ସଂପର୍କ ଯୋଡ଼ିଲା ଗୁରୁପ୍ରିୟା ସେତୁ : ବିଚ୍ଛିନ୍ନାଞ୍ଚଳବାସୀଙ୍କୁ ନବୀନଙ୍କ ୧୦୦ କୋଟିର ଉପହାର

୧୫୧ ଗ୍ରାମର ପରିଚୟ ବଦଳିଲା, ବୃହତ୍‌ ମେଡିକାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି : ବହୁପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ ଆଜି ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁର ଲୋକାର୍ପିତ କରିବା ସହିତ ବିଛିନ୍ନାଞ୍ଚଳବାସୀଙ୍କ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। କହିଛନ୍ତି, ଆଜି ସାରା ଭାରତ ପାଇଁ ଏକ ଐତିହାସିକ ଦିନ। କାରଣ ସାତ ଦଶନ୍ଧି ଧରି ବିଛିନ୍ନ ରହିଥିବା ୧୫୧ଟି ଗ୍ରାମର ପରିଚୟ ଆଜି ବଦଳିଛି। ଏହି ଅଂଚଳ ନୂଆ ପରିଚୟ ପାଇଛି। ସ୍ୱାଭିମାନ ଅଂଚଳ ଭାବେ ବିକାଶର ନୂଆ ପରିଚୟ ସୃଷ୍ଟି କରିଛି। ଏବେ ଠାରୁ ମାଲକାନଗିରିର ଏହି ଅଂଚଳରୁ ବିଛିନ୍ନ ଶବ୍ଦ ଇତିହାସକୁ ଚାଲିଗଲା।

ଆଜି ଦିନିକିଆ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁପ୍ରିୟା ସେତୁ ନିକଟରେ ଓହ୍ଲାଇଥିଲେ। ପରେ ୧୮୭ କୋଟି ୨୫ ଲକ୍ଷ ଟଂକା ବ୍ୟୟରେ ଏହି ସେତୁକୁ ଉଦଘାଟନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ସେତୁର ଆରପଟକୁ ଯାଇ ବିଛିନ୍ନାଞ୍ଚଳବାସୀଙ୍କ ସହ ବାର୍ତ୍ତାଳପ କରିଥିଲେ।

ଏହି ଅବସରରେ ମାଲକାନଗିରିରେ ଆୟୋଜିତ ଏକ ବିଶାଳ ଶୋଭାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ,ବିଛିନ୍ନାଞ୍ଚଳ ଆଜି ଠାରୁ ସ୍ୱାଭିମାନ ଅଂଚଳ ହେବ। ଏଥିପାଇଁ ସେ ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜର ପ୍ରତିଟି କାର୍ଯ୍ୟକୁ ସେ ନିଜେ ତଦାରଖ କରିବେ। ଗୁରୁପ୍ରିୟା ସେତୁ ଓଡିଶା ବିକାଶ ଇତିହାସର ଏକ ନୂଆ ମାଇଲଖୁଣ୍ଟ ହେବା ସହ ଶାନ୍ତି, ସହଯୋଗ ଓ ବିକାଶର ପ୍ରତୀକ ହୋଇ ରହିବ। ୨୦୧୪ରେ ଆରମ୍ଭ ହୋଇଥିବା ସେତୁ ମାତ୍ର ୪ ବର୍ଷ ଅବଧି ମଧ୍ୟରେ ଶେଷ ହୋଇଛି। ଓଡ଼ିଶାର ଦୃଢ ଇଛାଶକ୍ତିର ଏହା ପ୍ରତୀକ।ଏହି ସେତୁ ଓଡିଶାର ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ସ୍ୱାଭିମାନର ବାର୍ତ୍ତା ଦେଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ, ଗୁରୁପ୍ରିୟା ସେତୁ ନିର୍ମାଣରେ ସାମ୍ନାକୁ ଆସିଥିବା ସମସ୍ତ ଆହ୍ଵାନକୁ ସଫଳ ଭାବେ ମୁକାବିଲା କରାଯାଇଛି। ଏଥିପାଇଁ ଏହି ପ୍ରକଳ୍ପରେ କାର୍ଯ୍ୟ କରିଥିବା ଯନ୍ତ୍ରୀ, ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ପୁଲିସ ସମସ୍ତଙ୍କ ଉଦ୍ୟମ ପ୍ରଶଂସନୀୟ। ସହିଦ ହୋଇଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ସେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନବନିର୍ମିତ ହସପିଟାଲ ସମ୍ପର୍କରେ ସୂଚାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆଜି ଯେଉଁ ଡାକ୍ତରଖାନାକୁ ସେ ଉଦ୍‌ଘାଟନ କରିଛନ୍ତି ତାହା ମାଲକାନଗିରିର ଅଗ୍ରଗତିର ସୂଚନା ଦେଉଛି। ମାଲକାନଗିରି ମୋ ପାଇଁ ସବୁବେଳେ ସ୍ୱତନ୍ତ୍ର ହୋଇ ରହିଛି ଓ ରହିବ।

ଉଲ୍ଲେଖଥାଉକି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସ୍ୱତନ୍ତ୍ର ପ୍ୟାକେଜ୍‌ରେ ମତ୍ସ୍ୟ ଚାଷ ଉପରେ ଗୁରୁତ୍ୱ ଦିଆଯାଇଛି। ଚିତ୍ରକୋଣ୍ଡା ଜଳାଶୟରେ ୫ କୋଟିରୁ ଉର୍ଦ୍ଧ୍ୱ ମାଛ ଯାଆଁଳା ଛଡ଼ାଯିବ। ଏହାଦ୍ୱାରା ଅତି କମ୍‌ରେ ୨ ହଜାର ମତ୍ସ୍ୟଜୀବୀ ପରିବାରର ଜୀବନ ଓ ଜୀବିକାରେ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସଡ଼କ ଯୋଗାଯୋଗ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି କ୍ଷେତ୍ରରେ ଦୁଇଟି ପ୍ରକଳ୍ପକୁ ହାତକୁ ନିଆଯାଉଛି। ମୁକିପୁଟରୁ ଜାମୁଗୁଡ଼ା ଏବଂ ପଣସପୁଟରୁ ଯଡ଼ାମ୍ବ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ। ବଡ଼ପଡ଼ା ଠାରେ ୩୩/୧୧ କେଭି ସବ୍‌ଷ୍ଟେସନ ନିର୍ମାଣ ହେବ। ଏହାଦ୍ୱାରା ବିଦ୍ୟୁତ ଯୋଗାଯୋଗରେ ଉନ୍ନତି ଆସିପାରିବ। ବଡପଡା ଓ ପେପରମେଟଲା ପଞ୍ଚାୟତରେ ଚାରୋଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ଓ ୧୦୦ଟି ନଳକୂପ ସ୍ଥାପନ କରାଯିବ। ୬ଟି ପଞ୍ଚାୟତରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ଆବଶ୍ୟକ ସ୍ଥାନରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ମାନ ପ୍ରତିଷ୍ଠା କରାଯିବ। ଏହା ବ୍ୟତୀତ ମାନ୍ୟୁମକୋଣ୍ଡା ଠାରେ ଏକ ସେତୁ ନିର୍ମାଣ କରାଯିବ। ଏହା ଦ୍ୱାରା ଜନଜାତିମାନଙ୍କର ଦ୍ୱି ବାର୍ଷିକ ଉତ୍ସବ ବଡଯାତ୍ରା ପାଳନ କରିବାରେ ସୁବିଧା ହେବ। ପୋଟେରୁ, ପୋଙ୍ଗମ, କାଙ୍ଗୁରୁକୋଣ୍ଡା,ଏମ୍‌ଭି-୯୦, ଉଣ୍ଡୁରୁକୋଣ୍ଡା ଓ ଏମଭି-୨୭ର ଉପଯୁକ୍ତ ସ୍ଥାନରେ ବୃହତ ସେତୁ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର