ଖରା ଛୁଟିକୁ ବିରୋଧ କରି ହାଇକୋର୍ଟରେ ମାମଲା

କଟକ : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଧାର୍ଯ୍ୟ ସମୟ ପୂର୍ବରୁ ସ୍କୁଲ ଛୁଟି ଘୋଷଣା କରିଥିବା ବେଳେ ଏପରି ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଆଇନଜୀବୀ ଶିବ ନାରାୟଣ ବିଶ୍ବାଳଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖରା ଛୁଟି ପାଇଁ ଏପ୍ରିଲ ୧୮ରୁ ବନ୍ଦ ରହିବ ବୋଲି ଘୋଷଣା କରିଯାଇଛି। ତେବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଦୈନିକ ଚିନ୍ତାଜନକ ସ୍ଥିତି ସୃଷ୍ଟି କରୁ ନାହିଁ। ଅନ୍ୟପକ୍ଷରେ ସ୍କୁଲ ଗୁଡିକରେ ସକାଳୁଆ କ୍ଲାସ ହେଉଛି। ସକାଳ ୬ଟା ଠାରୁ ୧୦ପର୍ଯ୍ୟନ୍ତ ପାଠପଢା ହେଉଥିବା ବେଳେ ଆଗୁଆ ଖରାଛୁଟି କରି ଶିକ୍ଷକଙ୍କୁ ରାଜନୀତିରେ ସକ୍ରିୟ କରିବା ପାଇଁ ଯୋଜନା କରାଯାଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ସରକାରଙ୍କ ଏପରି ନିଷ୍ପତ୍ତିକୁ ରଦ୍ଦ କରି ବିଦ୍ୟାର୍ଥୀଙ୍କ ପାଠପଢା ପ୍ରତି ଅଧିକ ଧ୍ୟାନ ଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ପ୍ରାର୍ଥନା କରାଯାଇଛି। ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର