ବ୍ଲାକ୍‌ରୋଜ୍‌ ବୁଡ଼ି ଘଟଣାର ତଦନ୍ତ ପାଇଁ ସୁପାରିସ

କେନ୍ଦ୍ରକୁ ଚିଠି ଲେଖିଲେ ବନ୍ଦର କର୍ତ୍ତୃପକ୍ଷ

ପାରାଦୀପ: ବ୍ଲାକ୍‌ରୋଜ୍‌ ବୁଡ଼ିବା ଘଟଣାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ପାଇଁ ବନ୍ଦର କର୍ତ୍ତୃପକ୍ଷ କେନ୍ଦ୍ର ଜାହାଜ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି। ଏହି ଚିଠି ସହିତ ସମସ୍ତ ପ୍ରମାଣପତ୍ର ଯୋଗାଇ ଦେଇଛନ୍ତି। ତଦନ୍ତ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିବା ଜଣାପଡ଼ିଛି। ଫଳରେ, ଦୀର୍ଘ ୮ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏ ନେଇ ଲାଗିଥିବା ପ୍ରଶ୍ନଚିହ୍ନର ଅବସାନ ଘଟିବ ବୋଲି ଆଶା କରାଯାଉଛି। ୨୦୦୯ ମସିହା ସେପ୍ଟେମ୍ବର ୯ ତାରିଖ ଦିନ ଜାହାଜ ‘ବ୍ଲାକ୍‌ରୋଜ’ ସମୁଦ୍ରରେ ବୁଡ଼ି ଯାଇଥିଲା। କେଉଁ କାରଣ ପାଇଁ ଜାହାଜ ବୁଡ଼ିଗଲା, ତାହାକୁ ନେଇ ଏବେ ବି ସନ୍ଦେହ ରହିଛି। ଜାହାଜ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିବା ପାଇଁ ସବୁ ବିଭାଗ ଉଦ୍ୟମ କରିଥିଲେ। ମାତ୍ର, ସେହି ଉଦ୍ୟମ ଏଯାବତ୍‌ ସଫଳ ହୋଇନାହିଁ। ଏହିଭଳି ଏକ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ନିକଟରେ, ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ଜାହାଜ ମନ୍ତ୍ରାଳୟକୁ ବ୍ଲାକ୍‌ରୋଜ୍‌ ବୁଡ଼ି ଘଟଣାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ପାଇଁ ଚିଠି ଲେଖିଥିବା ଜଣାପଡ଼ିଛି। ଏହି ଚିଠିରେ ବ୍ଲାକ୍‌ରୋଜ୍‌ ଏବଂ ବର୍ତ୍ତମାନର ମାମଲା ସମ୍ପର୍କରେ କେନ୍ଦ୍ରକୁ ଅବଗତ କରାଯାଇଥିବା ଜଣାପଡ଼ିଛି। ଜାହାଜ ବୁଡ଼ିବା ଘଟଣାରେ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ଚାଲିଛି। ଏଥିସହିତ ଜାହାଜ ଏଜେଣ୍ଟଙ୍କ ପକ୍ଷରୁ କୋଲକାତା ହାଇକୋର୍ଟରେ ବି ଏକ ମାମଲା ଦାଏର୍‌ କରାଯାଇଛି। ଗତବର୍ଷ ଜୁଲାଇ ୩୧ ତାରିଖରେ କୋଲକାତା ହାଇକୋର୍ଟ ଏହି ମାମଲାକୁ ଓଡ଼ିଶା ହାଇକୋର୍ଟକୁ ହସ୍ତାନ୍ତର କରିଥିଲେ। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ନିଆଯାଇଥିବା ପଦକ୍ଷେପ ଓ କୋର୍ଟରେ ଏହାର ସ୍ଥିତି ନେଇ ସମସ୍ତ ପ୍ରମାଣପତ୍ର ଏହି ମନ୍ତ୍ରାଳୟକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ଏଥିସହିତ, ବର୍ତ୍ତମାନ ସମୁଦ୍ର ଢେଉରେ ମାଡ଼ ହୋଇ ଜାହାଜର ବହୁ ଅଂଶ ଭାଙ୍ଗି ଯାଇଥିବା କଥା ମଧ୍ୟ ଏହି ଚିଠିରେ ଉଲ୍ଲେଖ କରାଯାଇଛି। ଜାହାଜର କର୍ମଚାରୀଙ୍କୁ ଉଦ୍ଧାର କରାଯିବା ପ୍ରକ୍ରିୟା ସହ ସମୁଦ୍ର ପ୍ରଦୂଷଣ ନ ହେବା ପାଇଁ ବନ୍ଦର କର୍ତ୍ତୃପକ୍ଷ ନେଇଥିବା ପଦକ୍ଷେପ ସମ୍ପର୍କରେ ଟିକିନିଖି ବିବରଣୀ ମନ୍ତ୍ରାଳୟକୁ ଦିଆଯାଇଛି। ଫଳରେ, ଏହି ଘଟଣାରେ ମନ୍ତ୍ରାଳୟ ଖୁବ୍‌ଶୀଘ୍ର ଯେକୌଣସି ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର