ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଏପାଖ ସେପାଖ

ଟ୍ରାକ୍ଟରରେ ଆସିଥିଲେ ଛତିଶଗଡ଼ିଆ

ମୁଖ୍ୟମନ୍ତ୍ରୀଙ୍କ ମଞ୍ଚରୁ ଅଳ୍ପ ଦୂରରେ ୨୦/୨୫ଟି ଟ୍ରାକ୍ଟର ରହିଥିଲା। ଯେ କେହି ଭାବିବେ ଏହା ପୁରୁଣା ଟ୍ରାକ୍ଟର, ବୋଧହୁଏ ବିକ୍ରି ହେବ। ଏନେଇ କୌତୁହଳ ମଧ୍ୟ ବଢ଼ି ବଢ଼ି ଚାଲିଥିଲା। ଛତିଶଗଡ଼ର ଗୋଟିଏ ଗାଁ ଗୋଟିଏ ପଞ୍ଚାୟତ ଅଟେ। ଏହି ଗ୍ରାମ ବାସିନ୍ଦା ସଭାକୁ ଯିବା ପାଇଁ ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ଜଣେ ଟ୍ରାକ୍ଟର ଚାଳକ କହିଥିଲେ, ସେମାନେ ପଡ଼ୋଶୀ ଛତିଶଗଡ଼ରୁ ଆସିଛନ୍ତି। ନିକଟରେ ଛିଡ଼ା ହୋଇଥିବା ଜଣେ ମହିଳା ମଧ୍ୟ ଛତିଶଗଡ଼ରୁ ଆସିଥିବା କହିଥିଲେ। ସେମାନେ ସଭାସମିତି କିମ୍ବା ପାରିବାରିକ କାର୍ଯ୍ୟକ୍ରମ ପାଇଁ ଏଭଳି ଟ୍ରାକ୍ଟରରେ ଯାଇଥାନ୍ତି। ଟ୍ରାକ୍ଟର ଧାଡ଼ି କରି ସେମାନେ ରମଣ ସିଂଙ୍କ ବିରୋଧରେ ନିଜ ଅସନ୍ତୋଷକୁ ଜାହିର କରୁଥିଲେ।

ମହାନଦୀର ଶୁଖା ବାଲିକୁ ଦେଖି ନବୀନ ଦୁଃଖିତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଖାସୋଢ଼ାରେ ମହାନଦୀ କୂଳରେ ପହଞ୍ଚିବା ପରେ ସେଠାରେ ଏକ ମଞ୍ଚରେ ବସିଥିଲେ। ତାଙ୍କୁ ମହାନଦୀର ଅବସ୍ଥା ସଂପର୍କରେ ଅବଗତ କରାଯାଇଥିଲା। ନକ୍ସା ଦେଖାଇଥିଲେ ସଂଜୟ ଦାସବର୍ମା, ଅନୁପ ସାଏ, କିଶୋର ମହାନ୍ତି ପ୍ରମୁଖ। ସେ ଉଠିବା ପରେ ମହାନଦୀକୁ ଦେଖି ଦୁଃଖିତ ହେବା ଭଳି ମନେ ହେଉଥିଲା। ଏହା ପରେ ସେ ଗାଡ଼ିରେ ବସି ଚାଲି ଯାଇଥିଲେ ସଭାସ୍ଥଳକୁ।

ମହାନଦୀ ବଞ୍ଚାଅ ଆନ୍ଦୋଳନକୁ ଓଡ଼ିଶା କର୍ମଚାରୀ ମହାମଞ୍ଚର ସମର୍ଥନ

ଭୁବନେଶ୍ୱର : ମହାନଦୀ ବଞ୍ଚାଅ ଆନ୍ଦୋଳନକୁ ସମର୍ଥନ ଘୋଷଣା କରିଛି ସରକାରୀ ଅଫିସରେ କାର୍ଯ୍ୟରତ କର୍ମଚାରୀଙ୍କର ୧୨ଟି ସଙ୍ଗଠନକୁ ନେଇ ଗଠିତ ଓଡ଼ିଶା କର୍ମଚାରୀ ମହାମଞ୍ଚ। ମହାନଦୀକୁ ନେଇ ଦେଖାଦେଇଥିବା ବିପଦରୁ ରକ୍ଷା କରିବା ପାଇଁ ସମ୍ମିଳିତ ଭାବେ କାର୍ଯ୍ୟ କରୁଥିବା ମହାନଦୀ ବଞ୍ଚାଅ ଆନ୍ଦୋଳନ ଏହାଦ୍ୱାରା ଆହୁରି ସୁଦୃଢ଼ ହେବ ବୋଲି ଓଡ଼ିଶା କର୍ମଚାରୀ ମହାମଞ୍ଚର ଆବାହକ ପ୍ରଭାତ ମହାନ୍ତି ଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ମହାନଦୀକୁ ବଞ୍ଚାଇବା ପାଇଁ ସଂଗ୍ରାମ କରିବା ସହ ଓଡ଼ିଶାରେ ପ୍ରବାହିତ ମହାନଦୀ ଏବଂ ଏହାର ବେସିନ୍‌ର ସୁରକ୍ଷା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଉଭୟ ସଙ୍ଗଠନ ଦାବି କରିଛନ୍ତି। ଆସନ୍ତା ୨୯ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀକୁ ସଫଳ କରିବା ପାଇଁ ଦୁଇ ସଙ୍ଗଠନ ପକ୍ଷରୁ ଓଡ଼ିଶାର ବୁଦ୍ଧିଜୀବୀମାନଙ୍କୁ ଅନୁରୋଧ କରାଯାଇଛି।

ଓଡ଼ିଶାର ବିଭାଗୀୟ ମୁଖ୍ୟ ସେକ୍ସନ ଅଫିସର ସଂଘର ସଭାପତି ମଧୁ ମଲ୍ଲିକ, ନିଖିଳ ଉତ୍କଳ ବନ ବିଭାଗ ଡାଟା ଏଣ୍ଟ୍ରି ଅପରେଟରସ୍‌ ସଂଘର ସାଧାରଣ ସମ୍ପାଦକ ସତ୍ୟବ୍ରତ ବାରିକ, ଓଡ଼ିଶା ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘର ଉପସଭାପତି ଚିତ୍ରସେନ ବଖର୍ତ୍ତି, ଅମଲା ସଂଘର ସମ୍ପାଦକ ସୁଧାଶୁଂ ପାତ୍ର, ଚୁକ୍ତିଭିତ୍ତିକ ସରକାରୀ ଶିକ୍ଷକ ସଂଘର ସଭାପତି ଶୁଭ୍ରଜିତ ପଢ଼ିହାରୀ, ମୁଖ୍ୟ ଦପ୍ତର କର୍ମଚାରୀ ସଂଘର ନେତା ରଶ୍ମୀରଞ୍ଜନ ପାଢ଼ୀ, ଅଶୋକ ବାଗ, ପ୍ରଶାନ୍ତ ପଟ୍ଟନାୟକ, ସରକାରୀ ଠିକା କର୍ମଚାରୀ ସଂଘ ସଭାପତି ବିଜୟ ମଲ୍ଲ, ତାପସ ମିଶ୍ର ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଇ. ଲଳିତ ମୋହନ ପଟ୍ଟନାୟକ, ବାସୁଦେବ ଭଟ୍ଟ, ବିଜୟ ପ୍ରଧାନ, ମନୋଜ ଜେନା, ନିରୋଦ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର