ଦୁର୍ବଳ ହେଲା ଅବପାତ: ୨୦ ସୁଦ୍ଧା ଫେରିବ ଥଣ୍ଡା
ଭୁବନେଶ୍ୱର : ଆଜି ଲଘୁଚାପରୁ ଘନୀଭୂତ ହୋଇଥିବା ଅବପାତ ଓଡ଼ିଶା ଉପକୂଳଠାରୁ ଦୂରେଇ ଯିବା ପରେ ଦୁର୍ବଳ ହୋଇପଡ଼ିଛି। ଏହା ପୁଣି ଏହାର ପୂର୍ବାବସ୍ଥା ସ୍ପଷ୍ଟଚିହ୍ନିତ ଲଘୁଚାପକୁ ଫେରିଛି। ଏହାର ପ୍ରଭାବରେ ଆସନ୍ତାକାଲି ଉପକୂଳ ଏବଂ ଉତ୍ତର ଓଡ଼ିଶାରେ କାଁ ଭାଁ ବର୍ଷା ହେବ। ପବନର ବେଗ କମିଥିଲେ ବି ଉତ୍ତର ଉପକୂଳ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦେଇଛି ଭାରତୀୟ ପାଣିପାଗ ବିଭାଗ। ବର୍ଷା ପରେ ପାଗ ସୁଧୁରି ସ୍ୱାଭାବିକ ଅବସ୍ଥାକୁ ଫେରୁଛି। ତଥାପି ଗତ ତିନିଦିନ ଧରି ବାୟୁମଣ୍ଡଳରେ ଜଳୀୟବାଷ୍ପ ଥିବାରୁ ଥଣ୍ଡା ଫେରିବାକୁ ଆଉ ଦିନେ ଦୁଇଦିନ ସମୟ ଲାଗିପାରେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ଆଜି ଅପରାହ୍ଣରେ ଅବପାତ ପାରାଦୀପଠାରୁ ଦୂରେଇ ଯାଇ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ରହିଛି। ଖୁବଶୀଘ୍ର ଏହା ରାଜ୍ୟର ଜଳ ସୀମା ପାର କରିବାର ସମ୍ଭାବନା ଅଧିକ। ରାଜ୍ୟରେ ବର୍ଷା ଜନିତ ଥଣ୍ଡା ଲାଗି ରହିବା ଫଳରେ ଏହି ଅବପାତଟି ଗଞ୍ଜାମ ଦେଇ ସ୍ଥଳଭାଗ ଛୁଇଁପାରିନଥିବା ପାଣିପାଗବିତ୍ କହିଛନ୍ତିି। ଫଳରେ ଏହା ସମାନ୍ତରାଳ ଭାବେ ଉପକୂଳ ଦେଇ ଆଗେଇ ଚାଲିଥିଲା। ଶେଷ ଆଡ଼କୁ ଏହା ଉପକୂଳର ଅନେକ ସ୍ଥାନ ଏବଂ ଉତ୍ତରର କିଛି ସ୍ଥାନରେ ବର୍ଷିଛି। ଲଘୁଚାପ ପ୍ରଭାବରେ ସାରା ରାଜ୍ୟର ପାଣିପାଗ ବଦଳି ଯାଇଛି। ଅଧିକାଂଶ ସ୍ଥାନରେ ରାତିର ଅର୍ଥାତ୍ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଦିନର ସର୍ବୋଚ୍ଚ ତାପମାନ ବି ୩୦° ତଳକୁ ଖସିଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ତିର୍ତୋଲରେ ସର୍ବାଧିକ ୬୦ ମିଲିମିଟର ବର୍ଷା ହୋଇଥିଲା। ସେହିପରି ପଟ୍ଟାମୁଣ୍ଡାଇ, ଚାନ୍ଦବାଲି, କୁଜଙ୍ଗରେ ୫ ମି.ମି., ବିଞ୍ଝାରପୁର, ବାଲିକୁଦା, ଆଳିପିଙ୍ଗଳରେ ୪୦ ମି.ମି., କାକଟପୁର, କେନ୍ଦ୍ରାପଡ଼ା, ରାଜକନିକା, ପୁରୀ, ମାର୍ଶାଘାଇ, ଅସ୍ତରଙ୍ଗ, ଗୋପ ପ୍ରଭୃତି ସ୍ଥାନରେ ୩୦ ମି.ମି. ବର୍ଷା ହୋଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ୫୮ ମି.ମି., ପାରାଦୀପରେ ୨୯ ମି.ମି., ଭୁବନେଶ୍ୱରରେ ୭.୪ ମି.ମି., ବାଲେଶ୍ୱରରେ ୭ ମି.ମି. ଆଦି ବର୍ଷା ହୋଇଛି।