ଆଇନ ପାଠ୍ୟକ୍ରମରେ କୃଷିକୁ ସାମିଲ କରାଯାଉ: ଜଷ୍ଟିସ୍‌ ଗୋପାଳ ଗୌଡ଼ା

୪୬ତମ ଅଲ ଓଡ଼ିଶା ଲୟର୍ସ ସଂଘ ବାର୍ଷିକ ସମ୍ମିଳନୀ ଉଦ୍‌ଯାପିତ

ଭୁବନେଶ୍ୱର : ଅଲ ଓଡ଼ିଶା ଲୟର୍ସ ଆସୋସିଏସନ୍‌ ଓ ଭୁବନେଶ୍ୱର ବାର ଆସୋସିଏସନ୍‌ର ମିଳିତ ଉଦ୍ୟମରେ ବିଜେବି କଲେଜ ପଡ଼ିଆରେ ଚାଲିଥିବା ଦୁଇ ଦିନିଆ ୪୬ତମ ବାର୍ଷିକ ସମ୍ମିଳନୀ ଆଜି ଉଦ୍‌ଯାପିତ ହୋଇଯାଇଛି।

ଉଦ୍‌ଯାପନ ଉତ୍ସବରେ ଯୋଗଦେଇ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଭି.ଗୋପଳ ଗୌଡ଼ା କହିଲେ, ଦେଶର ଆଇନ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଲକ୍ଷାଧିକ ଟଙ୍କା ଖର୍ଚ କରି ପାଠ ପଢ଼ିବାକୁ ପଡ଼ୁଛି। ଯାହାଫଳରେ ପରବର୍ତୀ ସମୟରେ ସେମାନେ କର୍ପୋରେଟ ଆଇନଜୀବୀ ହେବାକୁ ଇଛା ପ୍ରକାଶ କରୁଛନ୍ତି। ତେଣୁ ସମାଜର ଗରିବ ଓ ଅବହେଳିତ ଶ୍ରେଣୀର ଲୋକଙ୍କ ପାଇଁ ନ୍ୟାୟାଳୟରେ ଲଢ଼ିବାକୁ ଆଇନଜୀବୀଙ୍କ ଅଭାବ ଦେଖାଦେଉଛି।

ଅପରପକ୍ଷରେ ଦେଶର ଆଇନ ମହାବିଦ୍ୟାଳୟଗୁଡ଼ିକର ଅବସ୍ଥା ବହୁତ ଖରାପ। ସେଠାରେ ଭିତ୍ତିଭୂମିର ଅଭାବ ସହିତ ଲାଇବ୍ରେରି ଓ ନିୟମିତ ଅଧ୍ୟାପକ ନାହାନ୍ତି। ମହାବିଦ୍ୟାଳୟଗୁଡ଼ିକରେ ବହୁ ପୁରୁଣା ପାଠ୍ୟକ୍ରମ ପଢ଼ାଯାଉଛି। ଦେଶର ୭୪ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ବସବାସ କରୁଥିବା ବେଳେ ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ। ତେଣୁ ଆଇନର ୫ବର୍ଷିୟା ପାଠ୍ୟକ୍ରମରେ କୃଷି ଭିତ୍ତିକ ଆଇନ ସଂପର୍କରେ ପଢ଼ାଯିବା ଆବଶ୍ୟକ। ଜଳସେଚନ, ଉଦ୍ୟାନକୃଷି ଓ ମତ୍ସ୍ୟ ସଂପଦ ଭଳି ଆଇନକୁ ଏଥିରେ ସାମିଲ କରାଯିବା ଉଚିତ୍‌। ନଚେତ୍‌ ଗ୍ରାମାଞ୍ଚଳର ବିକାଶ ସମ୍ଭବ ହୋଇପାରିବ ନାହିଁ।

ଏହାସହିତ ଆଇନକୁ ସୁଦୃଢ଼ କରିବାକୁ ହେଲେ ରାଜ୍ୟ ବାର କାଉନ୍‌ସିଲ ଓ ଭାରତୀୟ ବାର କାଉନ୍‌ସିଲକୁ ଅଧିକ ଲୋକାଭିମୁଖୀ କରିବାକୁ ପଡ଼ିବ। ଆଇନ ସହାୟତା କମିଟି, ଆଇନ ସମ୍ମିଳନୀ ଓ ଆଇନର ତାଲିମ୍‌ ଜରିଆରେ ଏହା ସମ୍ଭବ ହୋଇପାରିବ। ଅପରପକ୍ଷରେ ଆଇନଜୀବୀଙ୍କ ସଂପର୍କରେ ଜଷ୍ଟିସ୍‌ ଗୌଡ଼ା କହିଥିଲେ ଯେ, ଯେତେବେଳେ ଦେଶ ସମସ୍ୟା ଦେଇ ଗତି କରିଛି ସେ ସମୟରେ ଆଇନଜୀବୀମାନେ ଦେଶକୁ ବଞ୍ଚାଇବା ପାଇଁ ଆଗେଇ ଆସିଛନ୍ତି। ଦେଶରେ ଆଇନର ଶାସନ ବଜାୟ ରଖିବା ଦିଗରେ ଆଇନଜୀବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସୁପ୍ରିମକୋର୍ଟ ବାର ଆସୋସିଏସନ୍‌ର ସଭାପତି ରୂପିନ୍ଦର ସିଂ ସୁରି,ରାଜ୍ୟ ବାର କାଉନ୍‌ସିଲର ସଦସ୍ୟ ସୌର୍ଯ୍ୟ ଚନ୍ଦ୍ର ମହାପାତ୍ର ଓ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇଥିଲେ। ପ୍ରାରମ୍ଭରେ ଅଲ ଓଡ଼ିଶା ଲୟର୍ସ ଆସୋସିଏସନ୍‌ର ସଭାପତି ଜ୍ଞାନରଂଜନ ମହାନ୍ତି ସ୍ୱାଗତ ଭାଷର ପ୍ରଦାନ କରିଥିବା ବେଳେ ସାଧାରଣ ସଂପାଦକ ବିଭୂ ପ୍ରସାଦ ତ୍ରିପାଠୀ ସମ୍ମିଳନୀର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଭୁବନେଶ୍ୱର ବାର ଆସୋସିଏସନ୍‌ର ସଭାପତି ତାପସ ରଂଜନ ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର