‘ଆଇନା’ର ତୃତୀୟ ସଂସ୍କରଣ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚାଷୀଙ୍କ ପାଇଁ କାଳିଆ, ମାଗଣା ସାର୍ବଜନୀନ ସ୍ବାସ୍ଥ୍ୟସେବା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ଆମ ଗାଁ ଆମ ବିକାଶ ଓ ଜନଜାତି ସଶକ୍ତିକରଣକୁ ଅଗ୍ରାଧୀକାର ଦେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ସୂଚନା ପୁସ୍ତିକା ‘ଆଇନା’ର ତୃତୀୟ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏହି ପୁସ୍ତିକାକୁ ମାଗଣାରେ ରାଜ୍ୟର ସବୁ ଲୋକ ଓ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ପୁସ୍ତିକା ସମ୍ପର୍କରେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇ କହିଥିଲେ ଆଇନାର ଏହି ସଂସ୍କରଣରେ ରାଜ୍ୟ ସରକାରଙ୍କ ଚାଷୀ ସହାୟତା ଯୋଜନା କାଳିଆ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ବିଷୟରେ ବିସ୍ତୃତ ସୂଚନା ଦିଆଯାଇଛି। ଏହି ପୁସ୍ତିକାକୁ ମାଗଣାରେ ବଣ୍ଟନ କରାଯିବ। ବ୍ଲକସ୍ତରରେ ରାସନ ବଣ୍ଟନ କେନ୍ଦ୍ର ଗୁଡ଼ିକରେ ଏହି ପୁସ୍ତିକାକୁ ହିତାଧିକାରୀଙ୍କୁ ମାଗଣାରେ ଯୋଗାଇ ଦିଆଯିବ। ବିଭାଗୀୟ ସଚିବ ସଞ୍ଜୟ ସିଂହ କହିଥିଲେ, ଏହି ପୁସ୍ତିକାରେ ରାଜ୍ୟ ସରକାରଙ୍କ ସମସ୍ତ ଗୁରୁତ୍ବପୂର୍ଣ୍ଣ ଯୋଜନା ଓ ବିଭିନ୍ନ ସଫଳତା ତଥ୍ୟ ସନ୍ନିବେଶିତ ହୋଇଛି। ସମୁଦାୟ ୧ କୋଟି ପୁସ୍ତିକା ପ୍ରକାଶ ପାଇଥିବା ସଚିବ କହିଥିଲେ।

ଉଲ୍ଲେଖଥାଉକି, ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ସୂଚନା ଓ ତଥ୍ୟ ଏକ ଗୁରୁତ୍ବପୂର୍ଣ୍ଣ। ପୂର୍ବରୁ ୨୦୧୪ ଓ ୨୦୧୬ରେ ଏହି ପୁସ୍ତିକା ଦୁଇ ଥର ପ୍ରକାଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀ, ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି ଏବଂ ଯୁଗ୍ମ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର