ରାଜଧାନୀରେ ଫ୍ଲାଟ୍‌ ଦେବାକୁ କହି ୨ କୋଟିର ଠକେଇ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଫ୍ଲାଟ ଦେବାକୁ କହି ଏକ ବିଲଡର ସଂସ୍ଥା ପାଖାପାଖି ୨ କୋଟି ଟଙ୍କାର ଠକେଇ ଅଭିଯୋଗ ହୋଇଛି। ଏ ନେଇ ଜମାକାରୀମାନେ ବାଲିଅନ୍ତା ଥାନା ଓ ଡିସିପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି। ପୁଲିସ ପକ୍ଷରୁ ଅଭିଯୋଗକୁ ଗ୍ରହଣ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

ମିଳିଥିବା ସୂଚନା ମୁତାବକ, ବାଲିଅନ୍ତା ଥାନା ଅଧୀନ ପଞ୍ଚିଲୋଠାରେ ଜୁଭାନ ଇନ୍‌ଫ୍ରା ପ୍ରାଇଭେଟ ଲିମିଟେଡ୍‌ ନାମକ ଏକ ବିଲଡର ସଂସ୍ଥା ତାର କାର୍ଯ୍ୟାଳୟ ୨୦୧୩ ମସିହାରେ ଖୋଲିଥିଲା। ପଞ୍ଚିଲୋଠାରେ ଫ୍ଲାଟ ଦେବାକୁ କହି ଗ୍ରାହକମାନଙ୍କଠାରୁ ସଂସ୍ଥା ପ୍ରତ୍ୟେକଙ୍କଠାରୁ ୪ରୁ ୫ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲା। ଏଭଳି ଭାବେ ପାଖାପାଖି ୫୦ ରୁ ୬୦ ଜଣଙ୍କଠାରୁ ସଂସ୍ଥା ୨ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିଲା। ହଠାତ ବର୍ଷକ ତଳେ ସଂସ୍ଥା କେଉଁ ଆଡେ ଉଭାନ ହୋଇ ଯାଇଥିଲା। ଏ ନେଇ ଜମାକାରୀମାନେ ବାରମ୍ବାର ବାଲିଅନ୍ତା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କେବଳ ମାମଲା ରୁଜୁ କରି ବସି ପଡ଼ିଛି। ଆଜି ଜମାକାରୀମାନେ ଏକାଠି ହୋଇ ଡିସିପିଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସଂସ୍ଥାର ମୁଖ୍ୟ ସୁକେଶ ପାଣି ଓ ତାଙ୍କ ପତି ଲଳିତ କୁମାର ମାଇତି ଏଭଳି ଠକେଇ କରିଛନ୍ତି ବୋଲି ଜମାକାରୀମାନେ ଅଭିଯୋଗ କରିଛନ୍ତି। ସୁକେଶ ପାଣିଙ୍କୁ ପୂର୍ବରୁ ସିବିଆଇ ଏନ୍‌ମାର୍ଟ ଠକେଇ ଘଟଣାରେ ଗିରଫ କରିଥିବାବେଳେ ଲଳିତ ଏବେ ଫେରାର।

ସମ୍ବନ୍ଧିତ ଖବର