ଭାଇରସ ଭୟକୁ ଭୋକର ଦାଉ: ଅସହାୟଙ୍କ ସାହାଭରସା ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗୀର: ସାରା ବଲାଙ୍ଗୀର ଜିଲ୍ଲାରେ ଲକଡାଉନ ନିୟମକୁ କଡ଼ାକଡ଼ି ପାଳନ କରାଯାଇଛି । ଲୋକେ ମଧ୍ୟ ଘରୁ ବାହାରୁ ନାହାନ୍ତି । କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଧନୀଠୁ ଗରିବ ସମସ୍ତେ ପ୍ରଶାସନର ନିର୍ଦେଶକୁ ମାନୁଛନ୍ତି । ଏସବୁ ଭିତରେ କିନ୍ତୁ ଦିନମଜୁରିଆ, ରିକସାବାଲା ତଥା ଶ୍ରମିକ ଶ୍ରେଣୀର ଲୋକଙ୍କ ଅବସ୍ଥା ସାଙ୍ଘାତିକ ଅବସ୍ଥାକୁ ଆସିଲାଣି ।

ବଲାଙ୍ଗୀର ସହରର ଲଳିତନଗରପଡ଼ାରେ ଅଧିକ ସଂଖ୍ୟାରେ ଦିନମଜୁରିଆ ଓ ରିକସା ଚାଳକ ପରିବାର ରହୁଛନ୍ତି । ପୁରା ପଡ଼ାସାରା ଲୋକ ଭୋକବିକଳରେ ହାଉଜାଉ ହେଉଛନ୍ତି । କାରଣ ଲୋକଙ୍କ କାମଧନ୍ଧାରେ ଏବେ ତାଲା ପଡିଯାଇଛି । ଧିରେଧିରେ ଘରେ ଥିବା ଚାଉଳ, ଡାଲି ସବୁ ସରିବାକୁ ବସିଲାଣି । ଅନ୍ୟପଟେ ବହୁ ଲୋକ ଏଥର ଭତ୍ତା ବି ପାଇନଥିବା କହୁଛନ୍ତି । ବାହାରକୁ ବାହାରିଲେ ଭାଇରସର ଭୟ ଓ ଘରେ ରହିଲେ ଭୋକର ଦାଉ ବୋଲି ପଡ଼ାବାସୀ କହିଛନ୍ତି । ଅନ୍ୟପଟେ ଅସହାୟ ବୃଦ୍ଧ,ବୃଦ୍ଧା ଓ ଯାଯାବରଙ୍କ ଅବସ୍ଥା ଦୁର୍ବିସହ ହୋଇପଡ଼ିଛି ।

ଅସହାୟମାନଙ୍କ ପାଇଁ ଭରସା ପାଲଟିଛନ୍ତି ବଲାଙ୍ଗୀର ସହରର କିଛି ସ୍ୱେଚ୍ଛାସେବୀ ସଂଗଠନ । ବଲାଙ୍ଗୀରର ସଚେତନ ମହିଳା ମଞ୍ଚ ତରଫରୁ ସହର ଭିତରେ ବୁଲିବୁଲି ଅସହାୟମାନଙ୍କୁ ଖାଇବାକୁ ଦିଆଯାଉଛି । ଠିକ୍ ସେହିପରି ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନ, ବଲାଙ୍ଗୀର ୟୁଥ ଏକ୍ସନ କମିଟି, ସ୍ମାଇଲ ଫର ଅଲ ସଂଗଠନ ତରଫରୁ ରେଳ ଷ୍ଟେସନ, ଆରଟିଓ ଛକ ଅଞ୍ଚଳରେ ବୃଦ୍ଧ/ବୃଦ୍ଧା ଓ ଅସହାୟମାନଙ୍କୁ ଗରମ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛିଛ ।

ସମ୍ବନ୍ଧିତ ଖବର