ଶ୍ରମ କାର୍ଡ ପାଇଁ ହୀନସ୍ତା ହେଉଛନ୍ତି ବଣ୍ଡା ଜନଜାତି : କାର୍ଡ ପାଇଁ ଯିବାକୁ ପଡୁଛି ୭୦ କିଲୋମିଟର, ଜଣକ ପିଛା ଖର୍ଚ୍ଚ ହେଉଛି ୫୦୦ ଟଙ୍କା
ମାଲକାନଗିରି : ମାଲକାନଗିରି ଜିଲ୍ଲାର ଆଦିମ ଜନଜାତି ବଣ୍ଡାଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରଶାସନ ତତ୍ପରତା ଦେଖାଉଛନ୍ତି। କିନ୍ତୁ ସରକାରୀ ସୁବିଧା ପାଇବାକୁ ଏହି ଅବହେଳିତ ଜନଜାତି କେତେ ଯେ ହୀନସ୍ତା ହେଉଛନ୍ତି। ସୁବିଧା ପାଇଁ ପାଇଁ କେତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଥିପ୍ରତି ଧ୍ୟାନ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ବଣ୍ଡା ଘାଟିକୁ ସରକାରୀ ଯୋଜନା ପହଞ୍ଚି ପାରୁ ନଥିବା ବେଳେ ଘାଟି ତଳକୁ ଓହ୍ଲାଇ ଅଯଥା ଖର୍ଚ୍ଚାନ୍ତ ଏବଂ ସମୟ ଅପଚୟ କରୁଛନ୍ତି ବଣ୍ଡା ଜନଜାତି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରମ କାର୍ଡ ଖଣ୍ଡିଏ କଲେ ସରକାରୀ ସୁବିଧା ମିଳିବ ବୋଲି ଜାଣିବା ପରେ ବଣ୍ଡାଘାଟିରେ ଆନନ୍ଦର ଲହରୀ ଖେଳି ଯାଇଥିଲା। ତେବେ ଏହି କାର୍ଡ ପାଇଁ ସେମାନଙ୍କୁ ମାଲକାନଗିରି ଯିବାକୁ ପଡ଼ିବ ବୋଲି କୁହାଯିବାରୁ ସବୁ ଖୁସି ନିରାଶରେ ପରିଣତ ହୋଇଛି। ତଥାପି ପ୍ରତିଦିନ ବହୁ ସଂଖ୍ୟାରେ ବଣ୍ଡା ମାଲକାନଗିରି ଆସୁଛନ୍ତି। ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ନିଜ ପାଳିକୁ ଅପେକ୍ଷା କରୁଛନ୍ତି। ଏପରିକି ପିଲାଛୁଆଙ୍କୁ ଧରି ମାଲକାନଗିରି ଆସି ନୟାନ୍ତ ହେଉଥିବା ଦେଖିବାକୁ ମିଳିଛି। କାର୍ଡ ପାଇଁ ପ୍ରାୟ ୭୦ କିଲୋମିଟର ବାଟ ଆସି ଜଣକ ପିଛା ୫ଶହ ଟଂକାରୁ ଅଧିକ ଖର୍ଚ୍ଚ ହେଉଥିବା ବଣ୍ଡା ମହିଳାମାନେ ପ୍ରକାଶ କରିଛନ୍ତି। ଘରେ ଖାଇବାକୁ ଦୁଇ ବେଳା ଠିକ ଭାବେ ମିଳୁନଥିବା ବେଳେ ଧାର କରଜ କରି ଗାଡିରେ ଚଢି ବଣ୍ଡାଘାଟିର ମୁଦୁଲିପଡା ଏବଂ ଅଣ୍ଡ୍ରାହାଲ ପଞ୍ଚାୟତରୁ ମାଲକାନଗିରିରେ ପହଞ୍ଚୁଛୁ। ତେଣୁ ବ୍ଲକ କାର୍ଯ୍ୟାଳୟରେ ଯଦି ଶ୍ରମ କାର୍ଡ ମିଳନ୍ତା ତେବେ ସେମାନେ ଉପକୃତ ହୋଇପାରନ୍ତେ ବୋଲି କହିଥିଲେ। ଅନ୍ୟଦିଗରେ ଶ୍ରମ ଅଧିକାରୀ ମଦନ ମୋହନ ନାୟକଙ୍କୁ ପଚରାଯିବାରୁ ସେ ଜିଲ୍ଲା ସଦର ମହକୁମାରେ ନେଟୱର୍କ ବ୍ୟବସ୍ଥା ଏବଂ କମ୍ପ୍ୟୁଟର ରହିଥିବା ବେଳେ ବ୍ଲକରେ ଏଭଳି କୌଣସି ବ୍ୟବସ୍ଥା ନାହିଁ। ସେଥିପାଇଁ ମାଲକାନଗିରି ଆସିବାକୁ ହିଁ ପଡିବ ବୋଲି କହିଥିଲେ। ଯୋଗାଯୋଗ କ୍ଷେତ୍ରରେ ବଣ୍ଡାଘାଟି ପଛରେ ପଡ଼ିଥିବା ବେଳେ ଏତେ ଦୂର କାର୍ଡ ପାଇଁ ଆସିବା କେତେ ଯେ କଷ୍ଟ ତାହା ସେମାନଙ୍କ ଅବସ୍ଥାକୁ ଦେଖିଲେ ବୁଝିହେବ।
ଗତ ୨ ମାସ ଧରି ବଣ୍ଡାଘାଟିରେ ବର୍ଷା ଲାଗି ରହିଥିବା ବେଳେ ୯୫ ପ୍ରତିଶତ ଘର ମାଟିରେ ତିଆରି ହୋଇଥିବାରୁ କାହାର କାନ୍ଥ ଭାଙ୍ଗିଲାଣି ତ କାହାର ଘରେ ପାଣି ଜମି ରହିଛି। ଲୋକେ ନିଜର ଘରକୁ ସଜାଡିବା ପାଇଁ ମାଟିରେ ଲେପ ପକାଉଥିବା ଦେଖିବାକୁ ମିଳିଛି। ସେହିପରି ଚାଷ ଋତୁ ଏବେ ଚାଲିଛି। ଏପରିସ୍ଥଳେ ଲୋକେ ଘରଦ୍ୱାର ଛାଡି ମାଲକାନଗିରି ଆସି ଶ୍ରମ କାର୍ଡ କରୁଥିବା ଦେଖିବାକୁ ମିଳିଥିଲା। ଗୋଟିଏ କମାଣ୍ଡର ଭଡ଼ା କରି ୨୨ରୁ ୨୫ ଜଣ ବଣ୍ଡା ମହିଳା ପୁରୁଷ ସେଥିରେ ଲଦାଲଦି ହୋଇ ମାଲକାନଗିରି ପହଞ୍ଚୁଛନ୍ତି। ଏ ସଂପର୍କରେ ସେମାନଙ୍କୁ ପଚରାଯିବାରୁ ଆଉ କୌଣସି ଉପାୟ ନଥିବା କହିଥିଲେ। ତେବେ ପ୍ରଶାସନ ନିକଟରେ ସେମାନେ ଫେରାଦ ହୋଇ ଅନୁରୋଧ କରିଛନ୍ତି ଯେ ବ୍ଲକ କାର୍ଯ୍ୟାଳୟରେ ଯଦି ଏହି ବ୍ୟବସ୍ଥା ହୋଇଥାନ୍ତା ତେବେ ସେମାନେ ଉପକୃତ ହୋଇପାରନ୍ତେ। ଟଂକା ଖର୍ଚ୍ଚ କରି ଦିନ ତମାମ ମାଲକାନଗିରିରେ ଶ୍ରମ କାର୍ଡ ପାଇଁ ଲାଇନରେ ଠିଆ ହେବା ଏବଂ ସଂଧ୍ୟାରେ ଘରକୁ ଫେରିବା ବାଧୁଥିବା କହିଥିଲେ। ତେଣୁ ତୁରନ୍ତ ବ୍ଲକ କାର୍ଯ୍ୟାଳୟରେ ଶ୍ରମ କାର୍ଡ ଦେବାର ବ୍ୟବସ୍ଥା କରାଯାଉ ବୋଲି ଦାବି କରିଥିଲେ।