ଚିଲିକା ଡଙ୍ଗା ଲାଇସେନ୍ସ ବିବାଦ: ପ୍ରତିବାଦ ଜଣାଇଲା ବିଜେପି

ଭୁବନେଶ୍ୱର: ଚିଲିକାରେ ଡଙ୍ଗା ଲାଇସେନ୍ସ ନ ଦିଆଯିବାକୁ ବିରୋଧ କରିଛି ବିଜେପି। ଡଙ୍ଗା ଦୁର୍ଘଟଣା ଆଳରେ ଡଙ୍ଗା ଲାଇସେନ୍ସ ନ ଦେଇ ରାଜ୍ୟ ସରକାର ଗରିବଙ୍କ ପେଟକୁ ନାତ ମାରୁଛନ୍ତି। ଡଙ୍ଗା ମାଲିକ ଓ ଚାଳକଙ୍କ ଜୀବନ ଜୀବିକାକୁ ଧ୍ୱଂସ କରିବାକୁ ଦିଆଯିବ ନାହିଁ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ଚେତାବନୀ ଦେଇଛନ୍ତି। ଶ୍ରୀ ହରିଚନ୍ଦନ କହିଛନ୍ତି, ଚିଲିକାରେ ଡଙ୍ଗା ଦୁର୍ଘଟଣା ହେବା ପର୍ଯ୍ୟନ୍ତ ରାଜ୍ୟ ସରକାର ଗଭୀର ନିଦରେ ଶୋଇଥିଲେ। ଦୁର୍ଘଟଣା ଘଟିବା ପରେ ନିଜ ଅପାରଗତାକୁ ଲୁଚାଇବା ପାଇଁ ଔଷଧ ବିକଳରେ ତାଟିଆ କାମୁଡ଼ିବା ପରି ଚିଲିକାରେ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ଏହା ଦ୍ୱାରା ଦୈନିକ ଲକ୍ଷ ଲକ୍ଷ ଟଙ୍କା କ୍ଷତି ହେଉଛି। ଏପଟେ ଡଙ୍ଗା ମାଲିକ ଓ ଚାଳକମାନଙ୍କ ଜୀବିକା ବନ୍ଦ ହୋଇଯାଇଛି। ଆଇଡବ୍ଲ୍ୟୁଏଆଇ ତରଫରୁ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ଦେବା ପାଇଁ ତୁରନ୍ତ କୌଣସି ସଂସ୍ଥାକୁ ଦାୟିତ୍ୱ ଦେବାକୁ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଚିଠି ଲେଖାଯାଇଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନର ଅପାରଗତା କାରଣରୁ ଡଙ୍ଗାଗୁଡ଼ିକୁ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇ ନାହିଁ। ଚିଲିକାରେ ଏପରି ଅଚଳାବସ୍ଥା ଦୂର କରିବା ପାଇଁ ପରିବହନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ), ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନିଅନ୍ତୁ। ସପ୍ତାହକ ଭିତରେ ପଦକ୍ଷେପ ନିଆ ନ ଗଲେ ଡଙ୍ଗା ମାଲିକ ଓ ଚାଳକଙ୍କ ସହ ବିଜେପି ଆନ୍ଦୋଳନରେ ସାମିଲ୍‌ ହେବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର