ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର : ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଜି ପ୍ରବାସୀ ଓଡ଼ିଆମାନଙ୍କର ୬୦ରୁ ଅଧିକ ପ୍ରତିନିଧି ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେମାନେ କହିଛନ୍ତି, ଦେଶରେ ଜିଏସ୍‌ଟି ଲାଗୁ ହେବା ଫଳରେ ସୁରଟରେ ବହୁ ସୂତା କଳ ବନ୍ଦ ହୋଇଯାଇଥିଲା। ସୂତା କଳ ଉପରେ ନିର୍ଭର କରି ଜୀବନଯାପନ କରୁଥିବା ଓଡ଼ିଆମାନେ ନିରାଶ ହୋଇ ଓଡ଼ିଶାକୁ ଫେରି ଆସିବାକୁ ବସିଥିଲେ। ଏହି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ମନ୍ତ୍ରୀ ଶଶୀଭୂଷଣ ବେହେରା ଓ ସାଂସଦ ପ୍ରଶାନ୍ତ ନନ୍ଦ ସୁରଟ ଯାଇ ସେଠାରେ ଦେଖାଦେଇଥିବା ପ୍ରତିବନ୍ଧକ ଦୂର କରିବାକୁ ଚେଷ୍ଟା କରିଥିଲେ। ଫଳସ୍ୱରୂପ ସୂତା କଳଗୁଡ଼ିକ ପୁଣି କାର୍ଯ୍ୟକ୍ଷମ ହୋଇଛି। ଏହି ପ୍ରତିନିଧି ଦଳ ଶୁଭେଚ୍ଛା ଜଣାଇବା ସହ ସୁରଟ ଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ। ଆସନ୍ତା ମାସେ ଦୁଇ ମାସ ମଧ୍ୟରେ ତାରିଖ ଚୂଡ଼ାନ୍ତ ହେଲେ ସୁରଟ ଯିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ପ୍ରବାସୀ ଓଡ଼ିଆଙ୍କ ପ୍ରତିନିଧି ଦଳରେ ଅଖିଳ ଭାରତୀୟ ଓଡ଼ିଶା ସମାଜର ସଭାପତି ଅଭିମନ୍ୟୁ ସାହୁ, ସଭ୍ୟ ଲକ୍ଷ୍ମୀପ୍ରସାଦ ନାୟକ, ଶଶୀଭୂଷଣ ରାଉତ, ବିଷ୍ଣୁପ୍ରସାଦ ନାୟକ, ଏ ରାଜେନ୍ଦ୍ର କୁମାର ପାତ୍ର, ଜଗନ୍ନାଥ ନଗର ହାଉସିଂ ସର୍ଭିସ୍‌ ସୋସାଇଟିର ସଭାପତି ବଂଶୀଧର ଲେଙ୍କା, ସଭ୍ୟ ସଂସାର କମାର ବିଶୋୟୀ, ବିଜୟ କୁମାର କହଁର, ଜନହିତ ଭାରତୀୟ ସେବା ମଣ୍ଡଳ ଟ୍ରଷ୍ଟର ସୁରଥ କୁମାର ସାହୁ ଓ କେ ଗୋବିନ୍ଦ କୁମାର ସୁବୁଦ୍ଧି ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର