ଛତିଶଗଡ଼ର ଅଡୁଆ ବଢ଼ିଲା

ମହାନଦୀରେ ବ୍ୟାରେଜକୁ ନେଇ ତେଜୁଛି ଅସନ୍ତୋଷ

0 134

ଝାରସୁଗୁଡ଼ା: ଛତିଶଗଡ଼ ସରକାର ସବୁ ନିୟମକାନୁନ୍‌କୁ ଜଳାଞ୍ଜଳି ଦେଇ ମହାନଦୀର ଉପର ମୁଣ୍ଡରେ ଏକାଧିକ ବ୍ୟାରେଜ ଓ ନଦୀବନ୍ଧ ନିର୍ମାଣ କରି ମହାନଦୀରେ ଜଳରୋଧ କରିଥିବା ଏବେ ଓଡ଼ିଶା ରାଜନୀତିରେ ବିଭିନ୍ନ ରାଜନୈତିକ ଦଳର ମୁଖ୍ୟ ପ୍ରସଙ୍ଗ ପାଲଟିଯାଇଛି। ଏହି ପ୍ରସଙ୍ଗରୁ ରାଜନୈତିକ ଫାଇଦା ଉଠାଇବା ପାଇଁ କିଛି ରାଜନୈତିକ ଦଳ ଏକରକମ ନିଜକୁ ପ୍ରସ୍ତୁତ କରି ୨୦୧୯ ନିର୍ବାଚନରେ ଏହି ମହାନଦୀକୁ ନେଇ ନିର୍ବାଚନ ବୈତରଣୀ ପାରି ହେବାକୁ ଆଶା ବାନ୍ଧିଛନ୍ତି। ମହାନଦୀ ପ୍ରସଙ୍ଗକୁ ନେଇ ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ କଂଗ୍ରେସ ପୃଥକ ଭାବରେ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ବିଜେପିର ଦୃଷ୍ଟିଭଙ୍ଗି ସ୍ପଷ୍ଟ ହୋଇନାହିଁ। ଯେହେତୁ ଛତିଶଗଡ଼ରେ ରମଣ ସିଂଙ୍କ ବିଜେପି ସରକାର ମହାନଦୀରେ ବ୍ୟାରେଜ ନିର୍ମାଣ କରିଛି ତେଣୁ ରାଜ୍ୟ ବିଜେପି ଚୁପ୍‌ ରହିଛି। ମହାନଦୀରେ ବ୍ୟାରେଜ ଓ ବନ୍ଧ ଯୋଗୁଁ ଗତ ୩ ବର୍ଷ ହେଲା ଅଣମୌସୁମୀ ଋତୁରେ ନଦୀରେ ଜଳସ୍ରୋତ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି।

ଏପଟେ ଛତିଶଗଡ଼ ସରକାର ରବି ଚାଷ କରି ପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ। ମାତ୍ର ପରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ଯୋଗୁଁ ସରକାର ଏହି ନିର୍ଦ୍ଦେଶକୁ ପରେ ପ୍ରତ୍ୟାହାର କରିଥିଲେ। ମହାନଦୀ ଶୁଖିଯିବା ପରେ ପୁସୋର ବ୍ଲକର ୧୭/୧୮ ଗୋଟି ପଞ୍ଚାୟତର ୨୨ ଗୋଟି ଗ୍ରାମ ପ୍ରଭାବିତ ହୋଇଛନ୍ତି। ଚାଷବାସ ପ୍ରଭାବିତ ଯୋଗୁଁ ଏହି ଗ୍ରାମର କୃଷକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ନଦୀକୁ ନିଜର ଜୀବିକା ଭାବରେ ଗ୍ରହଣ କରିଥିବା ହଜାର ହଜାର ମତ୍ସ୍ୟଜୀବୀ ଏବେ ରାସ୍ତାକୁ ଆସି ଯାଇଛନ୍ତି। ମାଛ ମାରି ଜୀବିକା ନିର୍ବାହ କରିବା ଥିଲା ଏମାନଙ୍କ କୌଳିକ ବୃତ୍ତି। ନଦୀରେ ପାଣି ଶୁଖିଯିବା ପରେ ଛତିଶଗଡ଼ର ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି ଏହି ମତ୍ସ୍ୟଜୀବୀ ପରିବାର। ସେହିପରି ଓଡ଼ିଶା ସୀମାରେ ଥିବା ଛତିଶଗଡ଼ ରାଜ୍ୟର ୨୨ ଖଣ୍ଡ ଗ୍ରାମରୁ ଏବେ ଶୁଭିଛି ସରକାର ବିରୋଧୀ ସ୍ୱର। ନଦୀରେ ପାଣି ନାହିଁ, ଭୂତଳ ଜଳସ୍ତର କମିଯିବାରୁ ନଳକୂଅ ଅଚଳ, ଚାଷବାସ ବନ୍ଦ, ମାଛ ବ୍ୟବସାୟ ବନ୍ଦ ଏହି ଗ୍ରାମବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଲାଣି। କେବଳ ସେତିକି ନୁହେଁ, ରାସ୍ତାଘାଟ, ଶିକ୍ଷା, ସ୍ୱାସ୍ଥ୍ୟ ପରି ମୌଳିକ ସେବା ପାଇବାରୁ ବଞ୍ଚିତ ହେଉଥିବା ଏହି ଗ୍ରାମର ଲୋକମାନେ ଅଭିଯୋଗ କରିଛନ୍ତି। ଛତିଶଗଡ଼ରେ ଥିଲେ ମଧ୍ୟ ଏହି ଲୋକଙ୍କ ଚାଲିଚଳଣ, ସଂସ୍କୃତି, ଭାଷା ସବୁ ଓଡ଼ିଆ। ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ ରହିଛି ଜଗନ୍ନାଥ ମନ୍ଦିର। ଓଡ଼ିଶାରେ ଗଢ଼ି ଉଠିଛି ଏମାନଙ୍କ ବ୍ୟବସାୟିକ, ସାମାଜିକ ଓ ସାଂସ୍କୃତିକ ସଂପର୍କ। ୧୯ ଖଣ୍ଡ ମୌଜା ଅବହେଳିତ ହୋଇଥିବା ନେଇ ଅନେକ ସମୟରେ ଏହି ଅଞ୍ଚଳରୁ ଉଠିଥାଏ ବିଛିନ୍ନତାର ସ୍ୱର। ଛତିଶଗଡ଼ରେ ମିଶିଯିବାକୁ ଆସିଥାଏ ଚେତାବନୀ। ମାତ୍ର ଏବେ ମହାନଦୀ ପ୍ରସଙ୍ଗ ଏହାକୁ ଓଲଟାଇ ଦେଇଛି। ଓର୍ଦା, ଜକେଲା, ବଡ଼େହଲଦି, ଏକତାଲ, କୁସମୁଣ୍ଡା, ବାଘାଡ଼ୋଲା, ତ୍ରିଭୋନା, ବାସନପାଲି, ପଡ଼ିଗାଁଓ ପ୍ରଭୃତି ୧୭/୧୮ ଟି ପଞ୍ଚାୟତରୁ ଏବେ ଉଠିଛି ବିରୋଧର ସ୍ୱର ଓ ଏହି ସ୍ୱର ଧୀରେ ଧୀରେ ବିଚ୍ଛିନ୍ନତା ଆଡ଼କୁ ଅଗ୍ରସର ହେବାକୁ ଲାଗିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.