୨୦ରୁ ୪୮୮ ବର୍ଗ କଲେଜ ସଂଘର ଆନ୍ଦୋଳନ

୧୯ ତାରିଖ ଆନ୍ଦୋଳନକୁ ବିଶ୍ବବିଦ୍ୟାଳୟ କର୍ମଚାରୀଙ୍କ ସମର୍ଥନ
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ବିକ୍ଷୋଭ ୧୯ରେ
ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ବୟ ସମିତିର ବି‌କ୍ଷୋଭ ୧୯ରେ

ଭୁବନେଶ୍ବର : ୩ ଦଫା ଦାବି ନେଇ ନିଖିଳ ଉତ୍କଳ ଅନୁଦାନପ୍ରାପ୍ତ କଲେଜ(୪୮୮ ବର୍ଗ) ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ଆସନ୍ତା ୨୦ ତାରିଖରୁ ଗାନ୍ଧୀମାର୍ଗରେ ଅହୋରାତ୍ର ଧାରଣା ଦିଆଯିବ। ସଂଘର ସଭାପତି ବନମାଳୀ ବାରିକ କହିଛନ୍ତି ଯେ ୪୮୮ ବର୍ଗ କଲେଜ ହେଉଛି ରାଜ୍ୟର ସର୍ବପୁରାତନ ପ୍ରତ୍ୟକ୍ଷ ଦରମାପ୍ରାପ୍ତ ବେସରକାରୀ କଲେଜ। ରାଜ୍ୟର ହାତଗଣତି ସରକାରୀ କଲେଜକୁ ଛାଡ଼ି ଦେଲେ ଏହି ବର୍ଗର କଲେଜ ରାଜ୍ୟର ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଏହି କଲେଜ ପ୍ରତିଷ୍ଠା, କାର୍ଯ୍ୟଭାର, ଅନୁଦାନ ନୀତି ଓ ଆଇନଗତ ଦିଗ ନୂତନ କଲେଜଗୁଡ଼ିକଠାରୁ ସ୍ବତନ୍ତ୍ର। ତେବେ ବିଡ଼ମ୍ବନାର ବିଷୟ ହେଉଛି ଯେ ସରକାର ଏହି ସବୁ ପ୍ରତ୍ୟକ୍ଷ ଦରମାପ୍ରାପ୍ତ କଲେଜରେ ୧୯୮୯ରୁ ୧୯୯୮ ମଧ୍ୟରେ ନିଯୁକ୍ତି ଓ ପୂର୍ଣ୍ଣ ଅନୁଦାନରୁ ବଞ୍ଚିତ ଅଧ୍ୟାପକ, କର୍ମଚାରୀଙ୍କୁ ୨୦୦୯ରୁ ଶତ ପ୍ରତିଶତ ବ୍ଲକ ଗ୍ରାଣ୍ଟ ପ୍ରଦାନ କରିଛନ୍ତି। ପରବର୍ତୀ ସମୟରେ ୨୦୧୭ ଅନୁଦାନ ଆଦେଶର ପରିସରଭୁକ୍ତ କରିଛନ୍ତି। ମାତ୍ର ଏହି ୨୦୧୭ ଅନୁଦାନ ଆଦେଶ ଏକ ପୂର୍ଣ୍ଣାଙ୍ଗ ନୀତି ନୁହେଁ। ତେଣୁ ସରକାର ୧୯୯୪ ଅନୁଦାନ ଆଇନ ଭଳି ଏକ ନୂତନ ଅନୁଦାନ ନୀତି ପ୍ରଣୟନ କରାଯାଉ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଗାନ୍ଧୀ ମାର୍ଗରେ ଆନ୍ଦୋଳନ ଜାରି ରହିବ ବୋଲି ସଂଘର ସାଧାରଣ ସମ୍ପାଦକ ପ୍ରିୟରଞ୍ଜନ ରଥ କହିଛନ୍ତି।

୧୯ ତାରିଖ ଆନ୍ଦୋଳନକୁ ବିଶ୍ବବିଦ୍ୟାଳୟ କର୍ମଚାରୀଙ୍କ ସମର୍ଥନ
ଭୁବନେଶ୍ବର : ଆସନ୍ତା ୧୯ ତାରିଖରେ ସାରା ରାଜ୍ୟରେ ହେବାକୁ ଥିବା ଆନ୍ଦୋଳନ ଓ ବିକ୍ଷୋଭକୁ ସମର୍ଥନ ଜଣାଇଛି ନିଖିଳ ଓଡ଼ିଶା ବିଶ୍ବବିଦ୍ୟାଳୟ କର୍ମଚାରୀ ମହାସଂଘ। ମହାସଂଘର ସଭାପତି ଶାରଦା‌ ଚରଣ ମହାନ୍ତି ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ କର୍ମଚାରୀମାନଙ୍କ ବକେୟା ମହଙ୍ଗା ଭତ୍ତା ପିଛିଲା ଭାବେ ୨୦୨୦ ଜାନୁଆରି ପରିବର୍ତ୍ତେ ୨୦୧୯ ଜୁଲାଇରୁ ଲାଗୁ କରାଯାଉ। ଏଥିସହ ସମସ୍ତ କର୍ମଚାରୀଙ୍କ ସପ୍ତମ ବେତନ ‌ବକେୟା ବର୍ଦ୍ଧିତ ଦରମାର ୧୦% ପରିବର୍ତ୍ତେ ୬% ପ୍ରଦାନ କରିବା ପାଇଁ ସରକାରଙ୍କୁ ଅବଗତ କରାଯିବ। ଏନେଇ ବ୍ରହ୍ମପୁରଠାରେ ବସିଥିବା ବୈଠକରେ ନୀତିଗତ ନିଷ୍ପତ୍ତି ନିଆଯାଇଛି। ଅଣଗେଜେଟେଡ୍‌ କର୍ମଚାରୀ ମହାସଂଘର ଆହ୍ବାନକୁ ସମର୍ଥନ ଜଣାଇ ନିଖିଳ ଓଡ଼ିଶା ବିଶ୍ବବିଦ୍ୟାଳୟ କର୍ମଚାରୀ ମହାସଂଘର ସଦସ୍ୟମାନେ ୧୯ ତାରିଖ ଅପରାହ୍ନ ୧ଟା ୩୦ରୁ ୨ଟା ପର୍ଯ୍ୟନ୍ତ ସମସ୍ତ ବିଶ୍ବବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ନୀରବ ସମର୍ଥନ ଜଣାଇବେ ବୋଲି ମହାସଂଘର ସାଧାରଣ ସମ୍ପାଦକ ଦୁର୍ଗା ଚରଣ ହୋତା କହିଛନ୍ତି।

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ବିକ୍ଷୋଭ ୧୯ରେ
ଭୁବନେଶ୍ବର : ସରକାରଙ୍କ ମହଙ୍ଗା ଭତ୍ତା, ବକେୟା ୬୦%ରୁ ୧୦% ଏରିଅର ପ୍ରଦାନ, ସପ୍ତମ ବେତନ କମିସନ ଆଧାରରେ ଘରଭଡ଼ା ନ ଦେବା, ମୃତ୍ୟୁକାଳୀନ ଥଇଥାନ ନିଯୁକ୍ତିରେ ଗ୍ରୁପ୍‌ ଡି ଚାକିରି ପ୍ରଦାନ ଘୋଷଣା ରାଜ୍ୟ ପ୍ରାଥମିକ ଶିକ୍ଷକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଏହା ପ୍ରତିବାଦରେ ଆସନ୍ତା ୧୯ ତାରିଖରେ ସାରା ରାଜ୍ୟରେ ପ୍ରତିବାଦ ଓ ବିକ୍ଷୋଭ ଅନୁଷ୍ଠିତ ହେବ। ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା‌ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ହୃଦାନନ୍ଦ ଦ୍ବିବେଦୀ, ମହାସଚିବ ଅମୀୟ କୁମାର ଦାଶ, ସଂଯୋଜିକା ଚାରୁଲତା ମହାପାତ୍ର, କୋଷାଧ୍ୟକ୍ଷ ରମାକାନ୍ତ ମହାନ୍ତି, ଉପସଭାପତି ସଙ୍ଗୀତା ଦାଶ, ବିଜୟ ମହାନ୍ତି, ମନୋଜ ସାହୁ ପ୍ରମୁଖ ଏକ ପ୍ରେସ୍‌ ବିଜ୍ଞପ୍ତି‌ରେ ଜଣାଇଛନ୍ତି।

ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ବୟ ସମିତିର ବି‌କ୍ଷୋଭ ୧୯ରେ
ଭୁବନେଶ୍ବର : ରାଜ୍ୟ ସରକାରଙ୍କ ମହଙ୍ଗା ଭତ୍ତା ଘୋଷଣା ରାଜ୍ୟ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଏହାର ପ୍ରତିବାଦରେ ଆସନ୍ତା ୧୯ ତାରିଖରେ ସାରା ରାଜ୍ୟରେ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସଙ୍ଗଠିତ ହେବ ବୋଲି ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ବୟ ସମିତିର ସଭାପତି ଲିଙ୍ଗରାଜ ମହାନ୍ତି, କାର୍ଯ୍ୟକାରୀ ସଭାପତି ସୁଦର୍ଶନ ପ୍ରଧାନ, ଶ୍ରୀମତୀ ସାହୁ, ସାଧାରଣ ସମ୍ପାଦକ ନରୋତ୍ତମ ପାର୍ଥସାରଥୀ ଓ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ ଏକ ପ୍ରେସ୍‌ ବିବୃତ୍ତିରେ କହିଛନ୍ତି। ରାଜ୍ୟର ସମସ୍ତ କର୍ମଚାରୀ ଓ ଶିକ୍ଷକମାନେ ଏକାଠି ହୋଇ ରାଜ୍ୟ ସରକାରଙ୍କ ଏଭଳି ନୀତି ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସମିତି ପକ୍ଷରୁ ଆହ୍ବାନ ଦିଆଯାଇଛି।

ସମ୍ବନ୍ଧିତ ଖବର