରତି ବର୍ଷ ଏଭଳି ଅନ୍ଧ ବିଶ୍ବାସ ଜନିତ ହତ୍ୟାକାଣ୍ଡ ବଢ଼ି ଚାଲିବା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ହେତୁବାଦୀମାନେ। ହେତୁବାଦୀ ଦେବେନ୍ଦ୍ର ସୂତାର କହିଛନ୍ତି, କୃଷକ ଆତ୍ମହତ୍ୟା, ନକ୍ସଲ ହତ୍ୟାଠାରୁ ବର୍ତମାନ ଅତ୍ୟନ୍ତ ସାଂଘାତିକ ପରିସ୍ଥିତିରେ ପହଞ୍ଚିଲାଣି ଗୁଣି ଗାରେଡି ଓ ଡାଆଣୀ ସନ୍ଦେହ ଜନକ ହତ୍ୟା ମାମଲା। ପ୍ରତ୍ୟେକ ବର୍ଷ ରାଜ୍ୟରେ ପାଖାପାଖି ୫୦ଟି ହତ୍ୟାକାଣ୍ଡ ଏଭଳି କୁସଂସ୍କାର ଓ ଅନ୍ଧ ବିଶ୍ବାସ କାରଣରୁ ହେଉଛି। ରାଜ୍ୟ ସରକାର ୨୦୧୩ ମସିହାରେ ଗୁଣି ଗାରେଡି ନିରୋଧ ବିଲ ଆଣିଥିଲେ। କିନ୍ତୁ ତାକୁ ଏଯାଏ ନିୟମରେ ପାଳନ କରୁନାହାନ୍ତି। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏଭଳି ହତ୍ୟାକାଣ୍ଡ ଘଟୁଥିବାରୁ ସେମାନଙ୍କୁ ସଚେତନ କରାଯିବା କଥା। କିନ୍ତୁ ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି।
ଅବସରପ୍ରାପ୍ତ ପୁଲିସ ଡିଜି ସଂଜୀବ ମାରିକଙ୍କ ମତରେ ଦାରିଦ୍ର୍ୟ, ପାରିବାରିକ କଳହ, ଅନ୍ଧବିଶ୍ବାସ ଓ ଶିକ୍ଷାର ଅଭାବରୁ ଏଭଳି ଘଟଣାମାନ ଘଟି ଚାଲିଛି। ବିଶେଷ କରି ବିଧବା, ଅସହାୟ, ନିରାଶ୍ରୟ ମହିଳାଙ୍କ ଜମି ହଡ଼ପ ପାଇଁ ସେମାନଙ୍କୁ ତାନ୍ତ୍ରିକ, ଗୁଣିଆ ଓ ଡାଆଣୀ ଚିତ୍ରଣ କରାଯାଇ ଏଭଳି ଆକ୍ରମଣ କରାଯାଉଛି। କ୍ରାଇମ ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ସମସ୍ତ ଘଟଣାରେ ପୁଲିସ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ତେବେ ଚଳିତ ସପ୍ତାହରେ ୬ ଜଣଙ୍କୁ ଗୁଣି ଗାରେଡି ସନ୍ଦେହରେ ହତ୍ୟା କରାଯିବା ଘଟଣା ଉପରେ କ୍ରାଇମ ବ୍ରାଞ୍ଚ ନଜର ରଖିଛି। ବଲାଙ୍ଗୀର ଘଟଣାକୁ ଛାଡି ଦେଲେ ଅନ୍ୟ ସମସ୍ତ ଘଟଣାରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି ସାରିଛି।
ଚଳିତ ବର୍ଷ ରାଜ୍ୟରେ ଘଟିଥିବା କେତେକ ଗୁଣି ଗାରେଡି ସନ୍ଦେହ ଜନିତ ହତ୍ୟାକାଣ୍ଡ
୨୦୧୯- ଅଗଷ୍ଟ ୨୦- କେନ୍ଦୁଝର ଜିଲ୍ଲା ବାମବେରୀ ଥାନା ଅଧୀନରେ ସୁବାସ ମୁଣ୍ଡା ଓ ତାଙ୍କ ନାତି ଚୈତନ୍ୟ ମୁଣ୍ଡାଙ୍କୁ ହତ୍ୟା
୨୦୧୯- ଜୁଲାଇ- କେନ୍ଦୁଝର ସଦର ଥାନା ଅଧୀନ ସେଣ୍ଡକାପ ଗ୍ରାମରେ ଦୀନବନ୍ଧୁ ମୁଣ୍ଡା ନାମକ ଜଣେ ପୂଜକଙ୍କୁ ତାନ୍ତ୍ରିକ ସନ୍ଦେହରେ ହତ୍ୟା
୨୦୧୯- ଫେବ୍ରୁଆରି ୨୬- ଗୁଣୁପୁର ଥାନା ଅଧୀନ ତୁକୁମ୍ବାଗୁଡା ଗାଁରେ ଗୋପାଳ ସବର ଓ ପତ୍ନୀ ଲକ୍ଷ୍ମୀ ସବରଙ୍କୁ ହତ୍ୟା
୨୦୧୯- ଜୁନ ୨୬- ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅଧୀନ ଧୋବତି ପାଟପୁର କଷ୍ଣ ପ୍ରଧାନଙ୍କୁ ଗୁଣିଆ ସନ୍ଦେହରେ ହତ୍ୟା
୨୦୧୯- ଜୁନ ୨୧- ରାୟଗଡ଼ା ଜିଲ୍ଲା ଆମ୍ବଦଳା ଥାନା ଅଧୀନ ସୁକଲଭଟା ଗାଁରେ ମକାରୁ ନାୟକ ଓ କରୁଣା ନାୟକଙ୍କୁ ହତ୍ୟା
୨୦୧୯- ଅଗଷ୍ଟ ୩୦- ମାଲାକାନାଗିରି କାଲିମେଳା ଥାନା ଅଧୀନ ଓରେଲୁଗୁଡା ଗାଁରେ ଜଗା କବାସୀଙ୍କୁ ହତ୍ୟା
୨୦୧୯ – ସେପ୍ଟମ୍ବର ୯- କେନ୍ଦୁଝର ଜିଲ୍ଲା ପଲାଣ ଘାଟି ଗୋଧିରାମ ପଡ଼ାରେ ରାମାଇ ମୁଣ୍ଡା ଓ ପତ୍ନୀ ଚମ୍ପା ମୁଣ୍ଡାଙ୍କୁ ହତ୍ୟା