‘ମୁଁ ହିରୋ ମୁଁ ଓଡ଼ିଶା’ ଉଦ୍‌ଘାଟିତ : ସାଧାରଣ ଲୋକ ପ୍ରକୃତ ହିରୋ – ମୁଖ୍ୟମନ୍ତ୍ରୀ

କଟକ : ଓଡ଼ିଶା ବୀର ମାଟି। ଏ ମାଟିର ସନ୍ତାନମାନେ ଓଡ଼ିଆ ସ୍ୱାଭିମାନ ଓ ଗୌରବ ପାଇଁ ସବୁବେଳେ ସଂଗ୍ରାମ କରି ଆସିଛନ୍ତି। ରାଜ୍ୟର ପ୍ରତି ଗାଁ, ପ୍ରତି ସହର ଓ ପ୍ରତି ଘରେ ଗୋପବନ୍ଧୁ, ମଧୁ ବାବୁ, ବିଜୁ ବାବୁ, ଧର୍ମପଦ ଅଛନ୍ତି। ତେଣୁ ପ୍ରତି ଲୋକ ଭିତରେ ଥିବା ପ୍ରତିଭାକୁ ଚିହ୍ନଟ କରିବା ଏବଂ ତାକୁ ସ୍ୱୀକୃତି ଦେବା ହେଉଛି ବିଜୁ ଯୁବ ବାହିନୀର ‘ମୁଁ ହିରୋ ମୁଁ ଓଡିଶା’ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। କଟକର ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ‘ମୁଁ ହିରୋ ମୁଁ ଓଡ଼ିଶା’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିବା ସହିତ ଏଥିରେ ଡାକ୍ତର, ଇଂଜିନିୟର, ଶିକ୍ଷକ, ଚାଷୀ, ଏମିତିକି ସାଧାରଣ ମହିଳାଙ୍କ ସମେତ ସବୁ ବର୍ଗର ଲୋକଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି। ସେ କହିଛନ୍ତି ଯେ ସାଧାରଣ ଲୋକଟିଏ ମଧ୍ୟ ବହୁତ ବଡ଼ କାମ କରିଥାଏ। ସେମାନେ ହେଉଛନ୍ତି ନିରବ କର୍ମୀ। ପ୍ରକୃତ ହିରୋ। ସେହିମାନଙ୍କ ଭଳି କେତେଜଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି। ସେମାନେ ହେଉଛନ୍ତି ସମାଜ ପାଇଁ ପ୍ରକୃତ ପ୍ରେରଣାଦାତା। ସେହିମାନେ ହିଁ ପରିବର୍ତ୍ତନର ବାହକ। ସମସ୍ତଙ୍କ ମିଳିତ ଉଦ୍ୟମ ଓଡ଼ିଶାର ପ୍ରଗତିର ନନ୍ଦିଘୋଷକୁ ଆଗେଇ ନେବ। ଏହାସହିତ ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ଗାଡ଼ିକୁ ଉଦ୍‌ଘାଟନ
କରିଥିଲେ। ବିଜୁ ଯୁବ ବାହିନୀର ନୂତନ ଓ୍ଵବସାଇଟକୁ ଲୋକାର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବ ବ୍ୟାପାର ସଚିବ ବିଶାଳ ଦେବ ସ୍ୱାଗତ ଭାଷଣ ଦେଇଥିବାବେଳେ ବିଜୁ ଯୁବ ବାହିନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅରୂପ ପଟ୍ଟନାୟକ ‘ମୁଁ ହିରୋ ମୁଁ ଓଡିଶା’କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜୁ ଯୁବ ବାହିନୀରେ ସାଢେ ତିନି ଲକ୍ଷ ଯୁବକ ଯୁବତୀ ସାମିଲ ହୋଇଥିବା ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟ, ଆଇନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ଅନୁଭବ ମହାନ୍ତି, ସାଂସଦ ନରେନ୍ଦ୍ର ସ୍ୱାଇଁ, ରାଜ୍ୟ ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ, ବିଧାୟକ ଦେବାଶିଷ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରଭାତ ତ୍ରିପାଠୀ, ପ୍ରମୋଦ ମଳ୍ଲିକ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଏହି ଅବସରରେ କୁସ୍ତିରେ ସଫଳତା ଅର୍ଜନ କରିଥିବା ଝିଲ୍ଲୀ ଦଳବେହେରା, ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳର ଅଧିନାୟକ ମହମ୍ମଦ ଜାଫର ଇକବାଲ, ଶତାବ୍ଦୀ ଏକ୍ସପ୍ରେସର ଓଡ଼ିିଆ ମହିଳା ଡ୍ରାଇଭର ମମି ଡିଗଲ, ଇକୋ ରୋବଟ ନିର୍ମାଣ କରିଥିବା ନୀଳମାଧବ ବେହେରା, ଏଭରେଷ୍ଟ ଆରୋହଣକାରୀ ସ୍ୱର୍ଣ୍ଣଲତା ଦଳାଇ, କୁମ୍ଭୀର ମୁହଁରୁ ସାନ ଭଉଣୀକୁ ଉଦ୍ଧାର କରିଥିବା ନାବାଳିକା ମମତା ଦଳାଇକୁ ‘ସାଧାରଣ ଯୁବ ଅସାଧାରଣ ଲକ୍ଷ୍ୟ’ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ । କ୍ରୀଡା ବିଭାଗର ବରିଷ୍ଠ ପ୍ରଶାସକ ଚନ୍ଦ୍ର ରଣା ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନ୍‌ ଲାଇନ୍‌ରେ ଆବେଦନ କରାଯିବ। ଆବେଦନକାରୀଙ୍କ ବୟସ ୧୫ରୁ ୩୫ ବର୍ଷ ରହିବ। ଆଜି ଉଦଘାଟିତ ହୋଇଥିବା ଭ୍ରାମ୍ୟମାଣ ଗାଡ଼ି ରାଜ୍ୟର ସବୁ ପଞ୍ଚାୟତରେ ବୁଲିବ।

ସମ୍ବନ୍ଧିତ ଖବର