ପୁଣି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ
ଭୁବନେଶ୍ବର : ତ୍ରୁଟିଯୁକ୍ତ ଆଇନର ସୁଯୋଗ ଓ ସରକାରୀ ସହାୟତାରେ ଠକ ସଂସ୍ଥାମାନେ ଲକ୍ଷଲକ୍ଷ ଜମାକାରୀଙ୍କୁ ଜମାରାଶି ନେଇ ଫାଙ୍କି ଦେଲେ। ରାଜ୍ୟ ସରକାର ଟଙ୍କା ଫେରସ୍ତ ଓ କେନ୍ଦ୍ର ସରକାର ସମସ୍ତ ତ୍ରୁଟିଯୁକ୍ତ ଆଇନର ସଂଶୋଧନର ପ୍ରତିଶ୍ରୁତି ଦେଇଥିଲେ ହେଁ ପାଳନ କରିବାରେ ବିଫଳ ହୋଇଛନ୍ତି। ଗତକାଲି ଆର୍ଥିକ ସଂସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ କେନ୍ଦ୍ର କମିଟି ବୈଠକରେ ରାଜ୍ୟର କ୍ଷତିଗ୍ରସ୍ତ ଜମାକାରୀମାନେ ୪ଟି ପର୍ଯ୍ୟାୟରେ ତହସିଲସ୍ତରରେ ଶାନ୍ତିପୂର୍ଣ୍ଣ ଗଣସତ୍ୟାଗ୍ରହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମଞ୍ଚ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି ଯେ ଆସନ୍ତାକାଲିଠାରୁ ୨ ଏପ୍ରିଲ ମଧ୍ୟରେ ପ୍ରତ୍ୟେକ ଜିଲ୍ଲା ଓ ତହସିଲସ୍ତରୀୟ ତାରିଖ ଧାର୍ଯ୍ୟ କରି ମଞ୍ଚର ରାଜ୍ୟ କମିଟିକୁ ଜଣାଇବା ପାଇଁ ଆହ୍ବାନ କରାଯାଇଛି। ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ମଧ୍ୟପ୍ରଦେଶର ଗତ ବିଧାନସଭା ନିର୍ବାଚନରେ ସଂପୃକ୍ତ ରାଜ୍ୟର କ୍ଷତିଗ୍ରସ୍ତ ଜମାକାରୀମାନେ କ୍ଷମତାସୀନ ଶାସକ ଗୋଷ୍ଠୀଙ୍କୁ ଉଚିତ୍ ଶିକ୍ଷା ଦେଇଛନ୍ତି। ତେଣୁ ସମୁଦାୟ ୪ଟି ପର୍ଯ୍ୟାୟରେ ଏହି ଶାନ୍ତିପୂର୍ଣ୍ଣ ଧାରଣା ଅନୁଷ୍ଠିତ ହେବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। ମଞ୍ଚର ହୋଇଥିବା ବୈଠକରେ ସଭାପତି ଜୟନ୍ତ ଦାସ ଅଧ୍ୟକ୍ଷତା କରିଥିଲେ। ସାଧାରଣ ସଂପାଦକ ମଧୁସୂଦନ ବିଶ୍ବାଳ କାର୍ଯ୍ୟ ବିବରଣୀ ସହ କାର୍ଯ୍ୟସୂଚୀ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଖିଳ ମୋହନ ଲେଙ୍କା, ବିଭୁଦତ୍ତ ମିଶ୍ର, ଅନୁରାଧା ସୁବୁଦ୍ଧି, ଅମର କୁମାର ସାହୁ, ପ୍ରଦୀପ କୁମାର ମହାରଣା, ସୁଧାଂଶୁ ବେହେରା, ଚଣ୍ଡାଳ ପ୍ରଧାନ, ଉମେଶ ଚନ୍ଦ୍ର ନାୟକ, ଚିତ୍ତରଂଜନ ବାରିକ, ବିକାଶ ପାତ୍ର, କମଳେନ୍ଦୁ ପାଢ଼ୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।